୫ଟି ମହାନଗର ନିଗମରେ ହେବ ‘ନଗର ବନ’, ୧୩.୮୪ କୋଟି ଟଙ୍କା ବ୍ୟୟରେ ବ୍ୟାପକ ଜଙ୍ଗଲ ସୃଷ୍ଟି ହେବ

ଭୁବନେଶ୍ୱର : ରାଜ୍ୟର ୫ଟି ମହାନଗର ନିଗମ ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାରେ ‘ନଗର ବନ’ ଯୋଜନା କାର୍ଯ୍ୟକାରୀ ହେବ। ଏଥିରେ ୧୩ କୋଟି ୮୪ ଲକ୍ଷ ଟଙ୍କା ବିନିଯୋଗରେ ବ୍ୟାପକ ଜଙ୍ଗଲ ସୃଷ୍ଟି ‌କରାଯିବ। ଆଜି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ଦ୍ବାରା ଆହୂତ ରାଜ୍ୟ ଜଙ୍ଗଲ ମନ୍ତ୍ରୀମାନଙ୍କ ଭର୍ଚୁଆଲ ବୈଠକରେ ଓଡ଼ିଶା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ସୂଚନା ଦେଇଛନ୍ତି। ଗତ ଜୁନ୍ ୫ ତାରିଖ ପରିବେଶ ଦିବସ ଅବସରରେ କେନ୍ଦ୍ର ସରକାର ‘ନଗର ବନ’ ଯୋଜନା ‌ଆରମ୍ଭ କରିଥିଲେ। ଏହି ଯୋଜନାରେ ଦେଶର ୨୦୦ଟି ସହରରେ ଜଙ୍ଗଲ ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ଆଜିର ବୈଠକରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜାଭଡେକର ଜଙ୍ଗଲ ବୃଦ୍ଧି, ବନୀକରଣ, ନଗର ବନ ଯୋଜନା, ବିଦ୍ୟାଳୟ ନର୍ସରି, ନଦୀ ଅବବାହିକାରେ ବ୍ୟାପକ ବୃକ୍ଷରୋପଣ ଆଦି ପ୍ରସଙ୍ଗରେ ବ୍ୟାପକ ଆଲୋଚନା କରିଥିଲେ। ଚଳିତ ବର୍ଷ ପ୍ରୋଜେକ୍ଟ ଡଲ୍‌ଫିନ୍‌ ଓ ପ୍ରୋଜେକ୍ଟ ସିଂହ ସାରା ଦେଶରେ କାର୍ଯ୍ୟକାରୀ କରାଯାଇ ଡଲ୍‌ଫିନ୍‌ ଓ ସିଂହ ସଂଖ୍ୟା ବୃଦ୍ଧି କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ।

Agroforestry – blogger

ଆଲୋଚନାରେ ଭାଗ ନେଇ ମନ୍ତ୍ରୀ ଶ୍ରୀ ଆରୁଖ କହିଲେ ଯେ ରାଜ୍ୟ ଜଙ୍ଗଲ ରିପୋର୍ଟ-୨୦୧୯ ଅନୁଯାୟୀ ଓଡ଼ିଶାରେ ଶତକଡ଼ା ୩୩.୧୫ ଭାଗ ଜଙ୍ଗଲ ବୃଦ୍ଧି ଘଟିଛି। ବିଗତ ୨୦ ବର୍ଷ ମଧ୍ୟରେ ୪୫୮୬ ବର୍ଗ କିଲୋମିଟର ଜଙ୍ଗଲ ବୃଦ୍ଧି ହୋଇଥିଲା ବେଳେ ଗତ ଦୁଇ ବର୍ଷରେ ଓଡ଼ିଶାର ଜଙ୍ଗଲ ପରିସୀମା ୯୨୯ ବର୍ଗ କିଲୋମିଟର ବଢ଼ିଛି। କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷରେ ଓଡ଼ିଶା ପାଇଁ ୧ ଲକ୍ଷ ୧୦ ହଜାର ହେକ୍ଟର ପରିମିତ ଅଞ୍ଚଳରେ ଚାରା ରୋପଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ତେବେ ଏହି ଲକ୍ଷ୍ୟକୁ ଅତିକ୍ରମ କରି ଆମ ରାଜ୍ୟରେ ଚଳିତ ବର୍ଷ ୧ ଲକ୍ଷ ୩୦ ହଜାର ହେକ୍ଟରରେ ଚାରା ରୋପଣ କରାଯାଇପାରିଛି। ରାଜ୍ୟରେ ୧୩ କୋଟି ୭୦ ଲକ୍ଷ ଚାରା ଉତ୍ପାଦିତ ହୋଇ ରୋପଣ ପାଇଁ ସଂରକ୍ଷିତ ରହିଛି। ରାଜ୍ୟର ୧୦୦ଟି ବିଦ୍ୟାଳୟରେ ନର୍ସରି ଖୋଲାଯିବ। କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପାଣ୍ଠି ପ୍ରଦାନ କଲେ ଏସବୁ ବିଦ୍ୟାଳୟ ନର୍ସରିଗୁଡ଼ିକ ବୃକ୍ଷରୋପଣରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନେଇପାରିବ।

ରାଜ୍ୟରେ ୧୩୧୫ ମେଟ୍ରିକ୍ ଟନ୍‌ ରକ୍ତ ଚନ୍ଦନ କାଠ ସଂରକ୍ଷିତ ରହିଛି। ଏହାକୁ ବିକ୍ରି କରିବା ପାଇଁ କେନ୍ଦ୍ର ଆବଶ୍ୟକ ଅନୁମତି ପ୍ରଦାନ କରିବାକୁ ଶ୍ରୀ ଆରୁଖ କହିଥିଲେ।

ଦେଶର ବୃହତ ନଦୀମାନଙ୍କ ଅବବାହିକା ଓ ସେଗୁଡ଼ିକର ଦୁଇ କୂଳରେ ବ୍ୟାପକ ଜଙ୍ଗଲ ସୃଷ୍ଟି କରିବା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା ରାଜ୍ୟର ମହାନଦୀ ଦୁଇ ପାର୍ଶ୍ବରେ କାର୍ଯ୍ୟକାରୀ କରାଯାଉଛି। କେନ୍ଦ୍ର କାମ୍ପା ପାଣ୍ଠିରୁ ଏଥି ନିମିତ୍ତ ଆବଶ୍ୟକ ଅନୁଦାନ ପ୍ରଦାନ କଲେ ଏହା ମହାନଦୀର ଦୁଇ ପାର୍ଶ୍ବକୁ ସମ୍ପୂର୍ଣ୍ଣ ସବୁଜିମାମୟ କରିପାରିବ ବୋଲି ଶ୍ରୀ ଆରୁଖ କେନ୍ଦ୍ର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।



from ରାଜ୍ୟ – Sambad https://ift.tt/3gamIk2

Post a Comment

0 Comments