
କଳାବଜାରରେ ଦୁଇଗୁଣା ଦାମ୍ରେ ବିକ୍ରି ହେଉଛି ସିଲିଣ୍ଡର
ବିନା ଆବଶ୍ୟକତାରେ ଘରେ ମହଜୁଦ ରଖୁଛନ୍ତି ଲୋକ
ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମଣ ଭୟଙ୍କର ସ୍ଥିତିରେ ଥିବାବେଳେ ଅକ୍ସିଜେନ୍ ଅଭାବରୁ ଅନେକ ଗୁରୁତର ରୋଗୀଙ୍କ ଜୀବନ ଚାଲିଯାଉଛି। ଦିଲ୍ଲୀ, ମୁମ୍ବାଇ ଓ ବାଙ୍ଗାଲୋର ଭଳି ବଡ଼ ବଡ଼ ସହରର ହସ୍ପିଟାଲଗୁଡ଼ିକରେ ଏବେ ବି ଆବଶ୍ୟକ ଅକ୍ସିଜେନ୍ ଉପଲବ୍ଧ ହେଉନାହିଁ। ଏଭଳି ସଂକଟ ବେଳେ ଓଡ଼ିଶା ଏହିସବୁ ରାଜ୍ୟକୁ ଅକ୍ସିଜେନ୍ ଯୋଗାଇବାକୁ ଅଣ୍ଟା ଭିଡ଼ିଛି। ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍ ମହଜୁଦ ଥିଲେ ମଧ୍ୟ କରୋନା ସଂକ୍ରମଣ ଶୀର୍ଷରେ ଥିବା ରାଜଧାନୀ ଭୁବନେଶ୍ବର ଓ ରାଉରକେଲା ଭଳି କିଛି ସହରରେ ଅକ୍ସିଜେନ୍ ସିଲିଣ୍ଡରର କୃତ୍ରିମ ଅଭାବ ସୃଷ୍ଟି କରାଯାଉଥିବାର ଖବର ମିଳିଛି।
ଗତ କିଛିଦିନ ହେଲା ଓଡ଼ିଶାରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ରାଜଧାନୀରେ ସରକାରୀ ପରିଚାଳିତ କୋଭିଡ୍ ହସ୍ପିଟାଲ ଓ ଘରୋଇ ହସ୍ପିଟାଲଗୁଡ଼ିକରେ ଆଇସିୟୁ ଶଯ୍ୟା ଏବଂ ଭେଣ୍ଟିଲେଟରର ଅଭାବ ଦେଖା ଦେଲାଣି। ମାତ୍ର ଡାକ୍ତରଖାନାଗୁଡ଼ିକରେ ଏଯାଏ ଅକ୍ସିଜେନ୍ ସଂକଟ ଦେଖାଦେଇନାହିଁ। କିନ୍ତୁ ଆଗକୁ କାଳେ ଅକ୍ସିଜେନ୍ ନ ମିଳିବ ଆଶଙ୍କା କରି କିଛି ଲୋକ ବଜାରରୁ ଅମ୍ଳଜାନ ସିଲିଣ୍ଡର କିଣିବା ଆରମ୍ଭ କରି ଦେଇଛନ୍ତି। ଆବଶ୍ୟକତା ନ ଥିଲେ ମଧ୍ୟ ଲୋକେ ଭୟଭୀତ ହୋଇ ଉଚ୍ଚ ଦାମରେ ସିଲିଣ୍ଡର କିଣି ନେଇ ଘରେ ସାଇତି ରଖୁଥିବାରୁ ଏଭଳି ସ୍ଥିତି ଉପୁଜିଛି। ଏହାର ଫାଇଦା ଉଠାଇ ଅକ୍ସିଜେନ୍ ଯୋଗାଉଥିବା ଏଜେନ୍ସି, ଔଷଧ ଦୋକାନୀ, ଜରୁରୀ ସେବା ସାମଗ୍ରୀ ଯୋଗାଉଥିବା କମ୍ପାନିଗୁଡ଼ିକ ବଜାରରେ ଏହି ଗ୍ୟାସ୍ ସିଲିଣ୍ଡରର କୃତ୍ରିମ ଅଭାବ ସୃଷ୍ଟି କରିଛନ୍ତି। ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଡାଲି, ଚାଉଳ, ପରିବା, ତେଲଦର ଯେମିତି ବୃଦ୍ଧି ପାଏ, ସେମିତି ଏବେ ଲାଭଖୋର୍ ବ୍ୟବସାୟୀମାନେ ଏହି ଗ୍ୟାସ୍ ସିଲିଣ୍ଡରକୁ ମନଇଚ୍ଛା ଦରରେ ବଜାରରେ ବିକ୍ରି କରୁଛନ୍ତି।
