ଅମ୍ଳଜାନ ପାଇଁ ୧୧୮୦ କିମି ଯାତ୍ରା, ୨୪ ଘଣ୍ଟାରେ ପହଞ୍ଚିଲେ ରାଉରକେଲାରୁ ମଧ୍ୟପ୍ରଦେଶର ସାଗରରେ

ଭୁବନେଶ୍ବର : ନିଦ ଲାଗୁଥିଲେ କିନ୍ତୁ ଶୋଇଲେ ନାହିଁ। ଭୋକ ଲାଗୁଥିଲା କିନ୍ତୁ ଖାଇଲେ ନାହିଁ। ରାଉରକେଲାରୁ ମଧ୍ୟପ୍ରଦେଶର ସାଗର ପର୍ଯ୍ୟନ୍ତ ୧୧୮୦ କିଲୋମିଟର ଯାତ୍ରାକୁ ୨୪ ଘଣ୍ଟା ମଧ୍ୟରେ ଅତିକ୍ରାନ୍ତ କରି ପହଞ୍ଚାଇ ଦେଲେ ଅମ୍ଳଜାନ ଏବଂ ବଞ୍ଚାଇଦେଲେ ସାଗରସ୍ଥିତ ବିଏମସି ଡାକ୍ତରଖାନାର ଚିକିତ୍ସାଧୀନ ଏକ ହଜାରରୁ ଊର୍ଧ୍ବ କରୋନା ରୋଗୀଙ୍କୁ। ବ୍ୟକ୍ତିଜଣକ କୌଣସି ପୌରାଣିକ କାହାଣୀର ଦେବଦୂତ କିମ୍ବା ଚଳଚ୍ଚିତ୍ର କି ଗଳ୍ପର କାଳ୍ପନିକ ନାୟକ ନୁହନ୍ତି, ବରଂ ବାସ୍ତବ ଜୀବନର କୋଭିଡ ଯୋଦ୍ଧା ଟ୍ରକ୍‌ ଚାଳକ ବୀର ସିଂ ଓ ତାଙ୍କ ସହଯୋଗୀ ଗୁଲାରାମ।

କରୋନାର ଦ୍ବିତୀୟ ଲହରରେ ଦେଶର ବିଭିନ୍ନ ସ୍ଥାନରେ ଅମ୍ଳଜାନ ଅଭାବ ଯୋଗୁଁ ପ୍ରତିଦିନ କେତେ ଯେ ବ୍ୟକ୍ତିଙ୍କ ମୃତ୍ୟୁ ହେଉଛି, ହିସାବ ନାହିଁ। ଏହାକୁ ଦୃଷ୍ଟିରେ ରଖି ଷ୍ଟିଲ ପ୍ଲାଣ୍ଟଗୁଡ଼ିକୁ ଅମ୍ଳଜାନ ଉତ୍ପାଦନର ଦାୟିତ୍ବ ଦିଆଯାଇଛି। ବିଭିନ୍ନ ସ୍ଥାନରେ ଯୋଗାଯୋଗ ଏବଂ ପରିବହନ ସମସ୍ୟା ଯୋଗୁଁ ଅମ୍ଳଜାନ ଠିକ ସମୟରେ ଡାକ୍ତରଖାନାରେ ପହଞ୍ଚି ପାରୁନଥିବା ଅଭିଯୋଗ ହେଉଛି। ଏଭଳି ସ୍ଥିତି ଉତ୍ପନ୍ନ ହେବାକୁ ଯାଉଥିଲା ମଧ୍ୟପ୍ରଦେଶର ସାଗରସ୍ଥିତ ବିଏମସି ଡାକ୍ତରଖାନାରେ ଚିକିତ୍ସାଧୀନ କୋଭିଡ୍‌ ରୋଗୀଙ୍କ ପାଇଁ। ସେଠାରେ ରୋଗୀ ଅମ୍ଳଜାନ ସଂକଟ ଯୋଗୁଁ ଛଟପଟ ହେଉଥିଲେ, ୨୪ ଘଣ୍ଟା ମଧ୍ୟରେ ସେମାନଙ୍କ ପାଖରେ ଏହା ପହଞ୍ଚିବାର ଆବଶ୍ୟକ ଥିଲା। ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଆବଶ୍ୟକ ତରଳ ଅମ୍ଳଜାନ ଦେବା ପାଇଁ ମଧ୍ୟ ପ୍ରସ୍ତୁତ ଥିଲା। ଏତେ କମ୍‌ ସମୟ ମଧ୍ୟରେ ୧୧୮୦ କିଲୋମିଟରର ଯାତ୍ରା କିଏ ଅତିକ୍ରମ କରି ଦାୟିତ୍ବସଂପନ୍ନ କାର୍ଯ୍ୟ କରିବ, ଏହା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ଥିଲା। ମାତ୍ର ଟ୍ରକ୍‌ ଚାଳକ ବୀର ସିଂ ଓ ସହଯୋଗୀ ଗୁଲାରାମଙ୍କ ସହାୟତାରେ ଏହି ଅସମ୍ଭବ କାର୍ଯ୍ୟ କରିଥିଲେ।

ସେ କହିଛନ୍ତି, ଲମ୍ବା ସମୟର ଯାତ୍ରା ଥିଲା। ତେଣୁ ଗାଡ଼ିରେ ଖାଦ୍ୟ, ପାଣି ରଖାଯାଇଥିଲା। କିନ୍ତୁ ଅନେକ ଅମୂଲ୍ୟ ଜୀବନର କଥା ଥିବାରୁ ବାଟରେ ଶୋଇବା ତ ଦୂରର କଥା ଖାଇଲୁ ବି ନାହିଁ। ବାଟ ସାରା ପାଣି ପିଇ ଅତିକ୍ରାନ୍ତ କରିଦେଲୁ। ଯଦି କେଉଁଠାରେ ଅଟକୁ ଥିଲୁ, କେବଳ ରାସ୍ତା ଜାଣିବା ପାଇଁ। କାରଣ ସାମାନ୍ୟ ଭୁଲ ଦିଗ ଅନେକ ଲୋକଙ୍କ ଜୀବନକୁ ବିପନ୍ନ କରିବାର ଆଶଙ୍କା ଥିଲା। ନିର୍ଧାରିତ ସମୟରେ ହିଁ ଡାକ୍ତରଖାନାରେ ପହଞ୍ଚି ହଜାରହଜାର ଲୋକଙ୍କ ଜୀବନ ଦାତା ପାଲଟିଥିଲେ। ଯାତ୍ରା ସମାପ୍ତ ପରେ ଉଭୟ ବୀର ସିଂ, ଗୁଲାରାମଙ୍କ ଚେହେରାରେ ଯାତ୍ରାର କ୍ଲାନ୍ତି ସହିତ ଜୀବନ ବଞ୍ଚାଇବାର ଆତ୍ମତୃପ୍ତି ତାଙ୍କୁ ଏକ ଭିନ୍ନ ମଣିଷ କରି ଦେଇଥିଲା।

The post ଅମ୍ଳଜାନ ପାଇଁ ୧୧୮୦ କିମି ଯାତ୍ରା, ୨୪ ଘଣ୍ଟାରେ ପହଞ୍ଚିଲେ ରାଉରକେଲାରୁ ମଧ୍ୟପ୍ରଦେଶର ସାଗରରେ first appeared on Sambad.

from ରାଜ୍ୟ | Sambad https://ift.tt/3vcYFc8

Post a Comment

0 Comments