ରାଜ୍ୟରେ ଆଉ ଦୁଇ ଦିନ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା

ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ଆହୁରି ୨ ଦିନ ରହିବ। ୭ ତାରିଖ ବେଳକୁ ବର୍ଷାର ପରିମାଣ କମିବା ଆରମ୍ଭ ହେବ। କିନ୍ତୁ ୯ ତାରିଖ ଆଡ଼କୁ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ପୁଣି ଥରେ ୧୧ ତାରିଖରୁ ବର୍ଷା ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌.ଆର୍‌ ବିଶ୍ବାସ କହିଛନ୍ତି, ଗତକାଲି ଉତ୍ତର-ପଶ୍ଚିମ ବଙ୍ଗୋପସାଗ‌ର ଉପରେ ରହିଥିବା ଲଘୁଚାପବଳୟ ଆଜି ବି ସେହି ସ୍ଥାନରେ ରହିଛି। ଏହାସହ ଜଡ଼ିତ ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୫.୮କିମି ଉଚ୍ଚତା‌ ପର୍ଯ୍ୟନ୍ତ ପରିବ୍ୟାପ୍ତ। ପ୍ରଭାବରେ ରାଜ୍ୟରେ ଆଉ ଦୁଇ ଦିନ ବର୍ଷା ହେବ। ଆସନ୍ତାକାଲି ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲ୍‌କାରୁ ମଧ୍ୟମର ବର୍ଷା ହେବାର ସମ୍ଭାବନା ରହିଛି। ତେବେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବରଗଡ଼, ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଆଦି ଜିଲ୍ଲାର କେ‌ତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏଣୁ ଏସବୁ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୭ ତାରିଖ ଦିନ ରାଜ୍ୟରେ ବର୍ଷାର ପରିମାଣ କମିବ। ଅଧିକାଂଶ ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବ। ୮ ତାରିଖରେ ବର୍ଷା ଆହୁରି କମିଯିବ। ୯ ତାରିଖ ଆଡ଼କୁ ବର୍ଷା ପୂରା କମିଯିବ ଓ କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ସ୍ବଳ୍ପ ବର୍ଷା ହେବ। ତେବେ ୯ ତାରିଖ ଆଡ଼କୁ ଥାଇଲାଣ୍ଡ ଉପକୂଳ ଆଣ୍ଡାମାନ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ୨/୩ ଦିନ ଭିତରେ ଏହା ଅବପାତରେ ପରିଣତ ହେବ। ଏହାର ଗତି ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳକୁ ରହିବ। ଫଳରେ ୧୧ରୁ ୧୩ ତାରିଖ ଯାଏ ରାଜ୍ୟ‌ରେ ପ୍ରବଳ ବର୍ଷା ହେବ।



from ରାଜ୍ୟ – Sambad https://ift.tt/3li22tu

Post a Comment

0 Comments