
ଭର୍ଚୁଆଲ ପ୍ଲାଟ୍ଫର୍ମରେ ଉଦ୍ବୋଧନ ଦେଲେ କେନ୍ଦ୍ର ମନ୍ତ୍ରୀ
ପଶ୍ଚିମବଙ୍ଗର ପ୍ରବାସୀ ଓଡ଼ିଆଙ୍କ ସହ ‘ବନ୍ଦେ ଉତ୍କଳ ଜନନୀ’ ଗାନ କଲେ
ଭୁବନେଶ୍ୱର : ୨୦୩୬ରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଗଠନ ହେବାର ୧୦୦ ବର୍ଷ ପୂରଣ କରିବ। ସେହିପରି ୨୦୪୭କୁ ମଧ୍ୟ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତି ହେବ। ଏହି ସମୟ ମଧ୍ୟରେ ଓଡ଼ିଶାକୁ ଏକ ଶକ୍ତିଶାଳୀ ସମାଜ କରିବାକୁ ହେବ। କେବଳ ଭାରତବର୍ଷରେ ନୁହେଁ ବରଂ ବିଶ୍ୱରେ ଏକ ସମୃଦ୍ଧ ଅଞ୍ଚଳ ଭାବରେ ଗଢ଼ି ତୋଳିବାର ଦାୟିତ୍ୱ ଆମେ ନେବା ଦରକାର। ଏଥି ପାଇଁ ପ୍ରତ୍ୟେକ ଓଡ଼ିଆ ସଂକଳ୍ପ ନେବାକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ବାନ ଦେଇଛନ୍ତି।
ଆଜି ଉତ୍କଳ ଦିବସ ଅବସରରେ କୋଲକାତାର ହୁଗୁଲି ନଦୀ ପଠାରୁ ଭର୍ଚୁଆଲ ପ୍ଲାଟଫର୍ମ ଜରିଆରେ ସାମିଲ ହୋଇ ଓଡ଼ିଆ ଲୋକଙ୍କୁ ଶ୍ରୀ ପ୍ରଧାନ ସମ୍ବୋଧନ କରିଥିଲେ। ଏହି ଅବସରରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅଗ୍ରଣୀ ବରପୁତ୍ର ଓ ମହାପୁରୁଷମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ପଶ୍ଚିମବଙ୍ଗର ପ୍ରବାସୀ ଓଡ଼ିଆଙ୍କ ସହ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ। ଶ୍ରୀ ପ୍ରଧାନ କହିଥିଲେ ଯେ ଏକ ମହାନ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରଖି ମହାପୁରୁଷମାନେ ସୀମା ହୀନ, ଜାତିହୀନ ଓ ଭାଷାହୀନ ଖଣ୍ଡ ବିଖଣ୍ଡିତ ଓଡ଼ିଶାକୁ ଏକାଠି କରିଥିଲେ। ବିଚ୍ଛିନ୍ନ ଓଡ଼ିଶାକୁ ଏକତ୍ର କରିବା ପାଇଁ ମହାପୁରୁଷମାନେ ଯେଉଁ ଉଦ୍ୟମ କରିଥିଲେ, ତାହା ଓଡ଼ିଶାବାସୀ କେବେ ଭୁଲି ପାରିବେ ନାହିଁ। ଓଡ଼ିଆ ଜାତି, ଭାଷା, ସଂସ୍କୃତି ଓ ଏହାର ପରମ୍ପରା ଅନନ୍ୟ। ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ, ରଘୁରାଜପୁରର ପଟ୍ଟଚିତ୍ର, ଓଡ଼ିଆ ଖାଦ୍ୟ ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ତିଆରି କରିଛି । ଓଡ଼ିଶାର ସାଧବପୁଅମାନେ ଦକ୍ଷିଣ-ପୂର୍ବ ଏସିଆ ଏବଂ ଶ୍ରୀଲଙ୍କା ଅଭିମୁଖେ ଯାତ୍ରା କରି ବାଣିଜ୍ୟ ବ୍ୟବସାୟ କରିବା ଆମର ପ୍ରାଚୀନ ଇତିହାସକୁ ଗର୍ବିତ କରିଛି। ଓଡ଼ିଶା ରାଜ୍ୟ କେବଳ ବାହ୍ୟ ଶତ୍ରୁର ଆକ୍ରମଣରୁ ନୁହେଁ, ବରଂ ଦୁର୍ଭିକ୍ଷ, ମରୁଡ଼ି, ବାତ୍ୟାକୁ ମଧ୍ୟ ସହ୍ୟ କରିପାରି ନିଜର ପ୍ରବାହ ଜାରି ରଖିଛି। ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ସୁଦୀର୍ଘ ବେଳାଭୂମି, ପ୍ରଚୁର ଜଙ୍ଗଲ ସମ୍ପଦ, ଖଣିଜ ସମ୍ବଳ, ପରିଶ୍ରମୀ ଓ ବୌଦ୍ଧିକ କ୍ଷମତା ସମ୍ପନ୍ନ ମାନବ ସମ୍ବଳ ସହ ଅପାର ସମ୍ଭାବନା ଭରପୂର ରହିଛି। ମହାପ୍ରଭୁଙ୍କ ଆଶୀର୍ବାଦରେ ଓଡ଼ିଶାବାସୀ ଅତୀତ ଭଳି ବର୍ତମାନ ମଧ୍ୟ ପରିଶ୍ରମ କରିବାର ଅଧିକ କ୍ଷମତା ପାଆନ୍ତୁ ଓ ସମସ୍ତେ ନିଜ ବ୍ୟକ୍ତିଗତ ଜୀବନ ସହ ସାମାଜିକ ଜୀବନରେ ଅଧିକ ସଫଳ ହୁଅନ୍ତୁ। ଏହି ସଫଳତା ବିଶ୍ୱ ମାନବ ସଭ୍ୟତା ପାଇଁ ମଧ୍ୟ ସଫଳତା ଆଣିଦେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଫେସ୍ବୁକ୍ରେ ପଚରା ଯାଇଥିବା ଓଡ଼ିଆ ଲୋକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ଶ୍ରୀମନ୍ଦିରର ବିକାଶ ସମ୍ପର୍କିତ ପ୍ରଶ୍ନରେ ସେ କହିଥିଲେ ଯେ ଶ୍ରୀମନ୍ଦିରର ବିକାଶ ପାଇଁ ସମସ୍ତେ ଆଗେଇ ଆସିବା ଦରକାର। ଇତି ମଧ୍ୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀମନ୍ଦିର ଆସି ନିଜ ଦରମାରୁ ୧ ଲକ୍ଷ ଟଙ୍କା ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିଛନ୍ତି। ସମସ୍ତେ ଶ୍ରୀମନ୍ଦିର ବିକାଶ ପାଇଁ ସହଯୋଗୀ ହେଲେ ବ୍ୟାଙ୍କଗୁଡ଼ିକ ମଧ୍ୟ ଏଥି ପାଇଁ ଭାଗିଦାରୀ ହେବେ। ସେହିପରି ପ୍ରଧାନମନ୍ତ୍ରୀଙ୍କ ଭୋକାଲ୍ ଫର୍ ଲୋକାଲ୍ ଆହ୍ୱାନରେ ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତିକୁ ଆଗେଇ ନେବା, ଭାବଗତ ସମ୍ପର୍କ ସହ ମାଲକାନଗିରି ସମେତ ରାଜ୍ୟରେ ସୀମା ବିବାଦର ସ୍ଥାୟୀ ସମାଧାନ ହେବା ନେଇ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ।
The post ୨୦୩୬ ସୁଦ୍ଧା ଓଡ଼ିଶାକୁ ସମୃଦ୍ଧ ରାଜ୍ୟ କରିବୁ: ଧର୍ମେନ୍ଦ୍ର first appeared on Sambad.from ରାଜ୍ୟ | Sambad https://ift.tt/3sK7JEF
0 Comments