
ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଜିଲ୍ଲାରେ ବର୍ତ୍ତମାନ ଗାଁ ଗାଁରେ ଜ୍ବର, ଥଣ୍ଡା, କାଶରେ ଲୋକେ ଆକ୍ରାନ୍ତ ଥିବା ଜଣାପଡ଼ିଛି। କିଛି ଲୋକଙ୍କୁ ଦିନ ଜ୍ବର ହୋଇ ଦେହ ଖରାପ ହେବା ପରେ ହାଠତ୍ ଜୀବନ ଚାଲିଯାଉଥିବା ମଧ୍ୟ ଦେଖିବାକୁ ମିଳିଛି। ବିଶେଷ କରି ଛତିଶଗଡ଼ ସୀମାବର୍ତ୍ତୀ ଅଞ୍ଚଳରେ ଏଭଳି ସ୍ଥିତି ଦେଖିବାକୁ ମିଳୁଛି। ଜିଲ୍ଲାର ସୀମାନ୍ତ ଗାଁ ଲୋକମାନେ ଗମନାଗମନର ସୁବିଧା ନଥିବାରୁ କେବଳ କ୍ବାକ୍ ଭରସାରେ ରହି ସ୍ଥାନୀୟ ଡାକ୍ତରଖାନାକୁ ଆସୁନଥିବା ଜଣାପଡ଼ିଛି।
ନୂଆପଡ଼ା ଜିଲ୍ଲାରେ କିଛିଦିନ ହେଲା ବିଭିନ୍ନ ଗାଁରେ ଜ୍ବର ହୋଇ ୫ରୁ ଅଧିକ ଲୋକଙ୍କ ଜୀବନ ଚାଲିଯାଇଥିବା ସୂଚନା ମିଳିଛି। ସେହିପରି ଗୋଟିଏ ଗାଁରେ ଦୁଇମାସ ମଧ୍ୟରେ ୧୧ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏହାକୁ ଦେଖି ଲୋକମାନେ କରୋନା ଗୋଷ୍ଠୀ ସଂକ୍ରମଣ ହୋଇଥିବା ସନ୍ଦେହ କରୁଛନ୍ତି। ଆଉ କେହିକେହି ଅଜଣା ରୋଗ ବୋଲି କହୁଛନ୍ତି। କିଛିଦିନ ତଳେ କୋମନା ବ୍ଲକ୍ ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ଥିବା ଛଇମୁଣ୍ଡି ଗ୍ରାମର ଭଗବାନ ବର୍ଗେ କାଶ, ଥଣ୍ଡା ଓ ଜ୍ବରରେ ଆକ୍ରାନ୍ତ ହୋଇଥିଲେ। ଗତ ୩୦ ତାରିଖ ଦିନ ତାଙ୍କ ମୃତ୍ୟୁ ହୋଇଥିବା ଗାଁ ଲୋକ ପ୍ରକାଶ କରିଛନ୍ତି। ଗାଁର ଅନ୍ୟ କିଛି ଲୋକଙ୍କୁ ମଧ୍ୟ କାଶ, ଥଣ୍ଡା, ଜ୍ବର ହେଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ସେହିପରି ନୂଆପଡ଼ା ବ୍ଲକ୍ ସୀମାନ୍ତ ଚୁଲାଭାଟ ଗ୍ରାମର ଲକ ବରିହା(୪୫ବର୍ଷ) ଗତ କିଛିଦିନ ହେଲା ଜ୍ବରରେ ଆକ୍ରାନ୍ତ ହୋଇ କ୍ବାକ୍ ଦ୍ବାରା ଚିକିତ୍ସିତ ହେଉଥିଲେ। ହେଲେ ୨୯ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିଲା। ପଣ୍ଡରୀପାଣି ଗ୍ରାମର ମଧ୍ୟ ୨ ଜଣ ବୟସ୍କ ବ୍ୟକ୍ତି ଜ୍ବରରେ ପ୍ରାଣ ହରାଇଥିବା ଜଣାପଡ଼ିଛି।
ଜିଲ୍ଲାର ଅଧିକାଂଶ ଗାଁରେ ଲୋକେ କ୍ବାକ୍ ଭରସାରେ ରହୁଛନ୍ତି। କ୍ବାକ୍ ଦେଇଥିବା ଔଷଧ ଖାଇ କିଛିଦିନ ଭଲ ହେବା ପରେ ପୁଣି ଜ୍ବର ଆରମ୍ଭ ହେଉଛି। ଶେଷରେ ଜୀବନ ଚାଲିଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି। ବର୍ତ୍ତମାନ ଗ୍ରାମବାସୀ ଭୟଭୀତ ରହିଛନ୍ତି। ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ୍ ଯାଇ ଏମାନଙ୍କ ପରୀକ୍ଷା କରିବା ଜରୁରି ହୋଇପଡ଼ିଛି। ଯଦି ଏହା କରୋନା ସଂକ୍ରମଣ ହୋଇଥାଏ ତାହେଲେ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ ହେବା ଆଶଙ୍କା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଏ ଦିଗରେ ପ୍ରଶାସନ ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ଦାବି ହେଉଛି।
The post ନୂଆପଡା: ଗାଁ ଗାଁରେ ଜ୍ୱର, ଚାଲିଯାଉଛି ମୂଲ୍ୟବାନ ଜୀବନ first appeared on Sambad.from ରାଜ୍ୟ | Sambad https://ift.tt/335OKZU
0 Comments