ପିପିଲି : ମହଙ୍ଗା ପଡ଼ିବ ‘ଫନି’ ଅସନ୍ତୋଷ

ପିପିଲି : ପ୍ରଳୟଙ୍କରୀ ବାତ୍ୟା ‘ଫନି’କୁ ଇତିମଧ୍ୟରେ ୨ ବର୍ଷ ପୂରିବାକୁ ଯାଉଛି। ତଥାପି ଫନି ପୀଡ଼ିତଙ୍କ ଦୁଃଖ ସରିନି। ଆଜି ପିପିଲି ଓ ଡେଲାଙ୍ଗ ବ୍ଲକର ବହୁ ‘ଫନି’ ବିପନ୍ନ ଦୁର୍ଦ୍ଦିନ ଭିତରେ ରହିଛନ୍ତି। ଏବେ ବି ଜରିପାଲ ତଳେ ଆଶ୍ରୟ ନେଇଛନ୍ତି। ବହୁ ବାସହରାଙ୍କୁ ଆଜି ସୁଦ୍ଧା ସରକାରୀ ସହାୟତା ମିଳିନି। ଏହାକୁ ନେଇ ଅସନ୍ତୋଷ ଥମି ନଥିବାବେ‌ଳେ ପିପିଲି ଉପନିର୍ବାଚନରେ ପ୍ରାର୍ଥୀଙ୍କୁ ଏହା ମହଙ୍ଗା ପଡ଼ିବାକୁ ଯାଉଛି। ପ୍ରଚାର ବେଳେ ଫନି ବିପନ୍ନଙ୍କ ପ୍ରଶ୍ନ ଭୋଟ ଭିକ୍ଷା କରୁଥିବା ରାଜନେତାଙ୍କୁ ଅକଳରେ ପକାଇଛି।

୨୦୧୯ ମେ ୩‌ରେ ପ୍ରଳୟଙ୍କରୀ ବାତ୍ୟା ‘ଫନି’ ମାଡ଼ରେ ପିପିଲି ନିର୍ବାଚନମଣ୍ଡଳୀର ୧୮ ହଜାରରୁ ଅଧିକ ଘର ଭାଙ୍ଗି ଛାରଖାର ହୋଇ ଯାଇଥିଲା। ହଜାରହଜାର ଲୋକ ବାସହରା ହୋଇଥିଲେ। ଅନେକ ବାସହରାଙ୍କୁ ଅଦ୍ୟାବଧି ସରକାରୀ ସହାୟତା ମିଳିନଥିବାବେଳେ ହାତଗଣତି କୋଠା ଥିବା ବାଲାଙ୍କୁ ମିଳିଛି ୯୫ ହଜାର ଟଙ୍କା। ଏଠି କାହାର ପୁଷ ମାସ ତ କାହାର ସର୍ବନାଶ। ଏପରିକି ଗୋଟିଏ ଗୋଟିଏ ପରିବାରର ୩/୪ ଜଣଙ୍କୁ ସହାୟତା ପ୍ରଦାନ କରାଯାଇଥିବା ଗୁରୁତର ଅଭିଯୋଗ ହୋଇଛି। ‘ଫନି’ ଅନିୟମିତତାକୁ ରୋକିବା ପାଇଁ ତହସିଲ ପକ୍ଷରୁ ଅତୀତରେ ବ୍ୟାଙ୍କ ଆକାଉଣ୍ଟ ସବୁ ଫ୍ରିଜ୍‌ କରାଯାଇଥିଲା। ଏବେ ବି ଲୋକଙ୍କ ଆକାଉଣ୍ଟ ଅଚଳ ହୋଇ ରହିଛି। ଏହି କାରଣରୁ ପ୍ରକୃତ ହିତାଧିକାରୀ ଆର୍ଥିକ ଦେଣନେଣରୁ ବଞ୍ଚିତ ହୋଇଛନ୍ତି। ହିତାଧିକାରୀ ଚୟନରେ ରାଜନୈତିକ ହସ୍ତକ୍ଷେପ ରହୁଥିବାବେଳେ ପ୍ରକୃତ ହିତାଧିକାରୀ ଚୟନ ହୋଇ ପାରୁନଥିବା ଅଭିଯୋଗ ହୋଇଛି।

ଏ ନେଇ ବହୁବାର ତହସିଲ ସମ୍ମୁଖରେ ଆନ୍ଦୋଳନ ହେଲାଣି। ପିପିଲି ଓ ଡେଲାଙ୍ଗ ବ୍ଲକ୍‌ର ୪୬ଟି ପଞ୍ଚାୟତ ଓ ପିପିଲି ପୌରାଞ୍ଚଳର ୧୮ ହଜାରରୁ ଅଧିକ ‘ଫନି’ ବିପନ୍ନ ଏବେ ବି ପଲିଥିନ୍‌ ତଳେ ଆଶ୍ରୟ ନେଇଛନ୍ତି। ଏ ନେଇ ଜାତୀୟ ଦଳିତ ଆଦିବାସୀ ସଂଖ୍ୟାଲଘୁ ମହାସଂଘ ବହୁବାର ଆନ୍ଦୋଳନ କରିଛି। ନିକଟରେ ମହାସଂଘ ନେତୃତ୍ବରେ ୫ ଶହରୁ ଅଧିକ ଫନି ବିପନ୍ନ ମହିଳା ଭୁବନେଶ୍ୱର ଲୋୟର୍‌ ପିଏମ୍‌ଜିରେ ଧାରଣା ଦେବା ସହ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଥିଲେ। ଯେହେତୁ ଫନି ସହାୟତାରୁ ପିପିଲି ନିର୍ବାଚନମଣ୍ଡଳୀବାସୀ ବଞ୍ଚିତ ହୋଇଛନ୍ତି, ଏହା ରାଜନୈତିକ ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି।

The post ପିପିଲି : ମହଙ୍ଗା ପଡ଼ିବ ‘ଫନି’ ଅସନ୍ତୋଷ first appeared on Sambad.

from ରାଜ୍ୟ | Sambad https://ift.tt/3cVX7Nt

Post a Comment

0 Comments