ହାଓଲା ନାଁରେ କୋଟିଏ ଠକିବାକୁ ଉଦ୍ୟମ, ୩ ପୁଲିସ ସମେତ ୮ ଗିରଫ

ଭୁବନେଶ୍ବର : ହାଓଲା (ଗୁଜରାଟରେ ଅଙ୍ଗାଡ଼ିଆ କହନ୍ତି) ନାମରେ ଜଣେ ବ୍ୟବସାୟୀଙ୍କଠାରୁ କୋଟିଏ ଟଙ୍କା ଉଡ଼ାଇ ଦେବାକୁ ବସିଥିବା ଏକ ଧୂର୍ତ୍ତ ଗ୍ୟାଙ୍ଗ୍‌କୁ କମିସନରେଟ ପୁଲିସ ଧରିଛି। ଆଲୋଡନ କଲାଭଳି ଘଟଣାଟି ହେଲା, ଏହି ଗ୍ୟାଙ୍ଗ୍‌ରେ ୩ ଜଣ ପୁଲିସ କର୍ମଚାରୀ ଥିଲେ। ଏହି ଘଟଣା ଆଜି ରାଜଧାନୀରେ ହଇଚଇ ସୃଷ୍ଟି କରିଛି। ହୋଟେଲ୍‌ରେ ଟଙ୍କା କାରବାର ଚାଲୁଥିବା ବେଳେ ଚଢ଼ଉ ବାହାନାରେ ପୁଲିସ ଏହି କୋଟିଏ ଟଙ୍କା ହଡ଼ପ ଲାଗି କରିଥିବା ଯୋଜନା ଶେଷରେ ଫସର ଫାଟି ଯାଇଛି। ଚଢ଼ଉ କରୁଥିବା ପୁଲିସକୁ ଏୟାର୍‌ପୋର୍ଟ ଥାନା ଗିରଫ କରିବା ପରେ ପୁଲିସ କମିସନରେଟ୍ ଚେହେରାରେ କଳଙ୍କର ଦାଗ ଲାଗିଛି। ପୁଲିସ ପୋଷାକରେ ଏଭଳି କଳଙ୍କର ଛିଟା ବୋଳିଥିବା ଅଭିଯୁକ୍ତମା‌ନେ ହେଲେ ଭୁବନେଶ୍ବର ରିଜର୍ଭ ପୁଲିସର କର୍ମଚାରୀ ଦିଲ୍ଲୀପ କୁମାର ମଲ୍ଲିକ ଓରଫ୍ ପିଙ୍କୁ, ସନ୍ଦୀପ୍ତ କୁମାର ପୃଷ୍ଟି ଓରଫ୍ ସନ୍ଦୀପ ଏବଂ କଟକ ରିଜର୍ଭ ପୁଲିସର ପ୍ରଫୁଲ କୁମାର ଭୂୟାଁ। ସେହିଭଳି ଅଙ୍ଗାଡ଼ିଆ ଗ୍ୟାଙ୍ଗ୍‌ର ସଦସ୍ୟମାନେ ହେଲେ ପୁରୀ ଜିଲ୍ଲା ଗୋପ ଥାନା ନୂଆହାଟ ଯୋଗେଶ୍ବରପୁରର ପ୍ରଶାନ୍ତ କୁମାର ପଣ୍ଡା ଓରଫ୍ ହାପି, ସୁନ୍ଦରପଦାର ଅଭିଷେକ ସେଠୀ, କଟକ ଚାଉଳିଆଗଞ୍ଜର ରାଜ ରାୟବାହାଦୁର, ରସୁଲଗଡ଼ ଶବରସାହିର ପ୍ରଶାନ୍ତ ପାଢୀ, କେନ୍ଦୁଝର ଘଟଗାଁର ମହେଶ୍ବର ସାହୁ।

