ନୂଆବର୍ଷରେ ଝଲସିବ ଶ୍ରୀମନ୍ଦିର ଦ୍ୱାର : ତିନି ଦ୍ୱାରରେ ଲାଗିବ ରୁପା କବାଟ

ପୁରୀ : ନୂଆବର୍ଷରେ ରୁପାରେ ଝଲସିବ ଶ୍ରୀମନ୍ଦିରର ତିନି ଦ୍ୱାର। ଏହା ପୂର୍ବରୁ ରୁପା ଝାଉଣି ହେବାକୁ ଥିବା ତିନିଦ୍ୱାର ସଂପୂର୍ଣ୍ଣ ନୂଆ ଗଢ଼ାଯିବ। ଏଥି ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ତିନି ଦ୍ୱାର ପାଇଁ ମାଲେସିଆରୁ ଦାମୀ ଶାଗୁଆନ କାଠ (ବର୍ମା ଟିକ୍‌) ଅଣାଯାଉଛି। ବାହାର ରାଜ୍ୟର ୧୫ ଜଣିଆ କାରିଗର ଦଳ ଖୁବ୍‌ଶୀଘ୍ର ଶ୍ରୀକ୍ଷେତ୍ରରେ ପହଞ୍ଚୁଛନ୍ତି। ନୀଳଦ୍ରି ଭକ୍ତ ନିବାସରେ ତିନି ଦ୍ୱାର କାମ ଶେଷ ପରେ ଏହାକୁ ସଂଯୋଗ କରାଯିବ। ମରାମତି କାମର ତତ୍ତ୍ବାବଧାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର କମିଟି ଗଠନ କରାଯାଇଛି।

ଶ୍ରୀମନ୍ଦିରର ବେହରଣ ଦ୍ୱାର, କଳାହାଟ ଦ୍ୱାର ଓ ଜୟ-ବିଜୟ ଦ୍ୱାରକୁ ରୁପା ଛାଉଣି କରାଯିବ। ଜନୈକ ଦାତା ଏ ବାବଦକୁ ପ୍ରାୟ ୨ ହଜାର କେଜି ରୁପା ଦାନ କରିବେ। ମ‌ାଲେସିଆରୁ ଆସୁଥିବା ବର୍ମା ଟିକ୍‌ରେ ଏହାକୁ ସ୍ବତନ୍ତ୍ର ଶୈଳୀରେ ନିର୍ମାଣ କରାଯିବ। ଏ ସଂପର୍କରେ ପରିଚାଳନା କମିଟିର ଜନୈକ ସଦସ୍ୟ କହିଛନ୍ତି, କାଠ ପହଞ୍ଚିବା ପରେ ଦ୍ବାର ତିଆରି କାମ ନୀଳାଦ୍ରି ଭକ୍ତ ନିବାସରେ କରାଯିବ। ବାହାରୁ ଆସିଥିବା ୧୫ ଜଣିଆ କାରିଗର ଦଳ ଏଠାରେ ରହି ଶୁଦ୍ଧପୂତ ଭାବରେ ତିନିଦ୍ୱାର କାମ କରିବେ। କବାଟ ନିର୍ମାଣ କାମ ଶେଷ ପରେ ରୁପା ଛାଉଣି କରାଯିବ। କାର୍ତ୍ତିକ ମାସ ପୂର୍ବରୁ ଏହି କାମ ଆରମ୍ଭ ହେବ। ନୂଆ ବର୍ଷ ପୂର୍ବରୁ ତିନି ଦ୍ବାର ଶ୍ରୀମନ୍ଦିରରେ ଲଗାଯିବ ବୋଲି ସେ କହିଛନ୍ତି ।

The post ନୂଆବର୍ଷରେ ଝଲସିବ ଶ୍ରୀମନ୍ଦିର ଦ୍ୱାର : ତିନି ଦ୍ୱାରରେ ଲାଗିବ ରୁପା କବାଟ first appeared on Sambad.



from ରାଜ୍ୟ – Sambad https://ift.tt/2Thw1pg

Post a Comment

0 Comments