ରାଜ୍ୟରେ କ‌ରୋନା ମୃତ୍ୟୁ ରହସ୍ୟମୟ

ଭୁବନେଶ୍ବର : ଗତବର୍ଷ ରାଜ୍ୟରେ ଯେତେବେଳେ କରୋନା ସଂକ୍ରମଣ ଶୀର୍ଷରେ ରହିଥିଲା, ସେ ସମୟରେ ଦୈନିକ ହାରାହାରି ୧୪/୧୬ଜଣଙ୍କ କରୋନା ମୃତ୍ୟୁ ସଂପର୍କରେ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଉଥିଲା। ମାତ୍ର ଅକ୍ଟୋବର ଓ ନଭେମ୍ବରରେ ଦୈନିକ ସଂକ୍ରମଣ ହଜାର ତଳକୁ ହ୍ରାସ ପାଇଥିବା ବେଳେ ମଧ୍ୟ ଏହି ଧାରା ବଜାୟ ରହିଥିଲା। ଯାହାକି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଅଧିକ ସଂକ୍ରମଣରେ ଯେତିକି ମୃତ୍ୟୁ, କମ୍ ସଂକ୍ରମଣ ସମୟରେ ମଧ୍ୟ ସମାନ ମୃତ୍ୟୁ କିପରି? ଠିକ୍ ସମାନ ବ୍ୟବସ୍ଥା ଦେଖିବାକୁ ମିଳିଛି ଦ୍ବିତୀୟ ଲହରରେ। ରାଜଧାନୀଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ଶ୍ମଶାନରେ ଦୈନିକ ଯେତିକି ସଂଖ୍ୟକ କୋଭିଡ୍‌ ମୃତ୍ୟୁକଙ୍କ ଶବଦାହ କରାଯାଉଛି, ତା’ଠାରୁ ଢେର କମ୍ ସଂଖ୍ୟକ ମୃତ୍ୟୁ ସ୍ବାସ୍ଥ୍ୟ ବିଭାଗ ଦୈନିକ ଦର୍ଶାଉଛି। ତେଣୁ ସ୍ବାସ୍ଥ୍ୟ ବିଭାଗ ରିଅଲ ଟାଇମ୍ ଡାଟା କେବେ ଦର୍ଶାଇବ ତାହା ପୁଣିଥରେ ଚର୍ଚାର ବିଷୟ ପାଲଟିଛି।

ପ୍ରଥମ ଲହର ସମୟରେ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ଯୁକ୍ତି ବାଢ଼ିଥିଲେ, ସବୁ ମୃତ୍ୟୁ କୋଭିଡ୍‌ ମୃତ୍ୟୁ ନୁହେଁ। ହସ୍ପିଟାଲରେ ଅନ୍ୟ ଗୁରୁତର ରୋଗ ପାଇଁ ଚିକିତ୍ସିତ ହେଉଥିବା ବ୍ୟକ୍ତି ଯଦି କରୋନା ପଜିଟିଭ୍ ହୁଅନ୍ତି ଓ ତାଙ୍କର ମୃତ୍ୟୁ ହୁଏ ତା’ହେଲେ ଏହାକୁ କିଭଳି କରୋନା ଜନିତ ମୃତ୍ୟୁ ବୋଲି ବିଚାର କରାଯିବ। ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏସବୁ ମୃତ୍ୟୁର ଅଡିଟ କରାଯାଉଛି। ଯଦି ଜଣେ ବ୍ୟକ୍ତି କୋଭିଡ୍‌ରେ ପ୍ରାଣ ହରାଇଥିବା ନେଇ ହୃଦୟଙ୍ଗମ ହୁଏ ତା’ହେଲେ କୋଭିଡ୍‌ ମୃତ୍ୟୁ ବୋଲି ବିଚେଚନା କରାଯିବ। ନଚେତ୍ ଏହା ଅଣ କୋଭିଡ୍‌ରେ ରହିବ। ଗତବର୍ଷ ଏହି ଅଣ କୋଭିଡ୍‌ ମୃତ୍ୟୁ ସଂଖ୍ୟା ୫୩ ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦର୍ଶାଯାଇଥିଲା। ଯାହାକୁ ନେଇ ବିଶେଷଜ୍ଞମାନେ ତୀବ୍ର ସମାଲୋଚନା କରିଥିଲେ। ତା’ପରେ କ’ଣ ହେଲା କେଜାଣି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରହସ୍ୟମୟ ଭାବେ ଅଣ କୋଭିଡ୍‌ ମୃତ୍ୟୁର ତଥ୍ୟ ବନ୍ଦ କରି ଦିଆଯାଇଥିଲା। ହେଲେ ପ୍ରକୃତରେ ସବୁ ମୃତ୍ୟୁକୁ କୋଭିଡ୍‌ ମୃତ୍ୟୁ ବୋଲି ଦର୍ଶାଯାଉଛି କି ପୂର୍ବଭଳି ଅଣ କୋଭିଡ୍‌ ମୃତ୍ୟୁକୁ ଆଉ ନ ଦର୍ଶାଇ ଚାପି ଦିଆଯାଉଛି ତାହାକୁ ନେଇ ମଧ୍ୟ ଅନେକ ସନ୍ଦେହ ରହିଛି। ମୋଟାମୋଟି ଭାବେ ରାଜ୍ୟର କୋଭିଡ୍‌ ଜନିତ ମୃତ୍ୟୁ ରହସ୍ୟ ଘେରରେ ରହିଥିବା କୁହାଯାଉଛି।
ରାଜ୍ୟରେ ଦ୍ବିତୀୟ ଲହରରେ ଗତବର୍ଷଠାରୁ ମଧ୍ୟ ଅଧିକ ସଂକ୍ରମଣ ରହିଛି। କେବଳ ସଂକ୍ରମଣ ନୁହେଁ, ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି। ଗତ ଦୁଇଦିନ ତଳେ ରାଜଧାନୀର ସତ୍ୟନଗର ଶ୍ମଶାନରେ ୫୦ରୁ ଅଧିକ କୋଭିଡ୍‌ ରୋଗୀଙ୍କ ଶବଦାହ କରାଯାଇଥିଲା। ଏହାଛଡ଼ା ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଶବଦାହ କରାଯାଉଥିବାରୁ ଏହି ସଂଖ୍ୟା କେତେ ଅଧିକ ତାହା ଜଣେ ଅନୁମାନ କରିପାରିବ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତମାସରେ ସମ୍ବଲପୁରରେ ୧୯୧ କୋଭିଡ୍‌ ରୋଗୀଙ୍କ ମୃତ୍ୟୁ ହୋଇଛି। ଚଳତିମାସରେ ଏ ପର୍ଯ୍ୟନ୍ତ ୩୫ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ସେହିପରି ବାଲେଶ୍ବରରେ ୧୪ରୁ ଅଧିକ ରୋଗୀ ପ୍ରାଣ ହରାଇଛନ୍ତି। ହେଲେ ସରକାରୀ ତଥ୍ୟରେ ତାହା ଏ ପର୍ଯ୍ୟନ୍ତ ସାମିଲ ହୋଇପାରି ନାହିଁ। କେଉଁଠି ନା କେଉଁଠି ରହସ୍ୟମୟ ଭାବେ କୋଭିଡ୍‌ ମୃତ୍ୟୁ ସଂଖ୍ୟା ଚାପି ହୋଇଯାଉଛି। ବରିଷ୍ଠ ଚିକିତ୍ସକ ଡା. ତ୍ରିଭୁବନ ମହାପାତ୍ର କହିଛନ୍ତି, ରାଜ୍ୟ ସରକାର କେବଳ କୋଭିଡ୍‌ ହସ୍ପିଟାଲରେ ଯେତିକି ସଂକ୍ରମିତ ପ୍ରାଣ ହରାଉଛନ୍ତି ତାହାର ମୃତ୍ୟୁ ସଂପର୍କରେ ତଥ୍ୟ ପ୍ରଦାନ କରୁଛନ୍ତି। ଏହାଛଡ଼ା ଅନେକ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଓ ‌ଗୃହ ପୃଥକବାସରେ ରହିବା ସମୟରେ ମଧ୍ୟ ପ୍ରାଣ ହରାଉଛନ୍ତି। ତେଣୁ ପ୍ରକୃତରେ ରାଜ୍ୟରେ କୋଭିଡ ଯୋଗୁଁ ଯେତିକି ମୃତ୍ୟୁ ହେଉଛି ତାହା ସରକାରୀ ତଥ୍ୟରେ ସାମିଲ ହୋଇପାରୁ ନାହିଁ ବୋଲି ଡା.ମହାପାତ୍ର କହିଛନ୍ତି।

