ବିଜେପିରେ ସାମିଲ ହେଲେ ସ୍ମୃତିରେଖା

ଭୁବନେଶ୍ବର : ଧର୍ମଶାଳାର କଂଗ୍ରେସ ନେତ୍ରୀ ସ୍ମୃତିରେଖା ପହି ଗତ ସପ୍ତାହରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଆଜି ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ନିଜ ସମର୍ଥକମାନଙ୍କ ସହ ସ୍ମୃତିରେଖା ବିଜେପିରେ ମିଶିଥିଲେ। ଏହି ମିଶ୍ରଣ ଦ୍ବାରା ଦଳ ଆହୁରି ମଜୁବତ୍ ହେବ ବୋଲି ସଭାପତି ଶ୍ରୀ ମହାନ୍ତି କହିଥିଲେ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ଆଗାମୀ ଦିନରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଦୃଢ଼ ଇଚ୍ଛାଶକ୍ତି ଓ କଠୋର ପରିଶ୍ରମ ବଳରେ ଓଡ଼ିଶାର ରାଜନୈତିକ ପରିବର୍ତନ ଅବଶ୍ୟ ହେବ। ଏହାକୁ କେହି ରୋକିପାରିବେ ନାହିଁ। ୨୦୩୬ ସୁଦ୍ଧା ଓଡ଼ିଶାକୁ ଭାଷାଭିତ୍ତିକ ରାଜ୍ୟ ଗଠନ ହେବାର ୧୦୦ ବର୍ଷ ପୂରଣ ହେଉଥିବା ବେଳେ ଶିଶୁମାନେ ଅପପୁଷ୍ଟିର ଶିକାର ହେବା ଅତ୍ୟନ୍ତ ଚିନ୍ତାଜନକ ବିଷୟ। ତେଣୁ ଓଡ଼ିଶାରେ ପରିବର୍ତନ ଅବଶ୍ୟାମ୍ଭବୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ସ୍ୱୀକାର କରି ଦଳରେ ମିଶିଥିବା ନୂଆ କାର୍ଯ୍ୟକର୍ତାମାନଙ୍କୁ ଧନ୍ୟବାଦ ଦେବା ସହ ସମସ୍ତଙ୍କ ଉପସ୍ଥିତି ବିଜେପିକୁ ତୃଣମୂଳ ସ୍ତରରେ ଆହୁରି ମଜବୁତ୍ କରିବ ବୋଲି କହିଥିଲେ।

ସ୍ମୃତିରେଖା କହିଥିଲେ ଯେ ଗତ ୩୦ ବର୍ଷ ଧରି ଧର୍ମଶାଳାରେ ଦୁର୍ନୀତି ଓ ଭ୍ରଷ୍ଟ୍ରାଚାର ବ୍ୟାପକ ଭାବେ ଚାଲିଛି। ଏହା ବିରୋଧରେ ଲଢ଼େଇ ଜାରି ରହିବ। ଏହି ଅବସରରେ ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ନିର୍ବାଚନମଣ୍ଡଳୀର କିଛି କଂଗ୍ରେସ ନେତା ବିଜେପିରେ ସାମିଲ ହୋଇଥିଲେ। ମିଶ୍ରଣ ପର୍ବରେ ବିଜେପି ନେତାମାନେ ଉପସ୍ଥିତ ଥିଲେ।

The post ବିଜେପିରେ ସାମିଲ ହେଲେ ସ୍ମୃତିରେଖା first appeared on Sambad.

from ରାଜ୍ୟ | Sambad https://ift.tt/2RCcPVO

Post a Comment

0 Comments