
ଛେଣ୍ଡିପଦା: କରୋନା ହୋଇଛି ବୋଲି ଜାଣିବା ପରେ ଭାଙ୍ଗି ପଡ଼ିଥିଲେ। ବିଗିଡ଼ିଯାଇଥିଲା ମାନସିକ ସନ୍ତୁଳନ। ଆଉ ଶେଷରେ ଆଜି ବେକରେ ରଶି ଲଗାଇ ଝୁଲି ପଡ଼ିଲେ। ଏମିତି ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୋଇନାଳି ଗାଁରେ। ମହାମାରୀ କରୋନାର କରାଳ କାୟାରେ ଆତଙ୍କିତ ହୋଇ ଏହି ଗାଁର ଜଗବନ୍ଧୁ ବାଘ(୬୫) ଆଜି ଜୀବନ ହାରିଦେଇଛନ୍ତି।
ଛେଣ୍ଡିପଦା ଥାନା ସାପୋଇନାଳି ଗାଁର ଜଗବନ୍ଧୁ ବାଘ ୫ ଦିନ ତଳେ ବାଗେଡ଼ିଆରେ ନିଜର ସ୍ବାବ୍ ପରୀକ୍ଷା କରାଇଥିଲେ। ସେ କରୋନା ସଂକ୍ରମିତ ବୋଲି ତା’ ପରଦିନ ରିପୋର୍ଟ ଆସିଥିଲା। ତିନିଦିନ ତଳେ ତାଙ୍କୁ ତାଳଚେର କୋଭିଡ ହସ୍ପିଟାଲକୁ ନେବାପାଇଁ ଆମ୍ବୁଲାନ୍ସ ଆସିଥିଲା। କିନ୍ତୁ ଜଗବନ୍ଧୁ ସେଠାକୁ ଯିବାପାଇଁ ରାଜି ହୋଇନଥିଲେ। ବରଂ, ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେବେ ବୋଲି ଜଣାଇଥିଲେ। ପରେ ଘରେ ରହି ଔଷଧ ସେବନ କରୁଥିଲେ। କିନ୍ତୁ କରୋନା ହୋଇଥିବା ଜାଣିବା ପରେ ସେ ମାନସିକ ଚାପରେ ରହିଥିଲେ। ତାଙ୍କ ପାଖକୁ କେହି ଯାଉ ନ ଥିବାରୁ ସେ ଏକୁଟିଆ ଅନୁଭବ କରୁଥିଲେ। ଏପଟେ ସାମାଜିକ କଟକଣା ଯୋଗୁଁ ଗତକାଲିଠାରୁ ସେ ଏକପ୍ରକାର ଭାଙ୍ଗି ପଡ଼ିଥିଲେ। ତାଙ୍କ ପାଇଁ ଆଉ କିଏ କାହିଁକି ସଂକ୍ରମିତ ହେବେ ଭାବି ଶେଷକୁ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତିକୁ ଆପଣେଇ ନେଇଥିଲେ ଜଗବନ୍ଧୁ। ରାତିରୁ ସେ ଘରୁ କୁଆଡେ ଚାଲିଯାଇଥିଲାବେଳେ ସକାଳ ପ୍ରାୟ ସାଢ଼େ ୭ ଟାବେଳେ ଗାଁ ପାଖ କାଠପାଳ ଗ୍ରାମର ଅଣାଯୋର ନିକଟରେ ଏକ ଆମ୍ବଗଛରେ ତାଙ୍କ ମୃତଦେହ ଝୁଲୁଥିବା ଦେଖାଯାଇଥିଲା। ପରିବାର ଲୋଙ୍କଠାରୁ ଖବରପାଇ ପୁଲିସ ଶବ ଜବତ କରିବା ସହ ଏ ସଂପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇଛି।
ସେହିପରି ବସନ୍ତପୁର ଗାଁର ତ୍ରିଲୋଚନ ସ୍ୱାଇଁ(୩୧)ଙ୍କର ଆଜି ମୃତ୍ୟୁ ହୋଇଛି। ତାଳଚେର କୋଭିଡ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ଆଜି ଦିନ ପ୍ରାୟ ୧୧ ଟାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ପରିବାର ପକ୍ଷରୁ ଜଣାପଡ଼ିଛି। ଏହି ଘଟଣା ଅଞ୍ଚଳରେ ଶୋକ ଖେଳାଇଦେଇଛି।
The post କରୋନା ସଂକ୍ରମଣ ପରେ ବୃଦ୍ଧଙ୍କ ଆତ୍ମହତ୍ୟା, ସାମାଜିକ କଟକଣା ଯୋଗୁ ଭାଙ୍ଗିପଡ଼ିଥିଲେ first appeared on Sambad.from ରାଜ୍ୟ | Sambad https://ift.tt/3ekCKtY
0 Comments