
ଭୁବନେଶ୍ବର : କରୋନା ପ୍ରଥମ ଲହରି ଶେଷ ହୋଇ ଦ୍ବିତୀୟ ଲହରି ପୁଣି ରାଜ୍ୟରେ ଆରମ୍ଭ ହେଲାଣି। ମାତ୍ର ଏ ପର୍ଯ୍ୟନ୍ତ ସବୁ ବସ୍ ରାଜ୍ୟରେ ଚଳାଚଳ ହୋଇପାରିନାହିଁ। ୮୦ ପ୍ରତିଶତ ବସ୍ ବର୍ତ୍ତମାନ ରାଜ୍ୟରେ ଚାଲୁଥିବା ବେଳେ ସରକାର ପୁଣି କରୋନା କଟକଣା ଆଣିଛନ୍ତି। ଗତ ୧୦ ତାରିଖରୁ ଛତିଶଗଡ଼କୁ ବସ୍ ଚଳାଚଳ ବନ୍ଦ ହୋଇସାରିଥିବା ବେଳେ ଆଗାମୀ ୧୯ ତାରିଖରୁ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ପ୍ରମୁଖ ରାଜ୍ୟକୁ ବସ୍ ଯାତାୟାତ କରିବ ନାହିଁ ବୋଲି ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି। ଗୋଟେ ପଟେ ବସ୍ ମାଲିକମାନେ ଗତବର୍ଷର ଆର୍ଥିକ କ୍ଷତିର ଭରଣା କରିନଥିବା ବେଳେ ସରକାରଙ୍କ ନୂଆ ନିୟମ ବ୍ୟବସାୟକୁ ପୂରା ଉଜାଡ଼ି ଦେବାକୁ ବସିଛି ବୋଲି ଓଡ଼ିଶା ବସ୍ ମାଲିକ ସଂଘ ପକ୍ଷରୁ କୁହାଯାଇଛି। ଏହା ସହିତ ୧୦ଟି ଜିଲ୍ଲାରେ ସପ୍ତାହନ୍ତ ଲକ୍ଡାଉନ୍ ସାଙ୍ଗକୁ ପ୍ରତିଦିନ ସନ୍ଧ୍ୟା ୬ରୁ ସକାଳ ୫ ଏବଂ ଅନ୍ୟ ସମସ୍ତ ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ବସ୍ ଚଳାଚଳ ପାଇଁ ବାଧାପ୍ରାପ୍ତ ହେଉଥିବା କହିଛନ୍ତି। ବିମାନ ଓ ଟ୍ରେନ୍ ଚଳାଚଳରେ ୩୦ ହଜାରରୁ ଅଧିକ ଯାତ୍ରୀ ଯିବା ଆସିବା କରୁଥିବା ବେଳେ ପ୍ରତିଦିନ ରାଜ୍ୟର ବିଭିନ୍ନ ରୁଟ୍କୁ ୧୫୦ ବସ୍ ଚଳାଚଳ କରୁଛି। ସେଥିରେ ପୁଣି କରୋନା କଟକଣା ଯୋଗୁଁ ବସ୍ର ସିଟ୍ ମଧ୍ୟ ଖାଲି ରହୁଛି।
ତେଣୁ ଏ ସବୁକୁ ଆଖି ଆଗରେ ରଖି ଚଳିତ ମାସରେ ନିଆଯାଇଥିବା ମୋଟର୍ ଭେଇକିଲ୍ ଟ୍ୟାକ୍ସକୁ ମେ’ ମାସରେ ଆଡଜଷ୍ଟ କରିବାକୁ ଅନୁରୋଧ କରିଛନ୍ତି। ଏହା ସହିତ ଜୁନ୍, ଜୁଲାଇରେ ମଧ୍ୟ ଟିକସକୁ ଛାଡ଼ କରିବାକୁ କହିଛନ୍ତି। ଏହା ବ୍ୟତୀତ ଇନ୍ସୁରାନ୍ସ କମ୍ପାନି ଓ ବ୍ୟାଙ୍କ୍ଗୁଡ଼ିକ ସହିତ ସରକାର ଖୁବ୍ ଶୀଘ୍ର ଏକ ବୈଠକ ଡାକି ଆଗାମୀ ୩ମାସର ସମସ୍ତ ପୈଠ ଛାଡ଼ କରିବାକୁ ଅନୁରୋଧ କରିଛନ୍ତି। ଏନେଇ ସଂଘ ପକ୍ଷରୁ ଗତକାଲି ରାଜ୍ୟ ପରିବହନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସ୍ବତନ୍ତ୍ର ରିଲିଫ୍ କମିସନର୍ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜ୍ୟ ପରିବହନ କମିସନର ଓ ବାଣିଜ୍ୟ ଓ ପରିବହନ ବିଭାଗର ମୁଖ୍ୟ ସଚିବଙ୍କୁ ଦାବିପତ୍ର ଦେଇଛି।
The post କରୋନା କଟକଣା ପାଇଁ ବସ୍ରେ ଯାତ୍ରୀ ସଂଖ୍ୟା କମିଛି, ଆଗାମୀ ୩ମାସ ଇନ୍ସୁରାନ୍ସ ଓ ରୋଡ୍ ଟ୍ୟାକ୍ସ ଛାଡ଼ ପାଇଁ ଦାବି କଲା ବସ୍ ମାଲିକ ସଂଘ first appeared on Sambad.from ରାଜ୍ୟ | Sambad https://ift.tt/32qsaem
0 Comments