ବିଜେଡି ଇଙ୍ଗିତରେ ପୁଲିସ କାମ କରୁଛି: ବିଜେପି

ଭୁବନେଶ୍ୱର : ପିପିଲିବାସୀ ପରିବର୍ତନ ମୁହାଁ ହୋଇଛନ୍ତି। ୩୫ ବର୍ଷର ଗୁଣ୍ଡାରାଜକୁ ଛାଡ଼ି ପିପିଲି-ଡେଲାଙ୍ଗବାସୀ ବିକାଶରେ ସାମିଲ ହେବା ପାଇଁ ସୁନିଶ୍ଚିତ କରିଛନ୍ତି। ତେବେ ଦୁଃଖ ଓ ପରିତାପର ବିଷୟ ହେଉଛି ଯେ ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରାଇ ନଦେବା ପାଇଁ ଶାସକ ବିଜେଡି ଦଳ ପୁଲିସକୁ ହାତବାରିଶି କରି ଷଡ଼୍‌ଯନ୍ତ୍ର ରଚନା କରୁଛି ବୋଲି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଅଭିଯୋଗ କରିଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାତ୍ର କହିଛନ୍ତି ଯେ ନିର୍ବାଚନ ସମୟରେ ଘୋଷିତ ଅପରାଧୀ, ପଳାତକ ଓ ଯେଉଁ ଅପରାଧୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ରାଜ୍ୟ ସରକାର ଓ ପୁଲିସ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି। ଯଦି କଟକ ହସ୍ପିଟାଲରୁ ଗ୍ୟାଙ୍ଗଷ୍ଟର ହାଇଦର ଖସିଯାଇ ପାରୁଛି ତେବେ ରାଜ୍ୟରେ ପୁଲିସର ବଡ଼ ବଡ଼ ଅଧିକାରୀମାନେ କ’ଣ କରୁଛନ୍ତି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ପ୍ରଶ୍ନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଓ ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ବିଜେପି ଡ୍ରାମାବାଜି କରୁଛି: ବିଜେଡି
ଭୁବନେଶ୍ବର : ପିପିଲି ଉପନିର୍ବାଚନରେ ବିଜେପି ନିଜର ଶୋଚନୀୟ ପରାଜୟ ହେଉଥିବା ଦେଖି ବିବ୍ରତ ଓ ହତାଶ ହୋଇପଡ଼ିଛି। ଅଭ୍ୟାସଗତ ଭାବେ ମିଥ୍ୟା ଅଭିଯୋଗ କରିବା ସହିତ ପ୍ରତିଦିନ ନେତାମାନେ ସାମ୍ବାଦିକ ସମ୍ମିଳନୀ କରି ଓ ନିର୍ବାଚନ କମିସନକୁ ଯାଇ ନିଜର ପରାଜୟ ପାଇଁ ବାହାନା େଖାଜୁଛନ୍ତି। ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ଆଜି ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଏପରି ଆକ୍ଷେପ କରିଛନ୍ତି। ଶ୍ରୀମତୀ ମିଶ୍ର କହିଛନ୍ତି, ପ୍ରତିଦିନ ବିଜେପି ନାଟକ ଓ ଡ୍ରାମାବାଜି କରି ଅଭ୍ୟାସଗତ ଭାବେ ଅସତ୍ୟ ଓ ମିଥ୍ୟା ବକ୍ତବ୍ୟ ଦ୍ବାରା ଅପପ୍ରଚାରରେ ମାତିଛି। ବିଜେପି କର୍ମୀଙ୍କ ପାଖରୁ ପଚାଶ ଲକ୍ଷ ଟଙ୍କା ଧରାପଡିବା, ବିଜେପି କର୍ମୀଙ୍କ ଦ୍ବାରା ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ଆକ୍ରମଣ କରିବା, ବିଜେଡି କର୍ମୀଙ୍କୁ ଆକ୍ରମଣ କରି ଗୁରୁତର ଅବସ୍ଥାରେ ପକାଇବା ଓ ତାଙ୍କ ପରିବାରବର୍ଗଙ୍କ ସହିତ ଅଶାଳୀନ ଆଚରଣ କରିବା ପରେ ବି ବିଜେପି ମୁହଁକୁ ଲଜ୍ଜା ନାହିଁ। ବିଜେପିର ଏହି ଡ୍ରାମା ଓଡ଼ିଶାବାସୀ ବୁଝିସାରିଲେଣି। ୨୦୧୪ ଓ ୨୦୧୯ରେ ମଧ୍ୟ ବିଜେପି ଏଭଳି କରୁଥିଲା ବୋଲି ବିଜେଡି ଆକ୍ଷେପ କରିଛି।

The post ବିଜେଡି ଇଙ୍ଗିତରେ ପୁଲିସ କାମ କରୁଛି: ବିଜେପି first appeared on Sambad.

from ରାଜ୍ୟ | Sambad https://ift.tt/3a2EbKT

Post a Comment

0 Comments