ଟିକା ଅର୍ଡର କଲା ଓଡ଼ିଶା, ୧୮ରୁ ୪୪ ବର୍ଷ ବୟସର ୧.୯୩କୋଟି ଉପକୃତ ହେବେ

ଭୁବନେଶ୍ବର : ଓଡ଼ିଶାରେ ୧୮ରୁ ୪୪ବର୍ଷ ବୟସର ବ୍ୟକ୍ତିମାନଙ୍କୁ ମାଗଣାରେ କୋଭିଡ ଟିକା ପ୍ରଦାନ କରାଯିବ। ଏ ନେଇ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କୋଭିସିଲ୍‌ଡ୍‌ ଓ କୋଭାକ୍‌ସିନ ପ୍ରସ୍ତୁତକାରୀ କମ୍ପନିମାନଙ୍କୁ ପୃଥକ ଚିଠି ଲେଖି ରାଜ୍ୟ ପାଇଁ ଟିକା ଅର୍ଡର କରିଛନ୍ତି। ଆସନ୍ତା ମେ’ ପହିଲାରୁ ଏହି ବୟସର ସମସ୍ତ ବ୍ୟକ୍ତିଙ୍କୁ ମାଗଣା ଟିକା ପ୍ରଦାନ କରାଯିବ। ବିଏମ୍‌ସି ଅଞ୍ଚଳ ବ୍ୟତୀତ ବାକି ସବୁ ଅଞ୍ଚଳରେ କୋଭିସିଲ୍‌ଡ୍‌ ଟିକା ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଟିକା କିଣା ବାବଦରେ ରାଜ୍ୟ ସରକାର ୧ ହଜାର ୫୭୦ କୋଟି ୪ ଲକ୍ଷ ଟଙ୍କା ବହନ କରିବେ।

କୋଭିସିଲ୍‌ଡ ପ୍ରସ୍ତୁତ କରୁଥିବା ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକଙ୍କୁ ଅଦର ପୁନାଓ୍ବାଲାଙ୍କୁ ଚିଠି ଲେଖି ଶ୍ରୀ ମହାପାତ୍ର ଜଣାଇଛନ୍ତି, ରାଜ୍ୟରେ ୧ କୋଟି ୯୩ ଲୋକ ବ୍ୟକ୍ତି ମାଗଣାରେ ଟିକା ନେବେ। ଏଥିପାଇଁ ୩୭୭ ଲକ୍ଷ ପରିମାଣର ଡୋଜ୍‌ କୋଭିସିଲଡ୍‌ କିଣିବାକୁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏ ବାବଦରେ ଗୋଟିଏ ଲେଖାଏଁ କୋଭିସିଲ୍‌ଡ ଟିକାକୁ ୪୦୦ ଟଙ୍କା ଲେଖାଏଁ କମ୍ପାନିକୁ ପଇଠ କରାଯିବ। ମୋଟ ୩୭୭ ଲକ୍ଷ ଡୋଜ୍‌ ପାଇଁ ରାଜ୍ୟ ସରକାର ୧ ହଜାର ୫୦୮ କୋଟି ବହନ କରିବେ। କୋଭିଡ୍‌ ଟିକା ନେଇ ଭାରତ ସରକାର କୋହଳ ନୀତି ଘୋଷଣା କରିବା ପରେ ଏହି ବୟସର ବ୍ୟକ୍ତିମାନଙ୍କୁ ମହାମାରୀରୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଟିକା ପରିଚାଳନା ସମ୍ପୂର୍ଣ୍ଣ ଭାବେ ରାଜ୍ୟ ଔଷଧ ନିଗମ ଅଧୀନରେ କରାଯିବ। ଓଏସ୍‌ଏମ୍‌ସିଏଲ୍‌ ନୋଡାଲ୍‌ ଏଜେନ୍‌ସି ଭାବେ କାର୍ଯ୍ୟ କରିବ। ଟିକା ଯୋଗାଣ ପାଇଁ ଆବଶ୍ୟକ ସର୍ତ୍ତ ଓ ଅର୍ଥ ପଇଠ କରିବାର ବିବରଣୀ ତୁରନ୍ତ ପ୍ରଦାନ କରିବାକୁ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପୁନାଓ୍ବାଲାଙ୍କୁ ଚିଠିରେ ଜଣାଇଛନ୍ତି।

ସେହିପରି ଶ୍ରୀ ମହାପାତ୍ର ଆଉ ଗୋଟିଏ ପୃଥକ ଚିଠି କୋଭାକ୍‌ସିନ୍‌ ପ୍ରସ୍ତୁତକାରୀ କମ୍ପାନି ଭାରତ ବାୟୋଟେକ୍‌ ଇଣ୍ଟରନ୍ୟାସନାଲ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡା.କ୍ରିଷ୍ଣା ଏଲ୍ଲାଙ୍କୁ ଲେଖିଛନ୍ତି। ଚିଠିରେ ୧୦ ଲକ୍ଷ ୩୪ ହଜାର କୋଭାକ୍‌ସିନ୍‌ ଟିକା ପଠାଇବାକୁ ଅନୁରୋଧ କରିଛନ୍ତି। ପ୍ରତି କୋଭାକ୍‌ସିନ୍‌ ଟିକା କିଣିବା ବାବଦରେ ରାଜ୍ୟ ସରକାର ୬୦୦ ଟଙ୍କା ପ୍ରଦାନ କରିବେ। ମୋଟ ୧୦ ଲକ୍ଷ ୩୪ ହଜାର ଟିକା ପାଇଁ ୬୨ କୋଟି ୪ ଲକ୍ଷ ଟଙ୍କା ସରକାର ଭାରତ ବାୟୋଟେକ୍‌କୁ ପ୍ରଦାନ କରିବେ।

The post ଟିକା ଅର୍ଡର କଲା ଓଡ଼ିଶା, ୧୮ରୁ ୪୪ ବର୍ଷ ବୟସର ୧.୯୩କୋଟି ଉପକୃତ ହେବେ first appeared on Sambad.

from ରାଜ୍ୟ | Sambad https://ift.tt/3eu51xc

Post a Comment

0 Comments