ଯୋଜନାବଦ୍ଧ ଭାବେ ହାଇଦରକୁ ଫେରାର କରାଯାଇଛି : ବିଜୟ

ଭୁବନେଶ୍ବର: ହାଇଦର୍‌ ଫେରାର ଘଟଣାରେ ରାଜ୍ୟ ପୁଲିସ୍‌କୁ ଭର୍ତ୍ସନା କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଏହି ଘଟଣାକୁ ଯୋଜନାବଦ୍ଧ ଓ ସୁପରିକଳ୍ପିତ ବୋଲି ସେ କହିଛନ୍ତି। ଏସ୍‌ଟିଏଫ୍‌ର ଦାୟିତ୍ୱ କୁଖ୍ୟାତ ଅପରାଧୀଙ୍କ ଉପରେ ନଜର ରଖିବା। ଏଠି ଏସ୍‌ଟିଏଫ୍‌ କ’ଣ କରୁଥିଲା? ପ୍ରଥମେ ଏସ୍‌ଟିଏଫ୍‌ ମୁଖ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଗଣମାଧ୍ୟମକୁ ଶ୍ରୀ ମହାପାତ୍ର କହିଛନ୍ତି ଯେ ଡିଜିଙ୍କ ଅଫିସ୍‌ରେ ଯେଉଁ ୫/୬ ଜଣ ଅଫିସର୍‌ ବୈଠକ କରୁଛନ୍ତି ସେମାନଙ୍କୁ ନିଜ ଦୋଷ ସ୍ବୀକାର କରିବାକୁ ପଡ଼ିବ। ଏସ୍‌ଟିଏଫ୍‌ ମୁଖ୍ୟ, କଟକ ଡିସିପି, ଆଇନ ଶୃଙ୍ଖଳା ଏଡିଜି ଓ ପୁଲିସ ଡିଜି କେବଳ ଲଜ୍ଜାଜନକ ବିବୃତି ନ ଦେଇ ନିଜ ଦାୟିତ୍ୱ ଠିକ ଭାବେ ନିଭାନ୍ତୁ। ଏମାନଙ୍କ ବିବୃତିରୁ ଲାଗୁଛି ସତ ଲୁଚେଇବା ଲାଗି ଚେଷ୍ଟା ହେଉଛି। ହାଇଦରକୁ ଖସାଇ ଦେବା ପାଇଁ ଡିସେମ୍ବର ମାସରୁ ପ୍ରସ୍ତୁତି ଚାଲିଥିଲା। ସେହି ପ୍ରସ୍ତୁତିରେ ଓଡ଼ିଶାର ବଡ଼ ବଡ଼ କିଛି ଅଫିସରଙ୍କ ସଂପୃକ୍ତି ରହିଛି। କେବଳ ତାମିଲ ଅଫିସରମାନଙ୍କୁ ଖୁସି କରିବାକୁ କାମ କରି ଆଇପିଏସ୍‌ ଅଫିସର୍‌ମାନେ କଳଙ୍କିତ ହୁଅନ୍ତୁ ନାହିଁ କି ପୁଲିସ ବିଭାଗକୁ କଳଙ୍କିତ ନ କରନ୍ତୁ।

ସର୍ଚ୍ଚ ଅପରେସନ ନାଁରେ ବଡ଼ ବଡ଼ କଥା କୁହାଯାଉଛି। କିନ୍ତୁ ଏ ପର୍ଯ୍ୟନ୍ତ କ’ଣ ଫଳାଫଳ ଆସିଛି ? ଏସ୍‌ସିବିରେ ସାଧାରଣ ରୋଗୀକୁ ବେଡ୍‌ ମିଳୁନି। ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟର୍‌କୁ କ୍ୟାବିନ କେମିତି ମିଳିଲା? କ୍ୟାବିନ କିଏ ଯୋଗାଡ଼ କରିଥିଲା? ବୁର୍ଲା ମେଡିକାଲ ରେଫର୍‌ ନ କରି ଜେଲ କର୍ତ୍ତୃପକ୍ଷ କେମିତି ତା’କୁ କଟକ ପଠାଇଲେ ? ଏମିତି ସମ୍ପୂର୍ଣ୍ଣ ଘଟଣା ରହସ୍ୟମୟ ଲାଗୁଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

The post ଯୋଜନାବଦ୍ଧ ଭାବେ ହାଇଦରକୁ ଫେରାର କରାଯାଇଛି : ବିଜୟ first appeared on Sambad.

from ରାଜ୍ୟ | Sambad https://ift.tt/3e2byio

Post a Comment

0 Comments