
କୋରାପୁଟ, ବଲାଙ୍ଗୀରକୁ ଗୋଟିଏ ଲେଖାଏଁ ଆରଟି-ପିସିଆର ମେସିନ୍
ଅଧିକ ଘରୋଇ ପରୀକ୍ଷାଗାରକୁ ସାମିଲ୍ ନିଷ୍ପତ୍ତି
ଭୁବନେଶ୍ବର : ରାଜ୍ୟରେ ଆଗକୁ ଦୈନିକ ୫୦ ହଜାର କୋଭିଡ୍ ନମୁନା ପରୀକ୍ଷା କରାଯିବ। ରାଜ୍ୟ ସରକାର ଧୀରେ ଧୀରେ ନମୁନା ପରୀକ୍ଷା ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ଅଧିକ ମାତ୍ରାରେ ଆର୍ଟି-ପିସିଆର୍ ପରୀକ୍ଷା କରାଯିବ। ଏଥିପାଇଁ କୋରାପୁଟ ଓ ବଲାଙ୍ଗୀର ଜିଲ୍ଲାକୁ ଆହୁରି ଗୋଟିଏ ଲେଖାଏଁ ଆରଟି-ପିସିଆର ମେସିନ୍ ପଠାଯିବ ବୋଲି ସୂଚନା ମିଳିଛି। ଫଳରେ ଏହି ଦୁଇ ଜିଲ୍ଲାର ଆଖପାଖ ଜିଲ୍ଲାରୁ ସଂଗୃହୀତ ହେଉଥିବା ନମୁନା ରାଜଧାନୀକୁ ପଠାଇବାକୁ ପଡ଼ିବ ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
ରାଜ୍ୟରେ ଏବେ ପ୍ରାୟ ଦୈନିକ ୩୦ହଜାର କୋଭିଡ୍ ନମୁନା ପରୀକ୍ଷା କରାଯାଉଛି। ମାତ୍ର ରାଜ୍ୟରେ ସଂକ୍ରମଣ ବଢ଼ୁଥିବାରୁ ଅଧିକରୁ ଅଧିକ ଲୋକଙ୍କ ପରୀକ୍ଷା କରିବା ଲାଗି ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ଆର୍ଟି-ପିସିଆର୍ ପରୀକ୍ଷା ଉପରେ ଅଧିକ ଗୁରୁତ୍ବ ଦିଆଯାଉଥିବାରୁ ଅଧିକ ସଂଖ୍ୟାରେ ଘରୋଇ ଲାବ୍କୁ ସାମିଲ୍ କରିବା ଲାଗି ନିକଟରେ ରାଜ୍ୟ ଔଷଧ ନିଗମ ପକ୍ଷରୁ ଏକ୍ସପ୍ରେସ୍ ଅଫ ଇଣ୍ଟରେଷ୍ଟ(ଇଓପି) ମଗାଯାଇଛି। ଆସନ୍ତା ୧୫ ତାରିଖରେ ରାଜଧାନୀ ସମେତ ରାଜ୍ୟର ଅନ୍ୟ ଘରୋଇ ଲାବ୍କୁ କୋଭିଡ୍ ପରୀକ୍ଷାରେ ସାମିଲ କରାଯିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି। ରାଜ୍ୟରେ ଏବେ କିଛିସଂଖ୍ୟକ ଘରୋଇ ଲାବ୍ରେ କୋଭିଡ୍ ପରୀକ୍ଷା କରାଯାଉଛି।
ସେହିପରି ବଲାଙ୍ଗୀର ଓ କୋରାପୁଟ ଜିଲ୍ଲାରେ କୋଭିଡ୍ ନମୁନା ପରୀକ୍ଷାକୁ ଅଧିକ ବଢ଼ାଯିବ। ପୂର୍ବରୁ ଏସବୁ ଜିଲ୍ଲାରେ ଗୋଟିଏ ଲେଖାଏଁ ଆର୍ଟି-ପିସିଆର ମେସିନ୍ ରହିଛି। ଆଉ ଗୋଟିଏ ଲେଖାଏଁ ମେସିନ୍ ବସାଯିବା ପରେ ଜିଲ୍ଲାରେ ପରୀକ୍ଷା ସଂଖ୍ୟା ବୃଦ୍ଧି ପାଇବ। ଆର୍ଟି-ପିସିଆର୍ ନମୁନା ଫଳାଫଳ ଶୀଘ୍ର ମିଳି ପାରିବା ସହ ଭୁବନେଶ୍ବରର ଲାବ୍ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ରାଜ୍ୟରେ ଏବେ ୧୮ଟି ଜିଲ୍ଲାରେ ଆର୍ଟି-ପିସିଆର୍ ମେସିନ୍ରେ ପରୀକ୍ଷା କରାଯାଉଛି। ନିକଟରେ ଦେବଗଡ଼ ଓ ନୟାଗଡ଼ ଜିଲ୍ଲାରେ ଆରଟି-ପିସିଆର ମେସିନ୍ କାର୍ଯ୍ୟ କରିବା ଆରମ୍ଭ କରିଛି। ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ରାଜ୍ୟରେ ଏବେ ଦୈନିକ ୧୦ହଜାର ଆରଟି-ପିସିଆର ନମୁନା ପରୀକ୍ଷା କରାଯାଉଛି। ଆଉ ୨ଟି ମେସିନ୍ କାର୍ଯ୍ୟ କରିବା ପରେ ନମୁନା ପରୀକ୍ଷା ସଂଖ୍ୟାରେ ବୃଦ୍ଧି ଘଟିବ। ଦେଶର ଅନେକ ରାଜ୍ୟରେ ଘରୋଇ ଲାବ୍ରେ ଅଧିକ ସଂଖ୍ୟାରେ ପରୀକ୍ଷା ହେଉଥିବା ବେଳେ ରାଜ୍ୟରେ ସରକାରୀ ଲାବ୍ରେ ଅଧିକ ଚାପ ରହୁଛି। ତେଣୁ ଏହି ଚାପକୁ କମାଇବା ଲାଗି ଅଧିକ ସଂଖ୍ୟାରେ ସରକାରୀ ଅନୁବନ୍ଧିତ ଘରୋଇ ଲାବ୍କୁ ସାମିଲ କରିବା ଲାଗି ନିଷ୍ପତ୍ତି ନିଆଯାଇଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।
The post ଦୈନିକ କୋଭିଡ୍ ପରୀକ୍ଷା ଲକ୍ଷ୍ୟ ୫୦ ହଜାର first appeared on Sambad.from ରାଜ୍ୟ | Sambad https://ift.tt/3s8lg7J
0 Comments