ଉଚ୍ଚଶିକ୍ଷାରେ ସଫଳତା: ୬ ବର୍ଷରେ ‌ହେଲାଣି ୯ ବିଶ୍ବବିଦ୍ୟାଳୟ

ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ୧୭ତମ ସରକାରୀ ବିଶ୍ବବିଦ୍ୟାଳୟ
ଖଲ୍ଲିକୋଟ ଗବେଷଣାତ୍ମକ ବିଶ୍ବବିଦ୍ୟାଳୟ ସ୍ଥିତି ଅସ୍ପଷ୍ଟ

ଭୁବ‌ନେଶ୍ବର : ରାଜ୍ୟର କୋଣ ଅନୁକୋଣରେ ଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ନିକଟରେ ଗୁଣାତ୍ମକ ଉଚ୍ଚଶିକ୍ଷା ପହଞ୍ଚାଇବା ଲାଗି ରାଜ୍ୟ ସରକାର ବଡ଼ ପଦକ୍ଷେପ ହାତକୁ ନେଇଛନ୍ତି। ରାଜ୍ୟର ୧୭ତମ ସରକାରୀ ବିଶ୍ବବିଦ୍ୟାଳୟ ଭାବେ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିଶ୍ବବିଦ୍ୟାଳୟ ସମ୍ପର୍କରେ ଘୋଷଣା କରିବା ପରେ ରାଜ୍ୟ ଆଉ ଏକ ମାଇଲ୍‌ଖୁଣ୍ଟ ଛୁଇଁଛି। ଗତ ୬ ବର୍ଷ ମଧ୍ୟରେ ରାଜ୍ୟରେ ୯ଟି ସରକାରୀ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିଗରେ ସରକାର ପଦକ୍ଷେପ ନେଇଛନ୍ତି। ସେଥିମଧ୍ୟରୁ ୬ଟି ବିଶ୍ବବିଦ୍ୟାଳୟ ଏବେ ସୁଦ୍ଧା କାର୍ଯ୍ୟକ୍ଷମ ହୋଇସାରିଥିବା ବେଳେ ଗୋଟିଏ ନିର୍ମାଣାଧୀନ ରହିଛି। ଗତକାଲି ଘୋଷଣା ହୋଇଥିବା ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ କେବେଠାରୁ କାର୍ଯ୍ୟକ୍ଷମ ହେବ ତାହାକୁ ନେଇ ପ୍ରଶ୍ନ ଉଠିଛି।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ରାଜ୍ୟରେ ଏକକ ବିଶ୍ବବିଦ୍ୟାଳୟ ସଂଖ୍ୟା ୩ରେ ପହଞ୍ଚିବ। ପୂର୍ବରୁ ରେଭେନ୍ସା ଓ ଗଙ୍ଗାଧର ମେହେର ଏକକ ବିଶ୍ବବିଦ୍ୟାଳୟ ରହିଛି। ତେବେ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟକୁ ନେଇ ଏବେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ପୂର୍ବରୁ ୨୦୧୫ରେ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଯାହାକୁ ପରବର୍ତୀ ସମୟରେ ଗବେଷଣାତ୍ମକ ବିଶ୍ବବିଦ୍ୟାଳୟ ଭାବେ ଗଢ଼ି ତୋଳିବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିଲାା। ଏବେ କନିଷିଠାରେ ଏକ ଭଡ଼ା ଘରେ ଏହା ଚାଲିଛି। ଏବେ ପୁଣି ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ସଂଜ୍ଞା କ’ଣ ହେବ, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଗୋଟିଏ ନାଁରେ ଦୁଇଟି ବିଶ୍ବବିଦ୍ୟାଳୟ କିଭଳି ଚାଲିବ? ସେନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ସେହିଭଳି ଖଲ୍ଲିକୋଟ ଗବେଷଣାତ୍ମକ ବିଶ୍ବବିଦ୍ୟାଳୟ ସମ୍ପୂର୍ଣ୍ଣ ଭାବେ ଉଠିଯିବ ନା ଏହାର ନାମ ଓ ରୂପରେଖ ବଦଳିବ, ତାହାକୁ ନେଇ ବୁଦ୍ଧୀଜୀବୀ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

ଯଦି ଦେଖାଯାଏ, ୨୦୧୫ରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ୧୦ଟି ସରକାରୀ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ୨୦୦୫ରେ ରେଭେନ୍ସା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଏହାର ୧୦ ବର୍ଷ ପରେ ଅର୍ଥାତ୍‌ ୨୦୧୫ରେ ଏକାଥରେ ୪ଟି ବିଶ୍ବବିଦ୍ୟାଳୟ ଯଥା ‌ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ, ଖଲ୍ଲିକୋଟ କ୍ଲଷ୍ଟର ବିଶ୍ବବିଦ୍ୟାଳୟ ଓ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ପରବର୍ତୀ ସମୟରେ ଓଡ଼ିଆ ବିଶ୍ବବିଦ୍ୟାଳୟ ଲାଗି ପଦକ୍ଷେପ ନିଆଗଲା, ଯାହାର ନିର୍ମାଣ କାର୍ଯ୍ୟ ଏବେ ଜାରି ରହିଛି। ପଛକୁ ପଛ ବଲାଙ୍ଗୀରରେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ, କଳାହାଣ୍ଡି ବିଶ୍ବବିଦ୍ୟାଳୟ ଓ କଟକରେ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି। ଏହି ବିଶ୍ବବିଦ୍ୟାଳୟଗୁଡ଼ିକରେ ନାମଲେଖା ଆରମ୍ଭ ହୋଇଥିବା ବେଳେ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟରେ କେବେଠାରୁ ନାମଲେଖା ଆରମ୍ଭ ହେବ ଏବଂ ଉଚ୍ଚଶିକ୍ଷା ବିଭାଗ ଏନେଇ କେବେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବ, ତାହାକୁ ସମସ୍ତେ ଚାହିଁ ରହିଛନ୍ତି।

The post ଉଚ୍ଚଶିକ୍ଷାରେ ସଫଳତା: ୬ ବର୍ଷରେ ‌ହେଲାଣି ୯ ବିଶ୍ବବିଦ୍ୟାଳୟ first appeared on Sambad.

from ରାଜ୍ୟ | Sambad https://ift.tt/3b7SMW9

Post a Comment

0 Comments