ଆସନ୍ତା ୪ ଦିନ କାଳବୈଶାଖୀ ବର୍ଷା

ଭୁବନେଶ୍ବର: ରାଜ୍ୟର କିଛି କିଛି ସ୍ଥାନରେ ଏବେ ତାପମାତ୍ରା ବଢ଼ିଥିବା ବେଳେ କେତେକ ସ୍ଥାନରେ ପାରଦ ସ୍ତର ଖସିଛି। ଅନେକ ସ୍ଥାନର ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରି ବଢ଼ି ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ପାର୍‌ କରିଛି। ଆଜି ରାଜ୍ୟର ୯ ସହର ତାପମାତ୍ରା ୪୦ ଅତିକ୍ରମ କରିଥିଲା। ଟିଟିଲାଗଡ଼ରେ ୪୨ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଏହା ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା। ଏଥିସହ ଝାରସୁଗୁଡ଼ା, ତାଳଚେର, ଭବାନୀପାଟଣା, ବଲାଙ୍ଗୀର, ମାଲକାନଗିରି, ସୋନପୁର, ବୌଦ୍ଧ ଓ ରାୟଗଡ଼ାର ତାପମାତ୍ରା ୪୦ ଡିଗ୍ରି ପାର୍‌ କରିଥିଲା। ଆଗକୁ ରାଜ୍ୟରେ ଏହି ତାପମାତ୍ରା ଜାରି ରହିବ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ଦେଖାଯିବ ନାହିଁ।

କେନ୍ଦ୍ରର ସୂଚନା ମୁତାବକ, ଆସନ୍ତାକାଲି କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ, କନ୍ଧମାଳ, ଗଜପତି, ଗଞ୍ଜାମ, ରାୟଗଡ଼ା ଓ କେନ୍ଦ୍ରାପଡ଼ାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏଣୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ସେହିପରି ୧୦ ତାରିଖ ଦିନ କନ୍ଧମାଳ, ରାୟଗଡ଼ା, ଖୋର୍ଧା, କଟକ, ଗଞ୍ଜାମ, ନୟାଗଡ଼, ବୌଦ୍ଧ, ପୁରୀ, କୋରାପୁଟ, ମାଲକାନଗିରି, କେନ୍ଦୁଝର ଓ ମୟୂରଭଞ୍ଜରେ ଏବଂ ୧୧ ତାରିଖ ଦିନ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ ଓ ନବରଙ୍ଗପୁରରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ସହ ପବନର ବେଗ ଖୁବ୍‌ ଅଧିକ ରହିବ। ୧୨ ତାରିଖ ଆଡ଼କୁ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର ଓ ଗଜପତି ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ। କିନ୍ତୁ ଏ ଦିନ ପବନର ବେଗ କମ୍‌ ରହିବ। ଏହି ୩ ଦିନ ପାଇଁ ମଧ୍ୟ ଉକ୍ତ ଜିଲ୍ଲାଗୁଡ଼ିକରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆଜି ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ବରର ପାଗ କୋହଲା ରହିଥିଲା। ସର୍ବୋଚ୍ଚ ତାପମାତ୍ରା ୩୬.୨ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଆସନ୍ତା ୨୪ ଘଣ୍ଟାରେ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ତାପମାତ୍ରା ପ୍ରାୟ ୩୬ ଡିଗ୍ରି ରହିବ। ପାଗ ବି ଆଂଶିକ ମେଘୁଆ ରହିବ ବୋଲି ଜଣାପଡ଼ିଛି।

The post ଆସନ୍ତା ୪ ଦିନ କାଳବୈଶାଖୀ ବର୍ଷା first appeared on Sambad.

from ରାଜ୍ୟ | Sambad https://ift.tt/3dLymCW

Post a Comment

0 Comments