
ଟ୍ବିଟ୍ କଲେ ମୁଖ୍ୟମନ୍ତ୍ରୀ, ଜୀବନ ମୂଲ୍ୟବାନ
ନିର୍ବାଚନ କମିସନ, ଅନ୍ୟ ଦଳଙ୍କୁ ଅପିଲ୍
ପ୍ରଚାର ଅବଧି, ପଦ୍ଧତିର ପୁନର୍ବିଚାର ହେଉ
ଭୁବନେଶ୍ବର : ‘‘ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ମୁଁ ସର୍ବଦା ଓଡିଶାର ଲୋକଙ୍କୁ ମୋର ପରିବାର ସଦସ୍ୟ ଭାବରେ ବିବେଚନା କରେ। ଦେଶରେ କୋଭିଡ୍ ସ୍ଥିତି ଏବେ ଅତ୍ୟଧିକ ଗମ୍ଭୀର ପରିସ୍ଥିତିରେ ରହିଛି। ଏଣୁ ବିଜେଡି ପିପିଲି ଉପନିର୍ବାଚନରେ କୌଣସି ସାଧାରଣ ସମାବେଶ କିମ୍ବା ରାଲି ନ କରିବାକୁ ନିଷ୍ପତ୍ତି ନେଇଛି।’’
ଦେଶରେ ନିର୍ବାଚନ ରାଲି ଓ ଧାର୍ମିକ କାର୍ଯ୍ୟକ୍ରମ କାରଣରୁ କୋଭିଡ୍ ସଂକ୍ରମଣ ବୃଦ୍ଧି ନେଇ ବିଶେଷଜ୍ଞଙ୍କ ଠାରୁ ଆରମ୍ଭ କରି ରାଜନୈତିକ ଦଳ ମତ ପ୍ରକାଶ କରୁଥିବା ବେଳେ ପିପିଲି ପାଇଁ ବିଜେଡି ସୁପ୍ରିମୋ ତଥା ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏଭଳି ଘୋଷଣା କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। କେବଳ ସେତିକି ନୁହେଁ, ଏଭଳି ଆଭିମୁଖ୍ୟ ଗ୍ରହଣ କରି ସେ ରାଷ୍ଟ୍ରୀୟ ନେତାର ପରିଚୟ ମଧ୍ୟ ଦେଇଛନ୍ତି। ଅନ୍ୟ ରାଜନୈତିକ ଦଳ ଏବଂ ଭାରତର ନିର୍ବାଚନ କମିସନଙ୍କ ଉଦ୍ଦେଶ୍ୟରେ ନବୀନ ଆହୁରି ପାଦେ ଆଗକୁ ଯାଇ ପ୍ରଚାର ସମୟ ଓ ତରିକା ବଦଳାଇବା ଲାଗି ମଧ୍ୟ ଅପିଲ୍ କରିଛନ୍ତି।
ନବୀନ ଟ୍ବିଟ୍ କରି କହିଛନ୍ତି, ‘‘ଏକ ଦାୟିତ୍ବପୂର୍ଣ୍ଣ ଦଳ ଭାବରେ ବିଜେଡି ଲୋକଙ୍କ ଜୀବନକୁ ବିପଦରେ ପକାଇବାକୁ ପସନ୍ଦ କରିବ ନାହିଁ। ଲୋକଙ୍କ ସେବା କରିବା ପାଇଁ ଆମେ ନିର୍ବାଚନ ପ୍ରତିଯୋଗିତା କରୁ। ଯଦି ଏହି ରାଲି ଓ ସମାବେଶ ଦ୍ବାରା ଜୀବନ ପ୍ରତି ବିପଦ ରହିବାର ସମ୍ଭାବନା ଥାଏ, ତେବେ ମୁଁ ପ୍ରଚାରର ଅବଧି ଏବଂ ପଦ୍ଧତିର ପୁନର୍ବିଚାର କରିବାକୁ ରାଜନୈତିକ ଦଳ ଏବଂ ଭାରତର ନିର୍ବାଚନ କମିସନଙ୍କୁ ନିବେଦନ କରିବି।’’ଭାରତ ଏକ ପରିପକ୍ୱ ଗଣତନ୍ତ୍ର ଏବଂ ମିଳିତ ଭାବେ ଆମେ ଏକ ସମାଧାନ ବାହାର କରିପାରିବା। ଗଣତନ୍ତ୍ର ଲୋକମାନଙ୍କ ଦ୍ୱାରା, ଲୋକମାନଙ୍କ ପାଇଁ ଏବଂ ଲୋକଙ୍କ ପାଇଁ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ସ୍ମରଣ କରାଇ ଦେଇଛନ୍ତି।