ଗତ ସପ୍ତାହରେ ହାଇଦର ଧରା ପଡ଼ିବାପରେ ତାକୁ ସହଯୋଗ କରିବା ଅଭିଯୋଗରେ ପୁଲିସ ଚର୍ଚ୍ଚାକୁ ଆସିଥିଲା। ଏହି ଘଟଣା ଉପରୁ ଏଯାଏ ପୂରା ପରଦା ହଟିନି। ଏବେ ଭୁବନେଶ୍ବର ପୁଲିସର କାରନାମା ବିଭାଗ ପାଇଁ ଚିନ୍ତା ବଢ଼ାଇ ଦେଇଛି।

ପୁଲିସ ସୂଚନାନୁସାରେ, ବ୍ୟବସାୟୀ କମଲ୍‌ ଶାହାଙ୍କ ଘର ମୟୂରଭଞ୍ଜ କରଞ୍ଜିଆରେ। ସେଜଣେ ରଡ୍ ଓ ସିମେଣ୍ଟ ହୋଲ୍‌ସେଲର। କେନ୍ଦୁଝର ଢେଙ୍କିକୋଟ ଅଞ୍ଚଳର ମହେଶ୍ବର ସାହୁ ତାଙ୍କଠାରୁ ସାମଗ୍ରୀ ଆଣି ବିକ୍ରି କରନ୍ତି। ଉଭୟଙ୍କ ମଧ୍ୟରେ ଦୀର୍ଘବର୍ଷର ଚିହ୍ନା ପରିଚୟ ରହିଛି। ମହେଶ୍ବର ମଧ୍ୟ ଏକ ଏନ୍‌ଜିଓ ଚଳାଇଛନ୍ତି। ଏକଦା ଏନ୍‌ଜିଓ ଚଳାଇବା ପାଇଁ ମହେଶ୍ବର କମଲ୍‌ଙ୍କଠାରୁ ୧୦ ଲକ୍ଷ ଟଙ୍କା କରଜ ଆକାରରେ ଆଣିଥିଲେ। କିନ୍ତୁ ଦୀର୍ଘ ଦିନ ଧରି ଏହି ଟଙ୍କା ପରିଶୋଧ କରୁ ନ ଥିଲେ। କମଲ୍‌ ଯେତେବେଳେ ବି ଟଙ୍କା ମାଗୁଥିଲେ ସେ ସମୟ ଗଡ଼ାଉଥିଲେ। ତେବେ କମଲ୍‌ କୋଟି କୋଟି ଟଙ୍କାର ମାଲିକ ହୋଇଥିବାରୁ ମହେଶ୍ବର ତାଙ୍କୁ ଫସାଇବା ପାଇଁ ବାଟ ପ୍ରସ୍ତୁତ କରିଥିଲେ। ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ ଭଳି ସହରରେ ଚାଲିଥିବା ହାଓଲା ଯୋଜନା ବାବଦରେ ତାଙ୍କୁ କହିଥିଲା। ଏହି ଯୋଜନାରେ ଅଧିକ ଅର୍ଥ ରୋଜଗାର କରିବାର ଲୋଭ ଦେଖାଇଥିଲେ। ଭୁବନେଶ୍ବରରେ ରହୁଥିବା ତାଙ୍କର ଜଣେ ବନ୍ଧୁ ଏହି କାମ କରିଦେବେ ବୋଲି