ସୂଚନାନୁସାରେ ରାଜଧାନୀରେ ଏବେ ଅକ୍ସିଜେନ୍ ସିଲିଣ୍ଡର ଏବେ ନିର୍ଦ୍ଧାରିତ ଦରଠାରୁ ପ୍ରାୟ ୨ ଗୁଣ ଅଧିକ ଦରରେ ବିକ୍ରି ହେଉଛି। ୮ମାସ ତଳେ ୧୦.୨ ଲିଟର ବିଶିଷ୍ଟ ସାଧରଣ ସିଲିଣ୍ଡରର ମୂଲ୍ୟ ମାତ୍ର ୮୦୦୦ ଟଙ୍କା ଥିଲା; ବର୍ତ୍ତମାନ ଏହାର ମୂଲ୍ୟ ୧୩ରୁ ୧୬ ହଜାର ଟଙ୍କାରେ ପହଞ୍ଚିଲାଣି। ସେହିଭଳି ଏହି ସିଲିଣ୍ଡରରେ ଲାଗୁଥିବା ନୋଜଲ୍ ଭଳି ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ବା ଉପକରଣ ପୂର୍ବରୁ ୬୦୦ରୁ ୮୦୦ ଟଙ୍କାରେ ମିଳୁଥିଲା। ତାହା ବର୍ତ୍ତମାନ ୨ରୁ ୩ ହଜାର ଟଙ୍କାରେ ବିକ୍ରି ହେଉଛି। ଦାମ୍ ଯେତେ ଅଧିକ ହେଲେ ବି ଧନୀକ ଶ୍ରେଣୀର ଲୋକମାନେ ଆବଶ୍ୟକତାଠାରୁ ଢେର୍ ଅଧିକ ମାତ୍ରାରେ ସିଲିଣ୍ଡର ନେଇ ନିଜ ଘରେ ମହଜୁଦ ରଖୁଛନ୍ତି। ଜଣେ ଜଣେ ବ୍ୟକ୍ତି ନିଜ ଘରେ ୫/୬ଟି ଲେଖାଏଁ ସିଲିଣ୍ଡର କିଣି ନେଉଥିବା ଦେଖାଯାଉଛି। ଏହା ଫଳରେ ଆଗକୁ ହସ୍ପିଟାଲ ଓ ଅନ୍ୟାନ୍ୟ ସେବା ଯୋଗାଣକାରୀ ସଂସ୍ଥାମାନେ ଅମ୍ଳଜାନ ସିଲିଣ୍ଡର ପାଇବା ନେଇ ସମସ୍ୟା ସୃଷ୍ଟି ହେବାକୁ ଯାଉଛି ।ଏହି କୃତ୍ରିମ ଅଭାବ ଯୋଗୁଁ ବହୁ ଅମୂଲ୍ୟ ଜୀବନ ଅକାଳରେ ଝଡ଼ିଯିବାର ଆଶଙ୍କା ସୃଷ୍ଟି ହୋଇଛି। ଏହାଦ୍ବାରା ରାଜଧାନୀର ଛୋଟ ଛୋଟ ନର୍ସିଂହୋମ୍ ଓ ଡାକ୍ତରଖାନା ପ୍ରଭାବିତ ହେଉଛନ୍ତି। ଅଧିକ ଦର ନଦେଲେ କିଛି ଏଜେନ୍ସି ଓ ଦୋକାନୀମାନେ ସିଲିଣ୍ଡର ଦେଉନାହାନ୍ତି। ଚଢ଼ା ଦର ବା କଳାବଜାର କରୁଥିବାରୁ ସେମାନେ ବିନା ବିଲ୍ରେ ସିଲିଣ୍ଡର ବିକ୍ରି କରୁଛନ୍ତି।
