ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗ : ସଭିଙ୍କ ମତ, ଅରୁଣସ୍ତମ୍ଭ ନିକଟରୁ ଦର୍ଶନ ମିଳୁ

କ୍ୟାମେରାରେ ଦର୍ଶନକୁ ପରିଚାଳନା କମିଟି ସଦସ୍ୟଙ୍କ ବିରୋଧ
ପରିଚାଳନା ବୈଠକରେ ହେବ ଚୂଡ଼ାନ୍ତ ନିଷ୍ପତ୍ତି

ପୁରୀ : ପୁରୀ ଜିଲ୍ଲାରେ କରୋନା ମହାମାରୀ ଜଣଙ୍କ ପରେ ଜ‌ଣଙ୍କ ଜୀବନ ନେବାରେ ଲାଗିଛି। ସେ ପଟେ ସଂକ୍ରମଣ ବି ଥୟ ଧରିବାକୁ ନାଁ ଧରୁନି। ସେବାୟତ ସଂକ୍ରମଣ ସଂଖ୍ୟା ବଢ଼ିଚାଲିଛି। ଏଭଳି ସ୍ଥିତିରେ ଶ୍ରୀମନ୍ଦିର ଖୋଲିଦେଲେ ସ୍ଥିତି ପୁଣି ଥରେ ଅଣାୟତ ହୋଇପଡ଼ିବ। ସେବାୟତ ସଂକ୍ରମଣ ବି ବଢ଼ିଯିବ। ଯେଉଁଠି ୬ ମାସ ଅପେକ୍ଷା କରାଗଲାଣି, ସେଠି ଆଉ ମାସେ କାହିଁକି ନୁହେଁ। କୌଣସି ପରିସ୍ଥିତିରେ କାର୍ତ୍ତିକ ମାସ ପୂର୍ବରୁ ଶ୍ରୀମନ୍ଦିର ଖୋଲା ନଯାଉ। କାର୍ତ୍ତିକ ମାସ ‌ଶେଷ ପରେ କଟକଣା ଭିତରେ ଶ୍ରୀମନ୍ଦିର ଖୋଲିବା କଥା ଚିନ୍ତା କରାଯାଉ। ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗରେ ୬ ଦିନର ଆଲୋଚନା ପରେ ଏପରି କିଛି ମତ ରଖିଛନ୍ତି ପରିଚାଳନା କମିଟି ସଦସ୍ୟ, ଛତିଶାନିଯୋଗ ଓ ବୁଦ୍ଧିଜୀବୀ। ତେବେ ଶ୍ରୀମନ୍ଦିର ଭିତରକୁ ନ ଯାଇ ଭକ୍ତମାନେ ଯେ ଭଳି ଅରୁଣ ସ୍ତମ୍ଭ ଠାରୁ ପତିତପାବନଙ୍କୁ ସୁବିଧାରେ ଦର୍ଶନ କରି ଫେରିବେ ସେ ଦିଗରେ ସୁବ୍ୟବସ୍ଥା କରାଯାଉ। ଆବଶ୍ୟକ ପଡ଼ିଲେ ପତିତପାବନଙ୍କ ନାଗାର୍ଜୁନ ବେଶକୁ ଅନ୍‌ଲାଇନ୍‌ ଜରିଆରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା କରାଯାଉ ବୋଲି ଏମାନେ ମତ ଦେଇଛନ୍ତି।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ୬ ଦିନ ଧରି ଚାଲିଥିବା ଆଲୋଚନାରେ ୪ ଦିନ ଛତିଶାନିଯୋଗ, ବରିଷ୍ଠ ସେବାୟତଙ୍କ ମତାମତ ନିଆଯାଇଥିଲା। ମୁଖ୍ୟ ପ୍ରଶାସକଙ୍କ ସହ ପରିଚାଳନା କମିଟି ସଦସ୍ୟ ଓ ଛତିଶାନି ଯୋଗର ସଭାପତି ଓ ସଂପାଦକମାନେ ନିଯୋଗ ତରଫରୁ ମନ୍ଦିର ଖୋଲିବା ପ୍ରସଙ୍ଗରେ ମତ ରଖିଥିଲେ। ଶେଷ ଦୁଇଦିନ ବୁଦ୍ଧିଜୀବୀଙ୍କ ମତ ନିଆଯାଇଛି। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ଜିଲ୍ଲାପାଳ ତଥା ଉପମୁଖ୍ୟ ପ୍ରଶାସକ ବଲୱନ୍ତ ସିଂ, ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପୁରୀ ସହରର ବ୍ୟବସାୟୀ ସଂଘ, ବସ୍ ମାଲିକ ସଂଘ, ଟ୍ୟାକ୍ସି ମାଲିକ ସଂଘ, ଅଟୋ ରିକ୍ସା ମାଲିକ ସଂଘ, ହୋଟେଲ୍ ମାଲିକ ସଂଘ, ଟାଉନ୍ ବସ୍ ମାଲିକ ସଂଘ, ଧାର୍ମିକ ସେବା ସଂସ୍ଥାର ସଭାପତି ଓ ସଂପାଦକଙ୍କୁ ମିଶାଇ ୨୧ ଜଣ ବ୍ୟକ୍ତିବିଶେଷଙ୍କୁ ଆଲୋଚନା ପାଇଁ ନିମନ୍ତ୍ରଣ କରାଯାଇଥିଲା। ତେବେ ୧୭ଜଣ ଆଲୋଚନାର ଅଂଶଗ୍ରହଣ କରିଥିଲେ। ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର, ଅନନ୍ତ ତିଆଡ଼ି, ମାଧବଚନ୍ଦ୍ର ପୂଜାପଣ୍ଡାଙ୍କ ସହ ରାଜକିଶୋର ପାତ୍ର, ଲୋକନାଥ ପାଣି, ପ୍ରିୟରଂଜନ ଜେନା, ସାଗର ପଣ୍ଡା, ଏମ୍. ଅକ୍ଷୟ, ଯଶୋବନ୍ତ ପାତ୍ର, ଜିତେନ୍ଦ୍ର ରାଉତ, ବିଜୟ ସୁବୁଦ୍ଧି, ପ୍ରଦ୍ୟୁମ୍ନ ମିଶ୍ର, ସୂର୍ଯ୍ୟନାରାୟଣ ମହାପାତ୍ର, ପ୍ରଭାସ ସାହୁ, ମଳୟ ମିଶ୍ର, ଡା. ବସନ୍ତ ପତି, ଶରତ ଚନ୍ଦ୍ର ସିଂହଦେଓ, ଚକ୍ରଧର ମହାପାତ୍ର, ଜୟନ୍ତ କୁମାର ଦାସ, ଶିକ୍ଷାବିତ୍ ଡା. କୈଳାଶ ଚନ୍ଦ୍ର ଟିକାୟତରାୟ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

