ମାସ୍କ୍ ପାଇଁ ଜରିମାନା ରାଶି ବୃଦ୍ଧି ନିଷ୍ପତ୍ତିକୁ ହାଇକୋର୍ଟରେ ଚାଲେଞ୍ଜ

କଟକ : କରୋନା ଭୂତାଣୁ ସଂକ୍ରମଣ ଜନିତ ସ୍ଥିତିରେ ମାସ୍କ ନ ପିନ୍ଧିଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରିବା ପାଇଁ ଧାର୍ଯ୍ୟ କରାଯାଇଥିବା ଜରିମାନା ରାଶି ୨ ହଜାର ଟଙ୍କାକୁ ବୃଦ୍ଧି ସଂପର୍କିତ ବିବାଦ ହାଇକୋର୍ଟରେ ପହଞ୍ଚିଛି। ମାସ୍କ ନ ପିନ୍ଧି ଧରା ପଡିଲେ ପ୍ରଥମ ଦୁଇ ଥର ପାଇଁ ଜରିମାନା ରାଶି ୨ ହଜାର ଟଙ୍କାକୁ ବୃଦ୍ଧି ପ୍ରସଂଗକୁ ବିରୋଧ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି।

ବଲାଙ୍ଗୀର ସମାଜସେବୀ ପର୍‌ଭର୍‌ଜିତ୍ ସିଂ ସାଲୁଜାଙ୍କ ପକ୍ଷରୁ ଦାଖଲ ଜନସ୍ବାର୍ଥ ଆବେଦନରେ ଦର୍ଶାଯାଇଛି ଯେ ପୂର୍ବରୁ ମାସ୍କ ନ ପିନ୍ଧି ଜଣେ ବ୍ୟକ୍ତି ଧରା ପଡ଼ିଲେ ପ୍ରଥମ ଓ ଦ୍ବିତୀୟ ଥର ୧ ହଜାର ଟଙ୍କା ଜରିମାନା ଦେଉଥିଲେ। ଏହାପରେ ସଂପୃକ୍ତ ବ୍ୟକ୍ତି ମାସ୍କ ନ ପିନ୍ଧି ଧରା ପଡ଼ିଲେ ତାଙ୍କ ନିକଟରୁ ୫ ହଜାର ଟଙ୍କା ଜରିମାନା ଆଦାୟ ପାଇଁ ନିୟମ ରହିଥିଲା। କିନ୍ତୁ ୨୦୨୦, ଅଗଷ୍ଟ ୩୧ର ଏହି ନିୟମବାଳୀରେ ସରକାର ସଂଶୋଧନ କରି ଜରିମାନା ପରିମାଣ ବୃଦ୍ଧି କରିଥିଲେ। ଏପିଡେମିକ୍ ଡିଜିଜେସ୍ ଆକ୍ଟରେ ପ୍ରଦାନ କରାଯାଇଥିବା କ୍ଷମତା ପ୍ରୟୋଗ କରି ରାଜ୍ୟ ସରକାର ୨୦୨୦, ଅଗଷ୍ଟ ୩୧ର ନିୟମରେ ପରିବର୍ତ୍ତନ କରି ମାସ୍କ ନ ପିନ୍ଧି ଧରା ପଡିଲେ ପ୍ରଥମ ଦୁଇ ଥର ପାଇଁ ଜରିମାନା ରାଶି ୨ ହଜାର ଟଙ୍କାକୁ ବୃଦ୍ଧି କରିଥିଲେ। ଏଭଳି କରାଯିବା ବେଆଇନ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ଅନ୍ୟ ରାଜ୍ୟରେ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ଅନ୍ୟ ରାଜ୍ୟରେ ଜରିମାନା ରାଶି କିନ୍ତୁ ଅପେକ୍ଷାକୃତ କମ୍। ମାସ୍କ ନ ପିନ୍ଧି ଧରା ପଡିଲେ ପ୍ରଥମ ଦୁଇ ଥର ପାଇଁ ଜରିମାନା ରାଶି ୨ ଶହ ଟଙ୍କା ଓ ତା ପରେ ୫ଶହ ଟଙ୍କା‌ ଧାର୍ଯ୍ୟ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି।

The post ମାସ୍କ୍ ପାଇଁ ଜରିମାନା ରାଶି ବୃଦ୍ଧି ନିଷ୍ପତ୍ତିକୁ ହାଇକୋର୍ଟରେ ଚାଲେଞ୍ଜ first appeared on Sambad.

from ରାଜ୍ୟ | Sambad https://ift.tt/3g6uNd2

Post a Comment

0 Comments