ଉତ୍କଳ ବିଶ୍ବବିଦ୍ୟାଳୟର ୫୦ତମ ସମାବର୍ତନ ଉତ୍ସବ : ଓଡ଼ିଶାର ଇତିହାସ ସମୃଦ୍ଧ ଓ ପ୍ରେରଣାଦାୟୀ: ଉପରାଷ୍ଟ୍ରପତି

ଶକ୍ତିକାନ୍ତ ଦାସ, ଗିରୀଶ ଚନ୍ଦ୍ର ମୁର୍ମୁ, ଜଷ୍ଟିସ ସଞ୍ଜୁ ପଣ୍ଡା, ଅଜିତ କୁମାର ମହାନ୍ତି ଓ ବିଜୟ କୁମାର ସାହୁଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ଉପାଧି

ଭୁବନେଶ୍ବର : ଶିକ୍ଷାର ଲକ୍ଷ୍ୟ କେବଳ ବୌଦ୍ଧିକ ବିକାଶରେ ସୀମିତ ନୁହେଁ, ବରଂ ଏହା ଚରିତ୍ର ଗଠନ ଏବଂ ଏକ ସାମଗ୍ରିକ ସ୍ୱୟଂସମ୍ପୂର୍ଣ୍ଣ ବ୍ୟକ୍ତି ଗଢ଼ିବା ପାଇଁ ଉଦ୍ଦିଷ୍ଟ। ଆନ୍ତର୍ଜାତିକ ଶିକ୍ଷା କ୍ଷେତ୍ରରେ ଭାରତର ଗୌରବମୟ ପରମ୍ପରାକୁ ଆମେ ଭୁଲିଯିବା ଅନୁଚିତ। ପରିପୂର୍ଣ୍ଣ ଓ ସୃଜନଶୀଳ ବ୍ୟକ୍ତିବିଶେଷ ସୃଷ୍ଟି କରିବାକୁ ଆମକୁ ସେହି ମହାନ ଭାରତୀୟ ପରମ୍ପରାକୁ ପୁନଃସ୍ଥାପିତ କରିବାକୁ ପଡ଼ିବ ବୋଲି ଉତ୍କଳ ବିଶ୍ବବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଆଜି ଉପରାଷ୍ଟ୍ରପତି ଏମ୍‌ ଭେଙ୍କେୟା ନାଇଡୁ ଆହ୍ବାନ ଦେଇଛନ୍ତି।

ଛାତ୍ରଛାତ୍ରୀଙ୍କୁ ଦୀକ୍ଷାନ୍ତ ଭାଷଣ ଦେଇ ସେ କହିଲେ, ଆପଣମାନେ ହେଉଛନ୍ତି ପରବର୍ତ୍ତୀ ପିଢ଼ିର ଶିକ୍ଷକ, ଗବେଷକ, ପରିଚାଳକ, ବିଦ୍ୱାନ, ପ୍ରଶାସକ, ଓକିଲ ଓ ନେତା। ତେଣୁ ଆପଣଙ୍କ ଭାଗ୍ୟ ରାଷ୍ଟ୍ରର ଭାଗ୍ୟ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ସେମାନେ ବଞ୍ଚିତମାନଙ୍କ ଆବଶ୍ୟକତା ପ୍ରତି ସମ୍ବେଦନଶୀଳ ହେବା ଆବଶ୍ୟକ। ଆମେ କ୍ଷୁଧା, ବ୍ୟାଧି, ଅଜ୍ଞତା ଓ ଅଭିବୃଦ୍ଧିକୁ ପ୍ରତିହତ କରୁଥିବା ପ୍ରତ୍ୟେକ ପ୍ରତିବନ୍ଧକ ବିରୋଧରେ ଲଢ଼େଇ କରିପାରିବା। ଆପଣମାନେ ନିଜର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ନିର୍ଦ୍ଧାରଣ କରି ନୂତନ ବିଶ୍ବ ନିର୍ମାଣରେ ନିଜର ଅବଦାନ ଦିଅନ୍ତୁ ଏବଂ ଭବିଷ୍ୟତର ସ୍ରଷ୍ଟା ସାଜନ୍ତୁ। ସମାବର୍ତ୍ତନ ଦିବସ ଏକ ଯାତ୍ରାର ଆରମ୍ଭ ମାତ୍ର। ଉତ୍ସାହ, ଅଧ୍ୟବସାୟ, ତପସ୍ୟା ଓ ଶିଖିବା ପାଇଁ ମୁକ୍ତ ମନ ଭଳି ବ୍ୟକ୍ତିଗତ ଯୋଗ୍ୟତା, ଯାହା ସବୁ ଏଠାରେ ଅର୍ଜନ କରିଛନ୍ତି ସେ ସବୁ ସାରା ଜୀବନ ପାଇଁ ରହିବ।