ତେବେ ଗୋଟିଏ ପଟେ ଅସାଧୁ ବ୍ୟବସାୟୀ ଓ ଆତ୍ମକୈନ୍ଦ୍ରୀକ ବ୍ୟକ୍ତି ଅକ୍ସିଜେନ୍ ସିଲିଣ୍ଡରର କୃତ୍ରିମ ଅଭାବ ସୃଷ୍ଟି କରୁଥିବା ବେଳେ ଅନ୍ୟପଟେ କିଛି ସମାଜମନସ୍କ ପରୋପକାରୀ ବ୍ୟକ୍ତି ତଥା ସାମାଜିକ ଅନୁଷ୍ଠାନ ଛୋଟ ଛୋଟ ଡାକ୍ତରଖାନା ଓ ଗୁରୁତର କରୋନା ରୋଗୀଙ୍କୁ ମାଗଣା ଅକ୍ସିଜେନ୍ ସିଲିଣ୍ଡର ଯୋଗାଇ ଦେଉଛନ୍ତି। କିନ୍ତୁ ବଜାରରେ ସିଲିଣ୍ଡରର କୃତ୍ରିମ ଅଭାବ ଓ ଚଢ଼ାଦର ଯୋଗୁଁ ରାଜଧାନୀର ବହୁ ନର୍ସିଂହୋମ୍ ଓ କୋଭିଡ୍ ରୋଗୀଙ୍କୁ ଅକ୍ସିଜେନ୍ ଯୋଗାଇବାକୁ ଅଣ୍ଟା ଭିଡ଼ିଥିବା ସାମାଜିକ ଅନୁଷ୍ଠାନମାନେ ସିଲିଣ୍ଡର ନପାଇ ହାତବାନ୍ଧି ବସୁଛନ୍ତି। ଏହାଦ୍ବାରା ରୋଗୀ ସେବା ବାଧାପ୍ରାପ୍ତ ହେଉଛି।
The post ରାଜଧାନୀରେ ଅକ୍ସିଜେନ୍ର କୃତ୍ରିମ ଅଭାବ first appeared on Sambad.୨୪ ଘଣ୍ଟାକୁ ସିଲିଣ୍ଡର ଭଡ଼ା ହଜାରେ ଟଙ୍କା
ଏବେ ରାଜଧାନୀରେ ଭଡ଼ାରେ ମଧ୍ୟ ମିଳୁଛି ଅକ୍ସିଜେନ୍ ସିଲିଣ୍ଡର୍। ଭଡ଼ା ବି କିଛି କମ୍ ନୁହେଁ। ୧୦.୦୨ ଲିଟର୍ ବିଶିଷ୍ଟ ସିଲିଣ୍ଡରକୁ ୨୪ଘଣ୍ଟା ପାଇଁ ଭଡ଼ା ନେଲେ ଏକ ହଜାର ଟଙ୍କା ଦେବାକୁ ପଡ଼ୁଛି। ସିଲିଣ୍ଡର୍ କାମରେ ଲାଗୁ କି ନ ଲାଗୁ, ଭଡ଼ା ନେଇଥିବା ବ୍ୟକ୍ତି ସମୟ ଅନୁସାରେ ପଇସା ଗଣିବାକୁ ପଡ଼ୁଛି। ଏଭଳି ଅସମୟରେ ଲୋକେ ଜୀବନ ବଞ୍ଚାଇବାକୁ କେତେ ପ୍ରକାରର ସହାୟତାର ହାତ ବଢ଼ାଉଥିବା ବେଳେ ଏହି କଳାବଜାରୀମାନେ ଜୀବନକୁ ସଉଦା କରୁଛନ୍ତି। ରାଜଧାନୀରେ ଅକ୍ସିଜେନ୍ ସିଲିଣ୍ଡର ଭଳି ଅତି ଅତ୍ୟାବଶ୍ୟକ ସାମଗ୍ରୀକୁ ନେଇ ରାଜଧାନୀର ସ୍ଥିତି ଯଦି ଏବେଠୁ ଏମିତି ହେଲାଣି, ତେବେ ଉପାନ୍ତ ଅଞ୍ଚଳର ସ୍ଥିତି କ’ଣ ଥିବ, ତାହା ସହଜରେ ଅନୁମେୟ। ଏପରି ସ୍ଥିତିରେ ଔଷଧ ନିର୍ଦ୍ଦେଶାଳୟ ଓ ସ୍ବାସ୍ଥ୍ୟ ବିଭାଗ କରୁଛି କ’ଣ ବୋଲି ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଛି।
from ରାଜ୍ୟ | Sambad https://ift.tt/3utabjB
0 Comments