କହିଥିଲେ। କୋଟିଏ ଟଙ୍କା ଲଗାଇଲେ ଗୋଟିଏ ଦିନରେ ଦେଢ଼ କୋଟି ଟଙ୍କା ମିଳିବ ବୋଲି ମହେଶ୍ବର ବୁଝାଇଥିଲେ। ତେବେ କମିସନି ବାବଦରେ ମିଳିବାକୁ ଥିବା ଟଙ୍କାରୁ ସେ ତାଙ୍କ କରଜ ୧୦ ଲକ୍ଷ ଟଙ୍କା ସୁଝି ଦେବେ ବୋଲି କହିଥିଲେ। ଗୁଜରାଟର ବଡ଼ ବଡ଼ ବ୍ୟବସାୟୀମାନେ ଏଭଳି କାରବାର କରନ୍ତି ଓ ବଡ଼ ବଡ଼ ଦଲାଲ୍‌ମାନଙ୍କ ମାଧ୍ୟମରେ ଟଙ୍କା ବିନିଯୋଗ ହୁଏ ବୋଲି ସେ କହିଥିଲେ। ବିଶ୍ବାସ ଜନ୍ମାଇବା ପାଇଁ ମହେଶ୍ବର କିଛି ନକଲି ବ୍ୟାଙ୍କ୍‌ ଷ୍ଟେଟ୍‌ମେଣ୍ଟ ଓ ଅନ୍ୟ କାଗଜପତ୍ର ମଧ୍ୟ ଦେଖାଇଥିଲେ। ମହେଶ୍ବରର ଏହି ଚାଲ୍‌ରେ ସାମିଲ୍‌ ହୋଇଥିଲେ ରସୁଲଗଡ଼ ଶବର ସାହିର ପ୍ରଶାନ୍ତ ପାଢ଼ୀ। ସେ ଭୁବନେଶ୍ବର ରିଜିଓନାଲ୍ ମ୍ୟୁଜିୟମ୍ ଅଫ୍ ନ୍ୟାଚୁରାଲ ହିଷ୍ଟ୍ରିରେ ଠିକା କର୍ମଚାରୀ ଭାବେ କାର୍ଯ୍ୟରତ। ସେହିଭଳି ଏହି ବଡ଼ ଧରଣର ଠକାମୀରେ ସାମିଲ୍ ହୋଇଥିଲେ ଉପରୋକ୍ତ ତିନି ପୁଲିସ କର୍ମଚାରୀ ଦିଲ୍ଲୀପ ମଲ୍ଲିକ, ସନ୍ଦୀପ୍ତ ପୃଷ୍ଟି ଓ ପ୍ରଫୁଲ କୁମାର ଭୂୟାଁ। ସେହିଭଳି ସ୍ପେଶାଲ ସ୍କ୍ବାଡ୍‌ର ଜଣେ ସବ୍‌ଇନ୍ସପେକ୍ଟର ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଯୋଜନା ଥିଲା କମଲ୍‌ ଟଙ୍କା ଧରି ହୋଟେଲରେ ପହଞ୍ଚିବା ପରେ ହଠାତ୍ ପୁଲିସ ରେଡ୍‌ କରିବ ଓ ବେଟିଂ ଚାଲିଥିବା ଅଭିଯୋଗରେ ଟଙ୍କାକୁ ଜବତ କରିନେବ। ଫଳରେ କମଲ୍‌ ଆଉ କିଛି କରିପାରିବେ ନାହିଁ।

