ଦେଶରେ ବ୍ୟବହୃତ ରନ୍ଧନ ତୈଳରୁ ପ୍ରସ୍ତୁତ ପ୍ରଥମ ବାୟୋଡିଜେଲ୍ ଯୋଗାଣର ଶୁଭାରମ୍ଭ

ଭୁବନେଶ୍ୱର: ଦେଶର ତୈଳ ବିପଣନ କମ୍ପାନିମାନେ(ଓଏମ୍‌ସି) ବିକଳ୍ପ ଇନ୍ଧନ ପ୍ରସ୍ତୁତ କରି ଭାରତର ସ୍ୱଦେଶୀ କ୍ଷମତାକୁ ନିରନ୍ତର ସୁଦୃଢ଼ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ କଳ୍ପନାକୁ ପ୍ରୋତ୍ସାହନ ଦେଉଛନ୍ତି। ଆଜି ଇଣ୍ଡିଆନ ଅଏଲର ଦିଲ୍ଲୀ ଟିକରିକଲାନ ଟର୍ମିନାଲରୁ ବ୍ୟବହୃତ ରନ୍ଧନ ତୈଳ(ୟୁସିଓ)ରୁ ପ୍ରସ୍ତୁତ ବାୟୋ-ଡିଜେଲ ମିଶ୍ରିତ ପ୍ରଥମ ହାଇସ୍ପିଡ ଡିଜେଲ ଯୋଗାଣର ଶୁଭାରମ୍ଭ କରିବା ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ୨୦୧୯ରେ ବିଶ୍ୱ ଜୈବ ଇନ୍ଧନ ଦିବସ ଅବସରରେ ବ୍ୟବହୃତ ରନ୍ଧନ ତୈଳରୁ ଉତ୍ପାଦିତ ବାୟୋ-ଡିଜେଲର ସଂଗ୍ରହ ପାଇଁ ଇଓଆଇ(ଏକ୍ସପ୍ରେସନ ଅଫ୍ ଇଣ୍ଟ୍ରେଷ୍ଟ) ଯୋଜନା ଆରମ୍ଭ କରାଯାଇଥିଲା। ଏ ଦିଗରେ ଆଜି ବାୟୋ ଡିଜେଲ ମିଶ୍ରିତ ହାଇସ୍ପିଡ ଡିଜେଲ ଯୋଗାଣର ଶୁଭାରମ୍ଭ ଭାରତର ଜୈବ ଇନ୍ଧନ କ୍ଷେତ୍ରରେ ଏକ ଭଲ ପଦକ୍ଷେପ। ସ୍ୱଦେଶୀ ବାୟୋ-ଡିଜେଲ ଯୋଗାଣ ଦ୍ବାରା ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ପାଇବା ସହ ଗ୍ରାମାଞ୍ଚଳରେ ନିଯୁକ୍ତି ସୃଷ୍ଟି ହେବ। ଏହା ଫଳରେ ଦେଶରେ ଆର୍ଥିକ ଅଭିବୃଦ୍ଧି ହେବ। ବିକଳ୍ପ ଉର୍ଜାର ଅନ୍ୱେଷଣ ପାଇଁ ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ ପ୍ରୋତ୍ସାହନ ଦିଆଯାଉଥିବା ୭ଟି ସବୁଜ ଇନ୍ଧନ ପଦକ୍ଷେପ ମଧ୍ୟରୁ ଜୈବ ଇନ୍ଧନ ଅନ୍ୟତମ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ କରୋନା ମହାମାରୀର କଠିନ ସମୟରେ ମଧ୍ୟ ନିରନ୍ତର ଇନ୍ଧନ ଉପଲବ୍ଧି ଦିଗରେ ତୈଳ କମ୍ପାନିଗୁଡ଼ିକର କାର୍ଯ୍ୟ ପ୍ରଶଂସନୀୟ। ତୈଳ କମ୍ପାନିମାନେ ଜୈବ ଇନ୍ଧନରେ ନୂଆ ମାଇଲଖୁଣ୍ଟ ହାସଲ କରିବା ସହ ବିକଳ୍ପ ଇନ୍ଧନ ଦିଗରେ ଭାରତର ସ୍ୱଦେଶୀ କ୍ଷମତାକୁ ନିରନ୍ତର ସୁଦୃଢ଼ କରୁଛନ୍ତି। ତୈଳ ଓ ଗ୍ୟାସ କମ୍ପାନିମାନେ ଦେଶର ପ୍ରଗତି ପାଇଁ କାମ କରିବା ସଙ୍ଗେ ସଙ୍ଗେ ହସ୍ପିଟାଲ ଏବଂ ରାଜ୍ୟରେ କ୍ୟାପଟିଭ୍ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରି ଭାରତର କୋଭିଡ୍‌-୧୯ ମୁକାବିଲାକୁ ମଜବୁତ୍ କରିବା ପାଇଁ ଦିନରାତି କାମ କରୁଛନ୍ତି। ଘରେ ଘରେ ଇନ୍ଧନ ଯୋଗାଉଥିବା କୋଭିଡ୍‌ ଯୋଦ୍ଧାଙ୍କୁ ମହାମାରୀରୁ ସତର୍କ ରହିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।

The post ଦେଶରେ ବ୍ୟବହୃତ ରନ୍ଧନ ତୈଳରୁ ପ୍ରସ୍ତୁତ ପ୍ରଥମ ବାୟୋଡିଜେଲ୍ ଯୋଗାଣର ଶୁଭାରମ୍ଭ first appeared on Sambad.

from ରାଜ୍ୟ | Sambad https://ift.tt/3xLvHlQ

Post a Comment

0 Comments