ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଜଣଙ୍କର ଏସସିବି ମେଡିକାଲରେ ମୃତ୍ୟୁ

କଟକ: ଗତକାଲି ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାରେ ଗୁରୁତର ହୋଇ କଟକ ଏସ୍‌ସିବିକୁ ସ୍ଥାନାନ୍ତର ହୋଇଥିବା ଦୁଇ ଆହତ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ଏସସିବି ମେଡକାଲ ପକ୍ଷରୁ ସୂଚନା ଦିଆଯାଇଛି। ମୃତକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଆସିକାରେ ଥିବା ରଘୁନାଥନଗରପଲ୍ଲୀ ଅଞ୍ଚଳର ସତ୍ୟ ନାୟକ (୩୭)। ସତ୍ୟଙ୍କ ଶରୀରର ୬୦ ପ୍ରତିଶତ ପୋଡ଼ି ଯାଇଥିଲା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଏହାଛଡ଼ା ଉତ୍ତର ପ୍ରଦେଶ ଲକ୍ଷ୍ନୌର ରିପୁ ଦାମନ(୩୨)ଙ୍କୁ ଟ୍ରମା ଆଇସିୟୁରେ ରଖାଯାଇଥିବା ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ବୁଧବାର ଅପରାହ୍ନ ପ୍ରାୟ ୧ଟା ୧୨। ହଠାତ୍ ପ୍ରଚଣ୍ଡ ଶବ୍ଦରେ ଥରିଉଠିଲା ରାଜଧାନୀର କେନ୍ଦ୍ରସ୍ଥଳୀ। ରାଜଭବନ ଠାରୁ ସଚିବାଳୟ, କ୍ୟାପିଟାଲ ହସ୍ପିଟାଲ ଆଦି ଅଞ୍ଚଳ ବି। କିଏ କହିଲା ଭୂମିକମ୍ପ, ଆଉ କିଏ କହିଲା ବୋମା ମାଡ଼ କି ବଜ୍ରପାତ। ବିସ୍ଫୋରଣ ଶବ୍ଦ ୧୦ କିଲୋମିଟର ପର୍ଯ୍ୟନ୍ତ ଶୁଭାଯାଇଥିଲା। ହେଲେ ଅଳ୍ପ କେଇ ମୁହୂର୍ତ ପରେ ଜଣାପଡିଲା, ରାଜଭବନ ନିକଟରେ ଭୟଙ୍କର ବିସ୍ଫୋରଣ ଘଟିଛି। ଇଣ୍ଡିଆନ୍ ପେଟ୍ରୋଲ ପମ୍ପରୁ ହୁତୁହୁତୁ ହୋଇ ୨୦୦ ଫୁଟ ଉଚ୍ଚ ଯାଏ ନିଆଁ ଉପରକୁ ଉଠି ଜଳୁଛି। ଚିତ୍କାରରେ କମ୍ପିଉଠୁଥିଲା ସ୍ଥାନୀୟ ଅଞ୍ଚଳ। କିଛି ଲୋକ କ୍ଷତବିକ୍ଷତ ହୋଇ ରାସ୍ତାରେ ଦୌଡ଼ିବାରେ ଲାଗିଥିଲେ।

ରାସ୍ତାରେ ଲୋକଙ୍କ ଶରୀରର ମାଂସ ଖଣ୍ଡ ଛିଟିକି ପଡ଼ିଥିଲା। କାହା ହାତରୁ ରକ୍ତ ଝରୁଥିଲା ତ ଆଉ କିଏ ଗୁରୁତର ଅବସ୍ଥାରେ ଥିଲେ। ପେଟ୍ରୋଲ ପମ୍ପରେ ଥିବା ଏଲ୍‌ପିଜି ଟାଙ୍କି ବିସ୍ଫୋରଣରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୁଇ ଜଣ ଅତି ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର ହୋଇଥିଲେ।



from ରାଜ୍ୟ – Sambad https://ift.tt/3jF2z8g

Post a Comment

0 Comments