ଦଶହରା ପରେ ଶୀତ, ୨୬ ତାରିଖରୁ‌ ଲେଉଟିବ ଦକ୍ଷିଣ ପଶ୍ଚିମ ମୌସୁମୀ

ଭୁବନେଶ୍ୱର : ଦଶହରା ପରେ ଓଡ଼ିଶାରେ ଶୀତ ପଡ଼ିବ। ରାତିର ସର୍ବନିମ୍ନ ତାପମାତ୍ରା କମିବା ସହ ହାଲୁକା ଥଣ୍ଡା ଅନୁଭୂତ ହେବ। ଉପକୂଳ ଓଡ଼ିଶା ତୁଳନାରେ ପଶ୍ଚିମ ଓଡ଼ିଶାରେ ଆଗୁଆ ଥଣ୍ଡା ଆସିବ। ତେ‌ବେ ବର୍ତମାନ ସମୟରେ ଥଣ୍ଡାର ପ୍ରକୋପ ସେତେ ଅଧିକ ହେବ ନାହିଁ। ରାତିର ତାପମାତ୍ରା ୨ରୁ ୩ ଡିଗ୍ରି କମିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି।

ପ୍ରଫେସର ପଶୁପାଳକଙ୍କ ଆକଳନ ହେଉଛି ଯେ ୨୩ ତାରିଖ ପରେ ଉତ୍ତର-ପଶ୍ଚିମ ଓଡ଼ିଶାରେ ଓ ୨୫ ତାରିଖ ପରେ ସାରା ରାଜ୍ୟରେ ଉତ୍ତର ଭାରତରୁ ଶୁଷ୍କ ପବନ ଆସିବା ଆରମ୍ଭ କରିବ। ୨୭ ତାରିଖରେ ବଲାଙ୍ଗୀରଠାରୁ ସୁନ୍ଦରଗଡ଼ ପର୍ଯ୍ୟନ୍ତ ରାତିର ସର୍ବନିମ୍ନ ତାପମାତ୍ରା କମିବାକୁ ଥିବା ବେଳେ ଭୁବନେଶ୍ବରରେ ୨୯ ତାରିଖଠାରୁ ତାପମାତ୍ରା କମିବ। ଅନୁମାନ କରାଯାଉଛି ଯେ ୨୭ରୁ ୨୯ ତାରିଖ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରି କମିବା ଯୋଗୁଁ ଥଣ୍ଡା ଅନୁଭୂତ ହୋଇପାରେ। ୨୬ ତାରିଖ ବେଳକୁ ପଶ୍ଚିମ ଓଡ଼ିଶାର ପଶ୍ଚିମ ସୀମାବର୍ତୀ ଅଞ୍ଚଳରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତନ ଆରମ୍ଭ ହେବ। ତେବେ ଉପକୂଳ ଓଡ଼ିଶା ଛାଡ଼ିବାକୁ ଅକ୍ଟୋବର ମାସ ଶେଷ ହୋଇଯିବ। ୨୯ କିମ୍ବା ୩୦ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତନ କରିବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ୍‌ ଆର ବିଶ୍ବାସଙ୍କ କହିବାନୁଯାୟୀ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରୁ ଛାଡ଼ିବା ଆରମ୍ଭ କରିବ। ଏଥିପାଇଁ ପାଗ ଅନୁକୂଳ ରହିଛି। ଯଦି ସବୁ କିଛି ଠିକ୍‌ ଠାକ୍‌ ରୁହେ ତେବେ ପ୍ରଥମେ ପଶ୍ଚିମ ଓଡ଼ିଶା ଯଥା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଆଦି ଜିଲ୍ଲାରୁ ମୌସୁମୀ ବା‌ୟୁ ପ୍ରତ୍ୟାବର୍ତନ କରିବ।

The post ଦଶହରା ପରେ ଶୀତ, ୨୬ ତାରିଖରୁ‌ ଲେଉଟିବ ଦକ୍ଷିଣ ପଶ୍ଚିମ ମୌସୁମୀ first appeared on Sambad.



from ରାଜ୍ୟ – Sambad https://ift.tt/37sLpr8

Post a Comment

0 Comments