ଆଜି ପିପିଲି ଉପନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ଜାରି ପରେ ବିଭିନ୍ନ ରାଜନୈତିକ ଦଳ ପୁଣି ଥରେ ପ୍ରଚାର ଅଭିଯାନ ଜୋରଦାର କରିବା ପୂର୍ବରୁ ବିଜେଡି ଏହି ନିଷ୍ପତ୍ତି ନେଇଛି। ନିଜେ ଟ୍ବିଟ୍ କରି ନବୀନ ଏହା ଜଣାଇଛନ୍ତି। ଫଳରେ ଏ ପର୍ଯ୍ୟାୟରେ ମାଳ ମାଳ ବିଜେଡି ନେତା ଆଉ ପିପିଲିରେ ଡେରା ପକାଇବେ ନାହିଁ କିମ୍ବା ପୂର୍ବଥର ଭଳି ପ୍ରଚାର ହେବ ନାହିଁ, ତାହା ସ୍ପଷ୍ଟ ହୋଇଯାଇଛି।
ଦେଶରେ କୋଭିଡ୍ ସ୍ଥିତି ବିପଜ୍ଜନକ ଥିବା ବେଳେ ପଶ୍ଚିମ ବଙ୍ଗରେ ବିଜେପିର ରାଲି ଓ କାର୍ଯ୍ୟକ୍ରମକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ଏଭଳି ସ୍ଥିତିରେ ନବୀନଙ୍କ ଏହି ଘୋଷଣା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି। ନବୀନଙ୍କ ପରିବର୍ତ୍ତିତ ଆଭିମୁଖ୍ୟ ପରେ ବିଜେପି ଓ କଂଗ୍ରେସ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ ନିର୍ବାଚନ କମିସନ ଯାହା ନିଷ୍ପତ୍ତି ନେବେ, ଆମେ ତାହା ଅକ୍ଷରେ ଅକ୍ଷରେ ପାଳନ କରିବୁ।
ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ନବୀନ ଟିକା କ୍ଷେତ୍ରରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଏକ ଭିନ୍ନ ଆଭିମୁଖ୍ୟ ରଖି ଚର୍ଚ୍ଚାକୁ ଆସିଥିଲେ।
ସୂଚନାଯୋଗ୍ୟ ଯେ ବିଜେଡି ପିପିଲିରେ ବଡ଼ ଧରଣର ପ୍ରଚାର କରିଥିଲା, ଯଦିଓ ସେବେ ଆଜିଦିନ ଭଲି ବିପଜ୍ଜନକ ସ୍ଥିତିରେ କରୋନା ଓଡ଼ିଶାରେ ନଥିଲା। ବିଜେପି ଓ କଂଗ୍ରେସ ମଧ୍ୟ ଜୋରଦାର ପ୍ରଚାର କରିଥିଲେ। ଏବେ କିନ୍ତୁ ଦେଖାଯାଉଛି, ପ୍ରଚାରରେ ସାମିଲ ଥିବା ଅନେକ ନେତାଙ୍କ ନିକଟରେ ଇତିମଧ୍ୟରେ କରୋନା ଭୁତାଣୁ ଠାବ ହୋଇସାରିଲେଣି।
The post ପିପିଲିରେ ସଭା, ଶୋଭାଯାତ୍ରା କରିବନି ବିଜେଡି first appeared on Sambad.from ରାଜ୍ୟ | Sambad https://ift.tt/3stdwxf
0 Comments