
ଭୁବନେଶ୍ୱର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଅଞ୍ଚଳରେ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୫.୮ କିମି ଉଚ୍ଚତାରେ ରହିଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବ। ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖ ଯାଏ ରାଜ୍ୟରେ ବର୍ଷା ଲାଗିରହିବ। ଦକ୍ଷିଣରେ ଅଧିକ ବର୍ଷା ହେବ। ୨୨ ତାରିଖରେ ବଙ୍ଗୋପସାଗର ଉପରେ ଓଡ଼ିଶାରୁ ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ଏକ ଘୂର୍ଣ୍ଣିବଳୟ ରହିବ। ଏହାର ପ୍ରଭାବରେ ରାଜ୍ୟରେ ୨୮ ତାରିଖ ଯାଏ ବର୍ଷା ଲାଗିରହିବ। ଅର୍ଥାତ ଏଥର ବି ଦଶହରା ବର୍ଷାରେ ଭିଜିବ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ବାସ କହିଛନ୍ତି, ଲଘୁଚାପ ପ୍ରଭାବରେ ଆସନ୍ତା ୨୨ ତାରିଖ ଯାଏ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୧ ତାରିଖ ଦିନ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏଣୁ ଏହି ଦୁଇ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ ମାଲକାନଗିରି, କୋରାପୁଟ, ଗଜପତି, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ପ୍ରବଳ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୨ ତାରିଖ ଦିନ ଗଞ୍ଜାମ, ପୁରୀ, ଜଗତସିଂହପୁର, ଗଜପତି ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏହି ଦିନ ପାଇଁ ମଧ୍ୟ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସମୟରେ ପବନର ବେଗ ଅଧିକ ରହିବା ସହ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ସାମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆଭ୍ୟନ୍ତରୀଣ ଦକ୍ଷିଣରେ ୨୪ରୁ ୨୮, ଆଭ୍ୟନ୍ତରୀଣ ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ୨୫ରୁ ୨୮ ଓ ଉପକୂଳ ତଥା ସଂଲଗ୍ନ ଜିଲ୍ଲା ସହ ଗଜପତି ଓ ରାୟଗଡ଼ାରେ ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ବିସ୍ତୃତ ଓ ପ୍ରବଳ ବର୍ଷାର ସମ୍ଭାବନା ୨୩ ତାରିଖ ପର୍ଯ୍ୟନ୍ତ ନାହିଁ। ତେବେ ୨୪ ତାରିଖରୁ ଆରମ୍ଭ ହେବାକୁ ଥିବା ସାମ୍ଭାବ୍ୟ ବର୍ଷା ସମ୍ପର୍କରେ ୨୨ ତାରିଖ ବେଳକୁ ଅଧିକ ସ୍ପଷ୍ଟ ଭାବେ କହିହେବ।
The post ଏଥର ଭିଜିବ ଦଶହରା, ୨୮ ଯାଏ ବର୍ଷା ସମ୍ଭାବନା first appeared on Sambad.
from ରାଜ୍ୟ – Sambad https://ift.tt/2Tb22PK
0 Comments