
ଭୁବନେଶ୍ବର : ଭୀଷଣ ଝାଞ୍ଜି ପ୍ରବାହ ଆଶଙ୍କାରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆସନ୍ତାକାଲି (ସୋମବାର) ରାଜ୍ୟର ୩ ଜିଲ୍ଲା ପାଇଁ ୟେଲୋ-ୱାର୍ଣ୍ଣିଂ ଜାରି କରିଛି। ଜିଲ୍ଲାଗୁଡ଼ିକ ହେଲା, କଟକ, ଖୋର୍ଧା ଓ ନୟାଗଡ଼। ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ମଧ୍ୟରେ ବିଶେଷକରି ଶିଶୁ, ବୟସ୍କ ଓ ରୋଗୀମାନଙ୍କୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଅତ୍ୟାବଶ୍ୟକ କାମ ଥିଲେ ଖରାରୁ ରକ୍ଷା ପାଇବା ପାଇଁ ସମସ୍ତ ପ୍ରସ୍ତୁତି କରି ଘରୁ ବାହାରିବାକୁ ପରାମର୍ଶ ଦିଆଯାଇଛି।
ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ଯେ ଗତକାଲି ଭଳି ଆଜି ମଧ୍ୟ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଭୁବନେଶ୍ବରଠାରେ ୪୩.୨ଡିଗ୍ରି ରେକର୍ଡ ହୋଇଛି। ଏହାବ୍ୟତୀତ ରାଜ୍ୟରେ ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। ବାରିପଦା, ଟିଟିଲାଗଡ଼ ଓ ବୌଦ୍ଧରେ ତାପାମାତ୍ରା ୪୨ଡିଗ୍ରି ରେକର୍ଡ ହୋଇଛି। ଆଗାମୀ କିଛି ଦିନରେ ତାପମାତ୍ରା ଆହୁରି ବଢ଼ିବ। କିଛି କିଛି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୪ଡିଗ୍ରି ଅତିକ୍ରମ କରିବ ବୋଲି କହିଛି।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାରେ ସୋମବାର ପର୍ଯ୍ୟନ୍ତ ସାମୁଦ୍ରିକ ପବନ ପ୍ରବାହର ସମ୍ଭାବନା କମ୍। କିନ୍ତୁ ମଙ୍ଗଳବାରଠାରୁ ଉପକୂଳ ଓଡ଼ିଶାର ତାପାମତ୍ରା ୪୦ ଡିଗ୍ରି ତଳକୁ ଖସିବ। ବୁଧବାର ଏହା ୩୮ ଡିଗ୍ରିକୁ ଖସିବ ଓ ପରବର୍ତ୍ତୀ ୪ ଦିନ ଅପରିବର୍ତ୍ତିତ ରହିବ।
ଉପକୂଳ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ୨୯ତାରିଖରୁ ସର୍ବାଧିକ ତାପମାତ୍ରା କମିବା ବେଳେ ପଶ୍ଚିମ ଓଡ଼ିଶାରେ କେତେକ ସ୍ଥାନରେ ୪୨ ଡିଗ୍ରିରୁ ଅଧିକ ରହିବ। ୩୦ ତାରିଖରୁ ସାମାନ୍ୟ କମିଲେ ମଧ୍ୟ ପଶ୍ଚିମ ଓଡ଼ିଶାରେ ଅନେକ ସ୍ଥାନରେ ୪୦ ଡିଗ୍ରିରୁ ଅଧିକ ରହିପାରେ। ଏପ୍ରିଲ ୩୦ରୁ ରାଜ୍ୟରେ ସ୍ଥାନେସ୍ଥାନେ କାଳବୈଶାଖୀର ସମ୍ଭାବନା ରହିଛି। ମେ’ ୨ରୁ ୫ ମଧ୍ୟରେ ଏହାର ସମ୍ଭାବନା ଅଧିକ ରହିଛି। ଉପକୂଳ ଜିଲ୍ଲାରେ ମେ’ ୩ ଓ ୪ରେ କେତେକ ସ୍ଥାନରେ ମଧ୍ୟମଧରଣର ବର୍ଷା ହୋଇପାରେ।
The post ନୟାଗଡ଼, କଟକ, ଖୋର୍ଧାକୁ ହିଟ୍-ୱେଭ୍ ୱାର୍ଣ୍ଣିଂ first appeared on Sambad.from ରାଜ୍ୟ | Sambad https://ift.tt/32O0H6s
0 Comments