ବରିଷ୍ଠ ଚିକିତ୍ସକ ଡା. ନିରଜ ମିଶ୍ରଙ୍କ କହିବା କଥା, ଗତବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ବିଳମ୍ବରେ ମୃତ୍ୟୁ ସଂପର୍କରେ ସୂଚନା ଦିଆଯାଉଥିବା ନଜରକୁ ଆସିଥିଲା। ହୁଏତ ଲୋକମାନେ ଏତେ ସଂଖ୍ୟକ ମୃତ୍ୟୁ ସଂପର୍କରେ ଶୁଣି ଭୟଭୀତ ହୋଇପଡ଼ିବେ ଓ ରାଜ୍ୟ ସରକାର ମଧ୍ୟ ଦେଶରେ ନିଜର ଛବିକୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ଏଭଳି ମୃତ୍ୟୁ ଦେଖାଇପାରନ୍ତି ବୋଲି ଡା. ମିଶ୍ର କହିଛନ୍ତି। ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ମତରେ, ଜିଲ୍ଲାସ୍ତରରେ କୋଭିଡ୍‌ ମୃତ୍ୟୁର ଅଡିଟ ପାଇଁ କମିଟି ଗଠନ କରାଯାଇଛି। କମିଟି ଯେତିକି ସଂଖ୍ୟ ମୃତ୍ୟୁ ସଂପର୍କରେ ବିଭାଗକୁ ସୂଚନା ଦେଉଛନ୍ତି ସେହି ଅନୁଯାୟୀ ତଥ୍ୟ ଦିଆଯାଉଛି। ଯାହାଫଳରେ ରିଅଲ ଟାଇମ୍‌ ଡାଟାକୁ ନେଇ ବ୍ୟବଧାନ ରହୁଛି। ହେଲେ ପରବର୍ତୀ ସମୟରେ ଏସବୁ ମୃତ୍ୟୁ ହିସାବକୁ ଆସିବ। ତେଣୁ ଏପ୍ରିଲ ମାସର ମୃତ୍ୟୁ ଚଳିତମାସ ୧୫/୨୦ତାରିଖ ବେଳକୁ ହିସାବକୁ ଆସିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

The post ରାଜ୍ୟରେ କ‌ରୋନା ମୃତ୍ୟୁ ରହସ୍ୟମୟ first appeared on Sambad.

from ରାଜ୍ୟ | Sambad https://ift.tt/3fc9O6T

Post a Comment

0 Comments