ଦୀନବନ୍ଧୁ ମିଶ୍ରଙ୍କ ଆତ୍ମଦାହ ମାମଲା : କୁଳପତି, ୱାର୍ଡେନ୍ ଓ ପିଇଓଙ୍କୁ ଅନ୍ତରୀଣ ସୁରକ୍ଷା

କଟକ : ସମ୍ବଲପୁର ବିଶ୍ବବିଦ୍ୟାଳୟ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମଦାହ ଘଟଣାକୁ ନେଇ ବୁର୍ଲା ଥାନାରେ ରୁଜୁ ମାମଲାରେ କୁଳପତି ପ୍ର‌‌‌ଫେସର ଡକ୍ଟର ସଂଜୀବ ମିତ୍ତଲ, ୱାର୍ଡେନ ପ୍ରଫେସର ବିଶ୍ବଜିତ ଶତପଥୀ ଓ ପିଇଓ ଅଭିଷେକ କରଙ୍କୁ ହାଇକୋର୍ଟ ତିନି ସପ୍ତାହ ପାଇଁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି।

ଆଗୁଆ ଜାମିନ ପାଇଁ ଦୌରା ଅଦାଲତରେ ଆବେଦନ ଦାୟର କରିବା ପାଇଁ ଆବେଦନକାରୀଙ୍କୁ ଏପରି ଅନ୍ତରୀଣ ସୁରକ୍ଷା ପ୍ରଦାନ କରାଯାଇଛି। ତିନି ସପ୍ତାହର ଅନ୍ତରୀଣ ସୁରକ୍ଷା ଅବଧି‌ ଶେଷ ହେବା ପୂର୍ବରୁ ଯଥା ଶୀଘ୍ର ଦୌରା ଅଦାଲତ ଏହି ମାମଲା ଶୁଣାଣି କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ କୁଳପତି ଡକ୍ଟର ମିତ୍ତଲ, ୱାର୍ଡେନ ପ୍ରଫେସର ଶତପଥୀ ଓ ପିଇଓ ଶ୍ରୀ କରଙ୍କ ପୃଥକ ଆଗୁଆ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମିଟୁ ଦାସ ବନାମ ଓଡ଼ିଶା ସରକାର ମାମଲାରେ ଏପ୍ରିଲ ୨୬ରେ ପ୍ରଦାନ କରାଯାଇଥିବା ରାୟ ଅନୁସାରେ ଉପରୋକ୍ତ ନିର୍ଦ୍ଦେଶ ହାଇକୋର୍ଟ ଦେଇଛନ୍ତି ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ମିଟୁ ଦାସ ମାମଲାର ହାଇକୋର୍ଟ ଶୁଣାଣି କରି ପ୍ରଥମେ ଦୌରା ଅଦାଲତରେ ଆଗୁଆ ଜାମିନ ପାଇଁ ଆବେଦନକାରୀ ଦ୍ବାରସ୍ଥ ହେବେ ଓ ପରବର୍ତ୍ତୀ ସମୟରେ ଆବଶ୍ୟକ ସ୍ଥଳେ ଦୌରା ଅଦାଲତ ରାୟ ବିରୋଧରେ ହାଇକୋର୍ଟରେ ଆବେଦନ କରିପାରିବେ ବୋଲି କହିଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ଗତ ୨୦ ତାରିଖ ଦିନ ସମ୍ବଲପୁର ବିଶ୍ବବିଦ୍ୟାଳୟ କର୍ମଚାରୀ ଦୀନବନ୍ଧୁ ମିଶ୍ର କୁଳପତିଙ୍କ ପ୍ରକୋଷ୍ଠ ସମ୍ମୁଖରେ ଆତ୍ମଦାହ କରିଥିଲେ। ପୁଲିସ ଅଧିକାରୀଙ୍କ କହିବା ଅନୁସାରେ, ଜମାନବନ୍ଦୀରେ ବି ଦୀନବନ୍ଧୁ ତାଙ୍କ ମୃତ୍ୟୁ ପାଇଁ କୁଳପତିଙ୍କୁ ଦାୟୀ କରିଥିଲେ। ଗତ ୨୧ ତାରିଖ ଦିନ ଦୀନବନ୍ଧୁଙ୍କ ପୁଅ ଅଭିଷେକଙ୍କ ଏତଲାକ୍ରମେ ଆଇପିସି ଦଫା ୩୦୬, ୩୪ରେ ବୁର୍ଲା ଥାନା ଏ ନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହାପରେ ସମ୍ଭାବ୍ୟ ଗିରଫଦାରୀ ଏଡାଇବା ପାଇଁ କୁଳପତି, ୱାର୍ଡେନ୍ ଓ ପିଇଓ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ।

The post ଦୀନବନ୍ଧୁ ମିଶ୍ରଙ୍କ ଆତ୍ମଦାହ ମାମଲା : କୁଳପତି, ୱାର୍ଡେନ୍ ଓ ପିଇଓଙ୍କୁ ଅନ୍ତରୀଣ ସୁରକ୍ଷା first appeared on Sambad.

from ରାଜ୍ୟ | Sambad https://ift.tt/3ee9vJ7

Post a Comment

0 Comments