ଯୋଜନା ଅନୁସାରେ, ଗତକାଲି ସକାଳେ କମଲ୍‌ ମୟୂରଭଞ୍ଜରୁ ନିଜ ଇନୋଭା କାର୍‌ରେ ମହେଶ୍ବରଙ୍କ ସହ ମିଶି ଭୁବନେଶ୍ବର ଆସିଥିଲେ। ପୂର୍ବରୁ ପଳାସପଲ୍ଲୀରେ ଥିବା ବିଜୟ ପ୍ୟାଲେସରେ ରୁମ୍ ବୁକ୍ କରିଥିଲେ ପ୍ରଶାନ୍ତ ପାଢ଼ୀ। ହୋଟେଲ ରୁମ୍‌ରେ ପୂର୍ବରୁ ପ୍ରଶାନ୍ତ ପଣ୍ଡା, ଅଭିଷେକ ସେଠୀ, ରାଜ ରାୟବାହାଦୁର, ପ୍ରଶାନ୍ତ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। କମଲ୍‌ ଟଙ୍କା ବ୍ୟାଗ ଖୋଲି ସେମାନଙ୍କୁ ଦେଖାଇଥିଲେ। ଠିକ୍ ସେହି ସମୟରେ ପୂର୍ବ ଯୋଜନା ମୁତାବକ ପୁଲିସ ପୋଷାକ ପିନ୍ଧି ପହଞ୍ଚି ଯାଇଥିଲେ ୪ ପୁଲିସ କର୍ମଚାରୀ। ବେଟିଂ ଚାଲିଥିବା କହି ରେଡ୍ କରିଥିଲେ। ଟଙ୍କା ଜବତ କରିଥିଲେ। ତେବେ ସେତିକିବେଳେ କମଲ୍‌ ବାଥ୍‌ରୁମ୍‌କୁ ଧାଇଁ ଯାଇ କଣ୍ଟ୍ରୋଲ୍‌ ରୁମ୍‌କୁ ଫୋନ୍ କରି ଦେଇଥିଲେ। ସେ ବୁଝି ପାରିଥିଲେ ଯେ ତାଙ୍କୁ ଠକିବାକୁ ଏକ ବଡ଼ ଷଡ୍‌ଯନ୍ତ୍ର କରାଯାଇଛି। ସୌଭାଗ୍ୟକୁ ଖବର ପାଇବା ମାତ୍ରେ ତୁରନ୍ତ ଏୟାରପୋର୍ଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା। ସେଠାରୁ ୫ ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା। ପ୍ରଶାନ୍ତ ପାଢ଼ୀକୁ ଜେରା କରିବା ପରେ ସେ ଚାରି ପୁଲିସ କର୍ମଚାରୀଙ୍କ ନାଁ କହି ପକାଇଥିଲା ପରେ ପୁଲିସ ତିନି ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ୨୨ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଥିଲା। ସେହିଭଳି ହୋଟେଲରୁ ୭୭ ଲକ୍ଷ ଟଙ୍କା ଜବତ ହୋଇଥିଲା। କିନ୍ତୁ ବାକି ୫୦ ହଜାର ଟଙ୍କାର ପତ୍ତା ମିଳି ନ ଥିଲା। ଘଟଣାର ତଦନ୍ତ ଜାରି ରହିଥିବା କହିଛନ୍ତି ଡିସିପି ଉମାଶଙ୍କର ଦାଶ। ଏଥିରେ ଆହୁରି କିଛି ଅଭିଯୁକ୍ତ ଫେରାର ରହିଛନ୍ତି। ସେମାନଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରହିଛି। ପୂରା ଘଟଣାର ଗୁମର ଖୋଲିବା ପାଇଁ ଅଭିଯୁକ୍ତମାନଙ୍କୁ ରିମାଣ୍ଡ୍‌ରେ ଅଣାଯିବ ବୋଲି ଡିସିପି ଶ୍ରୀ ଦାଶ ସୂଚନା ଦେଇଛନ୍ତି। ଏହି ଗ୍ୟାଙ୍ଗ୍‌ ପୂର୍ବରୁ ମଧ୍ୟ କାହାକୁ ଏମିତି ଚୁନ ଲଗାଇଥିବେ ବୋଲି ଅନୁମାନ କରାଯାଉଛି। ତେଣୁ ଆଗକୁ ହାଓଲା ଯୋଜନା ଠକାମୀ ବାବଦରେ ବହୁ ଅଭିଯୋଗ ମିଳିବା ଆଶା କରାଯାଉଛି।

The post ହାଓଲା ନାଁରେ କୋଟିଏ ଠକିବାକୁ ଉଦ୍ୟମ, ୩ ପୁଲିସ ସମେତ ୮ ଗିରଫ first appeared on Sambad.

from ରାଜ୍ୟ | Sambad https://ift.tt/3e3egWa

Post a Comment

0 Comments