
ବିଧାନସଭା ଘେରାଉ ବେଳେ ଉଠାଇନେଲା ପୁଲିସ
ଗଣଶିକ୍ଷା ମନ୍ତ୍ରୀଙ୍କ ପରାମର୍ଶ: ପାଠପଢ଼ା ପ୍ରତି ଗୁରୁତ୍ବ ଦିଅ
ଶିକ୍ଷାବିତ୍ଙ୍କ ନାପସନ୍ଦ, ବାତିଲ୍ କଲେ ଠିକ୍ ହେବନି
ଭୁବନେଶ୍ବର : ଯୁକ୍ତ୨ ପରୀକ୍ଷା ବାତିଲ ଦାବିରେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ। ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଆଜି ରାସ୍ତାକୁ ଓହ୍ଲାଇବା ସହ ମାଟ୍ରିକ୍ ପରି ଯୁକ୍ତ୨ ପରୀକ୍ଷା ବାତିଲ୍ କରିବାକୁ ଦାବି ଉପସ୍ଥାପନ କରିଛନ୍ତି। ନ ହେଲେ ଆଗାମୀ ଦିନରେ ସାରା ରାଜ୍ୟରେ ବ୍ୟାପକ ଆନ୍ଦୋଳନ କରାଯିବା ସହ ନବୀନ ନିବାସ ଘେରାଉ ହେବ ବୋଲି ଚେତାବନୀ ଦେଇଛନ୍ତି। ତେବେ ଛାତ୍ରଛାତ୍ରୀଙ୍କ ଏଭଳି ଆଭିମୁଖ୍ୟକୁ ଶିକ୍ଷାବିତ୍ମାନେ ନାପସନ୍ଦ କରିଛନ୍ତି। ଯୁକ୍ତ୨ ପରୀକ୍ଷା ବାତିଲ୍ କରିବା କୌଣସି ପରିସ୍ଥିତିରେ ଠିକ୍ ହେବନି ବୋଲି ସେମାନେ ମତ ଦେଇଛନ୍ତି।
ନବ ନିର୍ମାଣ ଯୁବ ଛାତ୍ର ସଙ୍ଗଠନ ସମର୍ଥନରେ ଯୁକ୍ତ୨ ପରୀକ୍ଷା ଦେବାକୁଥିବା ଶତାଧିକ ଛାତ୍ରଛାତ୍ରୀ ସୋମବାର ଦିନ ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ୍ ଛକରେ ଏକାଠି ହେବା ସହ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ। ମାଟ୍ରିକ୍ ପରି ଆମ ପରୀକ୍ଷା ବାତିଲ୍ କରିବାକୁ ଦାବି କରିଥିଲେ। ଏପରିକି ସୁରକ୍ଷା ବଳୟ ଭେଦ କରି ସେମାନେ ବିଧାନସଭା ଆଡ଼କୁ ଅଗ୍ରସର ହେଉଥିବା ସମୟରେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ ଆନ୍ଦୋଳନରତ ଛାତ୍ରଛତ୍ରୀଙ୍କୁ ଘଉଡ଼ାଇବା ସହ କିଛି ଛାତ୍ର ଓ ଛାତ୍ର ସଂଗଠନର କର୍ମୀଙ୍କୁ ଉଠାଇ ନେଇଥିଲା। କେବଳ ଭୁବନେଶ୍ବର ନୁହେଁ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ବି ଯୁକ୍ତ୨ ପରୀକ୍ଷା ବାତିଲ ଦାବି ଜୋର ଧରିଛି। କାକଟପୁର ମଙ୍ଗଳା ମହାବିଦ୍ୟାଳୟର ଯୁକ୍ତ୨ ଛାତ୍ରଛାତ୍ରୀ ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟରେ ବି ଶୁଭିଛି ପ୍ରତିବାଦର ସ୍ବର।
ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ତାଙ୍କର ପୂର୍ବ କଥା ଦୋହରାଇ କହିଛନ୍ତି ଯେ ଯୁକ୍ତ୨ ପରୀକ୍ଷାକୁ ଏବେ ସ୍ଥଗିତ ରଖାଯାଇଛି। ତେଣୁ ଛାତ୍ରଛାତ୍ରୀ ପାଠପଢ଼ାରେ ଧ୍ୟାନ ଦିଅନ୍ତୁ। ଜୁନ୍ ପ୍ରଥମ ସପ୍ତାହରେ ବୈଠକ କରାଯାଇ ଏବିଷୟରେ ଆଲୋଚନା ହେବ। ଶିକ୍ଷାବିତ୍ଙ୍କ ମତରେ ଆନ୍ଦୋଳନ କଲେ ଯେ ପରୀକ୍ଷା ବାତିଲ୍ ହୋଇଯିବ ତାହା ଭାବିବା ଠିକ୍ ନୁହେଁ। ଦେଶ ତଥା ରାଜ୍ୟର ସ୍ଥିତିକୁ ଦେଖି ରାଜ୍ୟ ସରକାର ନିଷ୍ପତ୍ତି ନେଉଛନ୍ତି। ସିବିଏସ୍ଇ, ଆଇସିଏସ୍ସିଇ ପରି କେନ୍ଦ୍ରୀୟ ବୋର୍ଡ ଏପର୍ଯ୍ୟନ୍ତ ଯୁକ୍ତ୨ ପରୀକ୍ଷା ନେଇ କୌଣସି ନିଷ୍ପତ୍ତି ନେଇନାହାନ୍ତି। କାରଣ ପିଲାଙ୍କ ଉଚ୍ଚଶିକ୍ଷା ସହ ଏହି ପରୀକ୍ଷା ଜଡ଼ିତ ରହୁଛି। ଯଦି ପରୀକ୍ଷା ବାତିଲ୍ ହୁଏ ତେବେ ବହୁ ମେଧାବୀ ଛାତ୍ରଛାତ୍ରୀ ହଇରାଣ ହେବେ। ତେଣୁ ରାଜ୍ୟ ସରକାର ତରବରିଆ ଭାବେ ନିଷ୍ପତ୍ତି ନେବା ଠିକ୍ ହେବ ନାହିଁ। ମାଟ୍ରିକ ପରୀକ୍ଷାର୍ଥୀ ଆନ୍ଦୋଳନ କରିବା ପରେ ରାଜ୍ୟ ସରକାର ପରୀକ୍ଷା ବାତିଲ କରିଥିବାରୁ ଯୁକ୍ତ୨ ପରୀକ୍ଷାର୍ଥୀଙ୍କୁ ଏହା ବଳ ଯୋଗାଉଛି। ଏଭଳି ଆନ୍ଦୋଳନ ପଛରେ କିଛି ବାହ୍ୟ ଶକ୍ତି ବି କାମ କରୁଥିବା ସନ୍ଦେହ କରାଯାଉଛି।
The post ଯୁକ୍ତ୨ ପରୀକ୍ଷା ବାତିଲ୍ ଦାବିରେ ବିକ୍ଷୋଭ first appeared on Sambad.from ରାଜ୍ୟ | Sambad https://ift.tt/3gCTMFj
0 Comments