ରାଜଧାନୀରୁ କୋଟିଏ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ନିଶା ବେପାରୀ ହାସିମ୍‌ ଗିରଫ

ଭୁବନେଶ୍ୱର : କିଛି ଦିନର ବ୍ୟବଧାନ ପରେ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌କୁ ମିଳିଛି ଆଉ ଏକ ସଫଳତା। ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟରେ ଚଢ଼ଉ କରି ଏସ୍‌ଟିଏଫ୍‌ ୧ କିଲୋ ୧୭୦ ଗ୍ରାମ୍‌ ଓଜନର ବ୍ରାଉନ୍‌ସୁଗାର ଜବତ କରିଛି। ଜବତ ନିଶାଦ୍ରବ୍ୟର ମୂଲ୍ୟ କୋଟିଏ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଏସ୍‌ଟିଏଫ୍‌ ଅନୁମାନ କରୁଛି। ଏଥିରେ ସମ୍ପୃକ୍ତ ଜଣେ ପୁରୁଣା ନିଶା ବ୍ୟବସାୟୀକୁ ଗିରଫ କରାଯାଇଛି। ସେ ହେଉଛି ବାଲେଶ୍ବର ଜଳେଶ୍ବରର ଝାଡ଼େଶ୍ବରପୁରର ହାସିମ୍‌ ବକ୍ସ। ଦୀର୍ଘଦିନରୁ ସେ ରାଜ୍ୟ ବାହାରୁ ଏହି ନିଷିଦ୍ଧ ନିଶାଦ୍ରବ୍ୟ ଆଣି ରାଜ୍ୟର ବିଭିନ୍ନ ସ୍ଥାନରେ ପହଞ୍ଚାଉଥିଲା। ବିଶେଷ କରି କଟକ, କେନ୍ଦ୍ରାପଡ଼ା, ଭୁବନେଶ୍ବରକୁ ନିଶାଦ୍ରବ୍ୟ ଯୋଗାଉଥିଲା।

ଗୁଇନ୍ଦା ସୂତ୍ରରୁ ଖବର ପାଇ ଏସ୍‌ଟିଏଫ୍‌ ଗତ ରାତିରେ ଚଢ଼ଉ କରିଥିଲା। ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ସେ ଭୁବନେଶ୍ବର ବେପାରୀଙ୍କୁ ଅପେକ୍ଷା କରିଥିବା ବେଳେ ଏସ୍‌ଟିଏଫ୍‌ ଅଧିକାରୀମାନେ ମାଡ଼ି ବସିଥିଲେ। ତାକୁ କୋର୍ଟ ଚାଲାଣ କରାଯାଇଛି। ଆବଶ୍ୟକ ପଡ଼ିଲେ ଅଧିକ ପଚରା ଉଚରା ପାଇଁ ରିମାଣ୍ଡରେ ଅଣାଯାଇ ପାରେ ବୋଲି ଏସ୍‌ଟିଏଫ୍‌ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କ୍ରାଇମ୍‌ବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ପୂର୍ବରୁ ବାଲେଶ୍ବରରୁ ସେକ୍‌ ରାଜା ଗିରଫ ହୋଇଥିଲା। ସେକ୍‌ ରାଜା ବାଲେଶ୍ବରରୁ ରାଜ୍ୟର ବିଭିନ୍ନ ଜାଗାକୁ ଯୋଗାଉଥିଲା। ଜଳପଥ ଦେଇ ଏହି ନିଷିଦ୍ଧ ନିଶାଦ୍ରବ୍ୟ ରାଜ୍ୟ ତଥା ଦେଶ ବାହାରୁ ଆଣି ସେ ବେପାର କରୁଥିଲା। ନିଶାଦ୍ରବ୍ୟ ବେପାର କରୁଥିବା ବେଳେ ନିଜର ଲଞ୍ଚ ସହ ସେ ଏସ୍‌ଟିଏଫ୍‌ ହାତରେ ଧରାପଡ଼ିଥିଲା। ତାକୁ ପଚରାଉଚରା ପରେ ସେ କେତେକ ବେପାରୀଙ୍କ ନାମ କହିଥିଲା। ସେହି ସବୁ ସୂଚନାକୁ ଆଧାର କରି ଏସ୍‌ଟିଏଫ୍‌ ତଦନ୍ତ ଜାରି ରଖିବା ସହ ଗୁଇନ୍ଦା ତଥ୍ୟ ସଂଗ୍ରହ କରୁଥଲା। ସେବେଠାରୁ ହାସିମ୍‌ ଉପରେ ଏସ୍‌ଟିଏଫ୍‌ ନଜର ରଖିଥିଲା। ରାଜା ଗିରଫ ହେବା ପରେ ସେ ଏକ ପ୍ରକାର ବେପାର ଛାଡ଼ି ଦେଇଥିଲା। କିଛି ଦିନ ତଳେ ସେ ପୁଣି ଥରେ ଏହି ନିଶା ସାମ୍ରାଜ୍ୟରେ ପ୍ରବେଶ କରିବା ସହ ବେପାର ଜମାଇ ଦେଇଥିଲା। ତାକୁ ପଚରାଉଚରା କରାଯାଇ ଅନେକ ତଥ୍ୟ ସଂଗ୍ରହ କରାଯାଇଛି। ରାଜ୍ୟ ବାହାରୁ ନିଶାଦ୍ରବ୍ୟ ଆଣିବା ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ବେପାରୀଙ୍କୁ ଯୋଗାଉଥିଲା। ଗତ ରାତିରେ ସେ ଭୁବନେଶ୍ବର ମାଲ୍‌ ଦେବାକୁ ଆସିଥିବା ବେଳେ ଧରାପଡ଼ିଥିଲା। ତା’ର ସୂଚନା ଆଧାରରେ ଭୁବନେଶ୍ବରରେ ଥିବା ବଡ଼ ବେପାରୀକୁ ଧରିବା ପାଇଁ ଏସ୍‌ଟିଏଫ୍‌ ଜାଲ ବିଛାଇଛି।

ସୂଚନାଯୋଗ୍ୟ, ଲକ୍‌ଡାଉନ୍‌ ସମୟରେ ଖଣ୍ଡଗିରି ଅଞ୍ଚଳରେ ଜଣେ ବେପାରୀକୁ ଏସ୍‌ଟିଏଫ୍‌ ଗିରଫ କରିଥିଲା। ତା’ ଠାରୁ କେଜିଏରୁ ଊର୍ଦ୍ଧ୍ବ ବ୍ରାଉନ୍‌ସୁଗାର ଜବତ କରିଥିଲା। ଚଳିତବର୍ଷ ଏସ୍‌ଟିଏଫ୍‌ ବ୍ରାଉନ୍‌ସୁଗାର ବେପାରକୁ ନେଇ ୨୪ଟି ମାମଲା ରୁଜୁ କରିଛି। ଏଥିରେ ସମ୍ପୃକ୍ତ ୪୪ ଜଣଙ୍କୁ ଗିରଫ କରିବା ସହ ୨୨ କିଲୋଗ୍ରାମ ୧୬୪ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରିଛି।

The post ରାଜଧାନୀରୁ କୋଟିଏ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ନିଶା ବେପାରୀ ହାସିମ୍‌ ଗିରଫ first appeared on Sambad.



from ରାଜ୍ୟ – Sambad https://ift.tt/37VvamR

Post a Comment

0 Comments