କ୍ରାଇମବ୍ରାଞ୍ଚ ହାତକୁ ଗଲା ସାରୁଅ ଜମି ଜବରଦଖଲ ମାମଲା, ତଦନ୍ତ ଲାଗି ଚିଠି ଲେଖି ଅନୁରୋଧ କଲା ରାଜସ୍ୱ ବିଭାଗ

ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ହାତକୁ ଗଲା ସାରୁଅ ଜମି ଜବରଦଖଲ ମାମଲା । ତଦନ୍ତ କରିବାକୁ  ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ତଦନ୍ତ କରିବା ଲାଗି ଚିଠି ଲେଖି ଅନୁରୋଧ କରିଛି ରାଜସ୍ୱ ବିଭାଗ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ଏହି ପଦକ୍ଷେପ ନିଆଯାଇଛି । ଏହି ଚିଠିରେ ଉଲ୍ଲେଖ ରହିଛି ଯେ ଅନୁସୁଚିତ ଜାତିର ବ୍ୟକ୍ତିଙ୍କ ମାଲିକାନାରେ ଥିବା ରୟତି ଜମିକୁ ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡକୁ ବିକ୍ରି କରାଯାଇଛି । ଓରଟେଲରେ ଡ୍ରାଇଭର ଭାବେ କାମ କରୁଥିବା ରବୀନ୍ଦ୍ର କୁମାର ସେଠୀଙ୍କ ଜରିଆରେ ଏହା କରାଯାଇଛି। ଏହି ଘଟଣାର ଅପରାଧିକ ତଦନ୍ତ କରାଯାଉ ବୋଲି ରାଜସ୍ବ ବିଭାଗ ଯୁଗ୍ମସଚିବ ଓଡ଼ିଶା ପୁଲିସର କ୍ରାଇମବ୍ରାଞ୍ଛ ଏଡିଜିଙ୍କୁ ପତ୍ର ଜରିଆରେ ଜଣାଇଛନ୍ତି।

ଜମି କିଣା ବିକାରେ ଅନିୟମିତତା ଅଭିଯୋଗ ହୋଇଥିବା ଖୋଦ୍ଧା ଜିଲ୍ଲାପାଳଙ୍କ ରିପୋର୍ଟରେ ଉଲ୍ଲେଖ ରହିଛି । ସାରୁଅରେ ବର୍ଷ ବର୍ଷ ଧରି ଜମି ଜବରଦଖଲ କରି ବେନାମୀ କାରବାର ଚାଲିଥିବା ରିପୋର୍ଟରୁ ଜଣା ପଡିଛି । ଆଉ ଏଥିପାଇଁ ଜଣେ ଅନୂସୁଚିତ ଜାତିର ବ୍ୟକ୍ତିଙ୍କୁ ବ୍ୟବହାର କରାଯାଇଥିବା ସୂଚନା ରହିଛି ।

ସୂଚନା ମୁତାବକ, ଖୋର୍ଦ୍ଧା ଉପକଣ୍ଠ ସାରୁଅ ଗାଁ’ର କେତେକ ବାସିନ୍ଦା ରାଜ୍ୟର ପ୍ରତିଷ୍ଠିତ ଓଡ଼ିଆ ଟିଭି ଚାନେଲ ଓଟିଭି ବିରୋଧରେ ଜମି ହଡ଼ପ ନେଇ ସେପ୍ଟେମ୍ବର ମାସରେ ଅଭିଯୋଗ କରିଥିଲେ। ସାରୁଅ ମୌଜାର ପ୍ରାୟ ୪୦ରୁ ୫୦ ବାସିନ୍ଦା ଜିଲ୍ଲାପାଳଙ୍କୁ ଭେଟି ବେଆଇନ ଜମି ଦଖଲ ନେଇ ଲିଖିତ ଭାବେ ଅଭିଯୋଗ ଦେଇଥିଲେ। ଅଭିଯୋଗ ଅନୁସାରେ ସାରୁଅ, ଜୟମଙ୍ଗଳ ଗାଁ’ର ଲୋକଙ୍କୁ ଡ଼ରାଇ ଧମକାଇ ସମ୍ପୃକ୍ତ କମ୍ପାନି ୨୦୧୪ରୁ ଜମି ଦଖଲ କରିଛନ୍ତି। ଚାରିପଟେ ପାଚେରି ନିର୍ମାଣ କରିଛନ୍ତି। ପୋଖରୀ, ବିଲବାଡ଼ିକୁ ରାସ୍ତା ବନ୍ଦ କରିଛନ୍ତି। ଏହାର ପ୍ରତିବାଦ କଲେ ମାମଲା ରୁଜୁ କରି ଗିରଫ କରୁଛନ୍ତି ଓ ଗୁଣ୍ତା ଲଗାଇ ଧମକଚମକ ଦେଉଛନ୍ତି। ଏଣୁ ସେମାନଙ୍କ ଜମି ଓ ଜୀବନର ସୁରକ୍ଷା ଯୋଗାଇଦେବାକୁ ସେମାନେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ।

ଏବେ ଜିଲ୍ଲାପାଳଙ୍କ ରିପୋର୍ଟ ପରେ ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚକୁ ଦେବା ପାଇଁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର।

The post କ୍ରାଇମବ୍ରାଞ୍ଚ ହାତକୁ ଗଲା ସାରୁଅ ଜମି ଜବରଦଖଲ ମାମଲା, ତଦନ୍ତ ଲାଗି ଚିଠି ଲେଖି ଅନୁରୋଧ କଲା ରାଜସ୍ୱ ବିଭାଗ first appeared on Sambad.



from ରାଜ୍ୟ – Sambad https://ift.tt/33VsgvL

Post a Comment

0 Comments