ଶ୍ରୀ ନାଇଡୁ କହିଲେ, ଓଡ଼ିଶାର ଇତିହାସ ସମୃଦ୍ଧ ଓ ପ୍ରେରଣାଦାୟୀ। ଏହି ମହାନ କଳିଙ୍ଗଭୂମି ସମ୍ରାଟ ଅଶୋକଙ୍କୁ ଶାନ୍ତିର ଶିକ୍ଷା ଦେଇଥିଲା। ଯେଉଁଥିପାଇଁ ସେ ଧର୍ମବିଜୟ ନୀତି ଅନୁସରଣ କରିଥିଲେ। ପୂର୍ବପୁରୁଷମାନେ ଦକ୍ଷିଣ-ପୂର୍ବ ଏସିଆ ସହ ସାଂସ୍କୃତିକ ସମ୍ପର୍କ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ସେଠାରେ ହିନ୍ଦୁ ଓ ବୌଦ୍ଧ ଧର୍ମର ପ୍ରଚାର କରାଇଥିଲେ। କଳିଙ୍ଗର ଦୁଃସାହସୀ ସାଧବମାନେ ଶ୍ରୀଲଙ୍କା, ଜାଭା, ବୋର୍ଣ୍ଣିଓ, ବାଲି ଓ ବର୍ମା ସହିତ ବାଣିଜ୍ୟ ସମ୍ପର୍କ ସ୍ଥାପନ କରିଥିଲେ। ଏବେ ମଧ୍ୟ ଏଠାକାର ଲୋକେ ସେମାନଙ୍କ ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ଓ ସାଧବଙ୍କ ସ୍ମୃତିରେ ବାଲିଯାତ୍ରା ପାଳନ କରୁଛନ୍ତି। ଶ୍ରୀ ନାଇଡୁ ଆହୁରି କହିଲେ ଯେ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ସମୂହ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ କୌଶଳ ଓ ଦକ୍ଷତା ଯୋଗାଇ ଦେବା ଆବଶ୍ୟକ। ଏହାଦ୍ୱାରା ସେମାନେ କେବଳ ନିଯୁକ୍ତି ଆଶାୟୀ ନ ହୋଇ ନିଯୁକ୍ତି ସୃଷ୍ଟିକାରୀ ହୋଇପାରିବେ। ନିୟମିତ ଭାବେ ବନ୍ୟା, ବାତ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପତ୍ତି ଦ୍ୱାରା ଏହି ରାଜ୍ୟ କ୍ଷତିଗ୍ରସ୍ତ ହେଉଛି। ତେଣୁ ଶିକ୍ଷାର ଆରମ୍ଭ କାଳରୁ ବିପର୍ଯ୍ୟୟ ପରିଚାଳନାକୁ ଏକ ଅବିଚ୍ଛେଦ୍ୟ ଅଂଶ କରିବାର ବିଶେଷ ଆବଶ୍ୟକତା ରହିଛି। ଉତ୍କଳ ବିଶ୍ୱବିଦ୍ୟାଳୟ ଏ ଦିଗରେ ନେତୃତ୍ୱ ନେବ ବୋଲି ମୋର ଆଶା।

ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର୍‌ ସବିତା ଆଚାର୍ଯ୍ୟ ସ୍ବାଗତ ଭାଷଣ ଦେଇଥିବା ବେଳେ କୁଳସଚିବ ଅଭୟ କୁମା‌ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ବିଶ୍ବବିଦ୍ୟାଳୟ ଆଦିବାସୀଙ୍କ ଜୀବନଚର୍ଯ୍ୟା ଉପରେ ଗବେଷଣା କରନ୍ତୁ
ଉପରାଷ୍ଟ୍ରପ୍ରତି ଭେଙ୍କୟା ନାଇଡୁ ଆଜି ଉଦ୍‌ବୋଧନ ଦେବା ଅବସରରେ ଆଦିବାସୀଙ୍କ ଜୀବନଚର୍ଯ୍ୟା ଉପରେ ଗବେଷଣା କରିବାକୁ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଛନ୍ତି। ସେ କହିଲେ ଯେ ଓଡ଼ିଶାରେ ୬୨ ପ୍ରକାର ବିଭିନ୍ନ ଆଦିବାସୀ ସମ୍ପ୍ରଦାୟ ରହିଥିବା ବେଳେ ମୋଟ ଜନସଂଖ୍ୟାର ୨୩% ଅଟନ୍ତି। ତେଣୁ ଏହି ଆଦିବାସୀ ସମ୍ପ୍ରଦାୟଙ୍କ ବିକାଶ ଓ କଲ୍ୟାଣ ଆମର ପ୍ରାଥମିକତା ହେବା ଉଚିତ। ଅନୁସୂଚିତ ଜାତି ଓ ଉପଜାତି ଗବେଷଣା ଏବଂ ତାଲିମ ପ୍ରତିଷ୍ଠାନ(ଏସ୍‌ସିଏସ୍‌ଟିଆର୍‌ଟିଆଇ)ର ଏକ ଅଧ୍ୟୟନ ଅନୁସାରେ ଓଡ଼ିଶାର ଆଦିବାସୀ ଜନସଂଖ୍ୟା ଉପରେ କୋଭିଡ୍‌ର ପ୍ରଭାବ ପଡ଼ିନାହିଁ। ସେମାନେ ନିଜର ଅନୁପମ ରୀତିନୀତି ଓ ପରମ୍ପରା ପାଳନ କରି ସଂକ୍ରମଣକୁ ଦୂରେଇ ରଖିବାରେ ସଫଳ ହୋଇଛନ୍ତି। ଆଦିବାସୀମାନେ ଅଭ୍ୟାସଗଗତ ଭାବେ ସଂଘବଦ୍ଧ ହୋଇ ନ ଯାଇ ଧାଡ଼ିରେ ଯାଆନ୍ତି। ଚାଲିବା ବେଳେ ପରସ୍ପରଠାରୁ ଉପଯୁକ୍ତ ଦୂରତ୍ୱ ରକ୍ଷା କରନ୍ତି। ଏହାବ୍ୟତୀତ ସେମାନେ ପ୍ରାକୃତିକ ଖାଦ୍ୟ ଖାଇ ଥାଆନ୍ତି। ଫଳରେ ମହାମାରୀ ସମୟରେ ସେମାନେ ନିରାପଦ ରହିଛନ୍ତି। ବିଶ୍ୱବିଦ୍ୟାଳୟଗୁଡ଼ିକ ଆଦିବାସୀ ସମୁଦାୟଙ୍କ ଏଭଳି ସକାରାତ୍ମକ ଦିଗ ସମ୍ପର୍କରେ ଧ୍ୟାନକେନ୍ଦ୍ରିତ କରିବା ଦରକାର। ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ଏକଥା ସ୍ଥାନ ପାଇବା ଆବଶ୍ୟକ। ଉତ୍କଳ ବିଶ୍ୱବିଦ୍ୟାଳୟ ଭଳି ଅନୁଷ୍ଠାନ ଆଦିବାସୀଙ୍କ ସମସ୍ୟା ଉପରେ ଗବେଷଣା କରି ସମୁଦାୟର ବିକାଶ ପାଇଁ ନୀତି ନିର୍ଦ୍ଧାରଣରେ ସହଯୋଗ କରିବା ଉଚିତ।

The post ଉତ୍କଳ ବିଶ୍ବବିଦ୍ୟାଳୟର ୫୦ତମ ସମାବର୍ତନ ଉତ୍ସବ : ଓଡ଼ିଶାର ଇତିହାସ ସମୃଦ୍ଧ ଓ ପ୍ରେରଣାଦାୟୀ: ଉପରାଷ୍ଟ୍ରପତି first appeared on Sambad.

from ରାଜ୍ୟ | Sambad https://ift.tt/3sPeWTX

Post a Comment

0 Comments