ଏବେ ରାଇପାଡ଼ ଉପରେ ଆନ୍ଧ୍ରର ଆଖି

ନନ୍ଦପୁର : କୋରାପୁଟ ଜିଲ୍ଲାର ଆନ୍ଧ୍ର ସୀମାନ୍ତ କୋଟିଆ ଗ୍ରାମପୁଞ୍ଜକୁ ନେଇ ଦୀର୍ଘଦିନ ହେଲା ଲାଗି ରହିଛି ବିବାଦ। ଦିନକୁ ଦିନ ବିବାଦ ଜଟିଳ ହେବାରେ ଲାଗିଛି। ଗତକାଲି ନେରେଡିବାଲସାରେ କଳ, ବଳ ସହ କୌଶଳ ଲଗାଇ ଆନ୍ଧ୍ର ସରକାର ନିର୍ବାଚନ କରିଥିଲା। ଅନ୍ୟପଟେ ଆନ୍ଧ୍ର ସରକାରଙ୍କ ଆଉ ଏକ ଷଡ଼ଯନ୍ତ୍ର ସାମ୍ନାକୁ ଆସିଛି। ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ଥିବା କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଗୋଲୁର ପଞ୍ଚାୟତର ରାଇପାଡ଼ ଗ୍ରାମବାସୀଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଇ ନିଜ ରାଜ୍ୟର ନିର୍ବାଚନରେ ମତଦାନ କରାଇଛି ଆନ୍ଧ୍ର ସରକାର।

ଆନ୍ଧ୍ର ସରକାର ରାଇପାଡ଼ ଗ୍ରାମରେ ଅନୁପ୍ରବେଶ କରି ଦୀର୍ଘ ଦିନ ହେଲା ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଇ ଆସୁଛି। ଏପରିକି ଗ୍ରାମବାସୀଙ୍କ ନିକଟରେ ଉଭୟ ରାଜ୍ୟର ଭୋଟର ପରିଚୟପତ୍ର ଓ ଆଧାର କାର୍ଡ ମଧ୍ୟ ରହିଛି। ଗ୍ରାମରେ ବସବାସ କରୁଥିବା ସମସ୍ତ ୧୫ଟି ପରିବାରକୁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ରାସନ କାର୍ଡ, ଆଧାର କାର୍ଡ, ଭୋଟର ପରିଚୟପତ୍ର ଆଦି ପ୍ରଦାନ କରାଯାଇଛି। ସେହିପରି ମାଗଣା ବିଜୁଳି, ଦୁଇଟି ପାଣି ଟାଙ୍କି ସାହାଯ୍ୟରେ ପାନୀୟ ଜଳ ଯୋଗାଇ ଦେଉଛନ୍ତି। ଏପରକି କିଛି ପରିବାରକୁ ପକ୍କାଘର ମଧ୍ୟ ପ୍ରଦାନ କରାଯାଇଛି। ଗ୍ରାମର ପିଲାଙ୍କୁ ଶିକ୍ଷିତ କରିବାକୁ ବି ସଂପୂର୍ଣ୍ଣ ଦାୟିତ୍ବ ନେଇ ବିଦ୍ୟାଳୟ ସ୍ଥାପନ କରିଛନ୍ତି ଆନ୍ଧ୍ର ସରକାର। ଓଡ଼ିଶା ସରକାର ଏହି ଗ୍ରାମବାସୀଙ୍କ ସମସ୍ୟା ପ୍ରତି ବିଶେଷ ଦୃଷ୍ଟି ଦେଉ ନଥିବା ବେଳେ ଓଡ଼ିଶା ସରକାରଙ୍କ କୌଣସି ଯୋଜନାର ଚିହ୍ନବର୍ଣ୍ଣ ମଧ୍ୟ ଦେଖିବାକୁ ମିଳୁନି। ଏଭଳି ସ୍ଥିତିରେ ସୀମାନ୍ତରେ ଥିବା ରାଇପାଡ଼ ଗ୍ରାମବାସୀ ଆନ୍ଧ୍ର ମୁହାଁ ହେଉଛନ୍ତି। ଗତକାଲି ଆନ୍ଧ୍ରପ୍ରଦେଶ ପକ୍ଷରୁ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ରାଇପାଡ଼ ଗ୍ରାମର ସମସ୍ତ ଭୋଟର ଆନ୍ଧ୍ରର ଆରକୁ ମଣ୍ଡଳର ସାରାଇ ବୁଥକୁ ଯାଇ ଭୋଟ ଦେଇଥିବା ଜଣାପଡ଼ିଛି।

The post ଏବେ ରାଇପାଡ଼ ଉପରେ ଆନ୍ଧ୍ରର ଆଖି first appeared on Sambad.

from ରାଜ୍ୟ | Sambad https://ift.tt/3d4Tyo7

Post a Comment

0 Comments