ବୈଠକରେ ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର ଗର୍ଭଗୃହରେ କ୍ୟାମେରା ଲଗାଇ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା କରିବାକୁ ମତ ରଖିଥିଲେ। ବାହାରେ ଟିଭି ପରଦାରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା କରିବାକୁ କହିଥିଲେ। ପରିଚାଳନା କମିଟି ସଦସ୍ୟଙ୍କ ଏ ଭଳି ମତକୁ ସମସ୍ତେ ଉଦ୍ଭଟ ଚିନ୍ତାଧାରା ବୋଲି କହିଛନ୍ତି। କୌଣସି ପରିସ୍ଥିତିରେ ଗର୍ଭଗୃହରେ କ୍ୟାମେରା ଲଗାଯାଇ ପାରିବନି ବୋଲି ବରିଷ୍ଠ ସେବାୟତ, ମୁକ୍ତିମଣ୍ଡପ ସଦସ୍ୟମାନେ କହିଛନ୍ତି। ଏହା ଦ୍ବାରା ମହାପ୍ରଭୁଙ୍କ ଗୁପ୍ତବିଧି ପ୍ରଭାବିତ ହେବ ବୋଲି ମତ‌ ଦେଇଛନ୍ତି। ଅନ୍ୟପଟେ ଏହାକୁ ଅନ୍ୟ ଚାରି ପରିଚାଳନା କମିଟି ସଦସ୍ୟମାନେ ବି ସିଧାସଳଖ ବିରୋଧ କରିଛନ୍ତି। ମହାପ୍ରଭୁଙ୍କ ଗୁପ୍ତବିଧି, ନୀତିକାନ୍ତିକୁ ଗୁପ୍ତ ରଖିବା ପାଇଁ ଆଜି ପର୍ଯ୍ୟନ୍ତ ଶ୍ରୀମନ୍ଦିର ଭିତରେ ବିଜୁଳି ବଦଳରେ ଅଖଣ୍ଡ ଦୀପ ଜଳୁଥିବା ବେଳେ କ୍ୟାମେରା ଲଗାଯିବା କଥା କୌଣସି ପରିସ୍ଥିତିରେ ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଛନ୍ତି। ଏପରିକି ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା ସମୟରେ ବି ପରିଚାଳନା କମିଟି ସଦସ୍ୟମାନେ ଏହି ମତକୁ ଦୃଢ଼ ବିରୋଧ କରିଥିଲେ ବୋଲି ଜଣାପଡ଼ିଛି।

The post ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗ : ସଭିଙ୍କ ମତ, ଅରୁଣସ୍ତମ୍ଭ ନିକଟରୁ ଦର୍ଶନ ମିଳୁ first appeared on Sambad.



from ରାଜ୍ୟ – Sambad https://ift.tt/3k7dnMM

Post a Comment

0 Comments