
ଭୁବନେଶ୍ବର: ୨୦୧୯-୨୦ରେ ଧାନ ବିକିବା ପାଇଁ ୧୨.୩୫ ଲକ୍ଷ ଚାଷୀ ନିଜର ନାମ ପଞ୍ଜୀକୃତ କରିଥିଲେ। ଚଳିତ ବର୍ଷ ଏହା ୧୪.୯୭ ଲକ୍ଷକୁ ବୃଦ୍ଧି ପାଇଛି। ଗତ ବର୍ଷ ତୁଳନାରେ ଏହା ୨୧% ଅଧିକ। ସେହିପରି ନାମମାତ୍ର, କ୍ଷୁଦ୍ର ଓ ନିମ୍ନ-ମଧ୍ୟମ ଚାଷୀ ପଞ୍ଜୀକରଣରେ ଯଥାକ୍ରମେ ୨୧%, ୨୨% ଓ ୨୪% ବୃଦ୍ଧି ଘଟିଛି। ଆଜି ହୋଇଥିବା ରାଜ୍ୟସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରୁ ଏହି ସୂଚନା ମିଳିଛି। ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଧାନ କିଣା କେନ୍ଦ୍ର ଓ ମଣ୍ଡିରେ ମୌଳିକ ସୁବିଧା ନିଶ୍ଚିତ କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥି ପାଇଁ କ୍ଷେତ୍ର ସ୍ତରରେ ଖାଦ୍ୟ ଯୋଗାଣ ଓ ସମବାୟ ବିଭାଗ ଅଧିକାରୀମାନେ ସମନ୍ବିତ ଭାବେ ଏକ ଟିମ୍ରେ କାମ କରିବେ। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଠାରୁ ଅଗ୍ରାଧିକାର ଭିତ୍ତିରେ ଧାନ କ୍ରୟ କରିବା ଏବଂ ଧାନ କ୍ରୟର ୨୪ରୁ ୪୮ ଘଣ୍ଟା ମଧ୍ୟରେ ବ୍ୟାଙ୍କ ଆକାଉଣ୍ଟ୍ ମାଧ୍ୟମରେ ସିଧାସଳଖ ଚାଷୀଙ୍କୁ ସର୍ବନିମ୍ନ ମୂଲ୍ୟ ପଇଠ ନିଶ୍ଚିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।
ଚଳିତ ବର୍ଷ ଅଧିକ ସଂଖ୍ୟକ ପ୍ରାଥମିକ କୃଷି ସମବାୟ ସମିତି ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଧାନ ସଂଗ୍ରହ କାମରେ ସାମିଲ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା। ଆସନ୍ତା ନଭେମ୍ବର ୧ ତାରିଖରୁ ୨୦୨୧ ମସିହା ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଧାନ ସଂଗ୍ରହ ନିମନ୍ତେ ଧାର୍ଯ୍ୟ କରାଯାଇଥିଲା। ତେବେ ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ନୂଆପଡ଼ା, କଳାହାଣ୍ଡି ଆଦି ଯେଉଁ ଜିଲ୍ଲାଗୁଡ଼ିକରେ ଶୀଘ୍ର ଧାନ ଅମଳ ହୁଏ, ସେସବୁ ଜିଲ୍ଲାରେ ନଭେମ୍ବର ପ୍ରଥମ ସପ୍ତାହରେ ଧାନ ସଂଗ୍ରହ ଆରମ୍ଭ କରିବାକୁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ। ଧାନ ଅମଳ ସମୟକୁ ଲକ୍ଷ୍ୟ କରି ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିଗୁଡ଼ିକ ସଂଗ୍ରହ ଦିନ ଧାର୍ଯ୍ୟ କରିବେ। ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଧାନ ସଂଗ୍ରହ କମିଟି କାର୍ଯ୍ୟ କରୁଛି।
ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ବରଗଡ଼, ଭଦ୍ରକ, ବଲାଙ୍ଗୀର, ଗଞ୍ଜାମ, ଯାଜପୁର, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନୂଆପଡ଼ା, ସମ୍ବଲପୁର ଓ ସୁବର୍ଣ୍ଣପୁର ଆଦି ୧୧ଟି ଜିଲ୍ଲାରେ ୨୨୪ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଧାନ ସଂଗ୍ରହରେ ସାମିଲ ହେବେ। ଚଳିତ ବର୍ଷ ୨୮୫୭ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ୍) ଧାନ ସଂଗ୍ରହ କାର୍ଯ୍ୟରେ ସାମିଲ ହେବେ। ୨୦୧୯-୨୦ରେ ୭୦.୫୬ ଲକ୍ଷ ମାଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଥିଲା। ଚଳିତ ବର୍ଷ ଚାଷୀଙ୍କଠାରୁ ଅଧିକ ବିକ୍ରିଯୋଗ୍ୟ ବଳକା ଧାନ କିଣିବା ପାଇଁ ମୁଖ୍ୟ ଶାସନ ସଚିବ ନିେର୍ଦ୍ଦଶ ଦେଇଥିଲେ।
ଭର୍ଚୁଆଲ୍ ପ୍ଲାଟ୍ଫର୍ମରେ ହୋଇଥିବା ଏହି ବୈଠକରେ ଉନ୍ନୟନ କମିସନର୍ ସୁରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା, କୃଷି ବିଭାଗର ପ୍ରମୁଖ ସଚିବ େସୗରଭ ଗର୍ଗ, ଯୋଗାଣ ବିଭାଗର ସଚିବ ବୀର ବିକ୍ରମ ଯାଦବଙ୍କ ସମେତ ବିଭିନ୍ନ ବିଭାଗର ସଚିବ, ଆର୍ଡିସି ଓ ଧାନ କିଣା ସହ ସଂପୃକ୍ତ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।
The post ଖରିଫ୍ ଚାଷୀ ପଞ୍ଜୀକରଣରେ ୨୧% ବୃଦ୍ଧି, ରାଜ୍ୟସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ first appeared on Sambad.
from ରାଜ୍ୟ – Sambad https://ift.tt/34wosl9
0 Comments