
ଭୁବନେଶ୍ବର : ମେ’ ୧ରୁ ରାଜ୍ୟରେ ଆରମ୍ଭ ହେବ ଓବିସି ସର୍ଭେ। ଏ ସଂକ୍ରାନ୍ତରେ ଏକ ପ୍ରସ୍ତୁତି ବୈଠକ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ସଚିବ ବୀରବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ନିଷ୍ପତ୍ତି ଅନୁଯାୟୀ ମେ’ ୨୦ ତାରିଖ ମଧ୍ୟରେ ସର୍ଭେ ସରି ନ ପାରିଲେ ୨୧ରୁ ୨୫ ତାରିଖ ମଧ୍ୟରେ ସ୍ପେସାଲ ଡ୍ରାଇଭ, ୨୧ରୁ ୩୧ ମେ ମଧ୍ୟରେ ଜୋନାଲ ସେଣ୍ଟରମାନଙ୍କରେ ଫର୍ମଗୁଡ଼ିକର ସ୍କାନିଂ, ଜୁନ୍ ମାସ ୧ ତାରିଖରେ ଡ୍ରାଫ୍ଟ ଲିଷ୍ଟ ଜାରି ହେବ। ଏ ସଂକ୍ରାନ୍ତରେ କୌଣସି ଆପତ୍ତି ଥିଲେ ୧ରୁ ୫ ଜୁନ ମଧ୍ୟରେ ଅଭିଯୋଗର ଶୁଣାଣି ହେବ। ଜୁନ ମାସ ୧୧ ତାରିଖରେ ଅନ୍ତିମ ରିପୋର୍ଟ ଜାରି ହେବ। ସର୍ଭେ ତଦାରଖ ପାଇଁ ତୃଣମୂଳ ସ୍ତରରୁ ବିଭିନ୍ନ ପର୍ଯ୍ୟାୟରେ ଅଧିକାରୀମାନଙ୍କୁ ଦାୟିତ୍ବ ଦିଆଯାଇଛି। ଉଭୟ ଅନ୍ଲାଇନ୍ ଏବଂ ଅଫ୍ଲାଇନ୍ ଜରିଆରେ ଏସ୍ସିବିସି ସମ୍ପ୍ରଦାୟର ଜଣେ ବ୍ୟକ୍ତି ଏହି ସର୍ଭେରେ ସାମିଲ ହୋଇ ପାରିବେ। ଏହି କାର୍ଯ୍ୟ ପାଇଁ ୨୨ ହଜାର ସୁପରଭାଇଜର, ୧୭୦୦ ବିଏଲ୍ଏମ୍, ୧୪୦ ଡିଏଲ୍ଏମ୍ଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।
ସୂଚନା ଅନୁଯାୟୀ, ଓଡ଼ିଶାରେ ୨୦୮ଟି ଏସସିବିସି ଜାତି ରାଜ୍ୟରେ ରହିଛନ୍ତି। ଜନଗଣନାରେ ଅନୁସୂଚିତ ଜାତି, ଜନଜାତିଙ୍କ ସଂଖ୍ୟାର ସ୍ବତନ୍ତ୍ର ଆକଳନ ହୁଏ। ଏଥିରେ ଓବିସି ସ୍ଥାନ ପାଏ ନାହିଁ। ପ୍ରଥମ ଥର ପାଇଁ ରାଜ୍ୟ ଏହିଭଳି କାର୍ଯ୍ୟ କରୁଛି। ଏଥିରେ ଓବିସିଙ୍କ ପରିବାରରେ ଲୋକ ସଂଖ୍ୟା, ଶିକ୍ଷାଗତ ଯୋଗ୍ୟତା, ପେସା ଆଦି ସ୍ଥାନ ପାଉଛି।
The post ମେ’ ପହିଲାରୁ ରାଜ୍ୟରେ ଆରମ୍ଭ ହେବ ଓବିସି ସର୍ଭେ first appeared on Sambad.from ରାଜ୍ୟ | Sambad https://ift.tt/3dLkRD3
0 Comments