ମାଟ୍ରିକ୍‌ର ସବୁ ସଂସ୍କାର ବେକାର; ପରୀକ୍ଷା ବାତିଲ୍‌ ଓଡ଼ିଶା ଇତିହାସରେ ପ୍ରଥମ, ୯୦ ଦିନ କ୍ଲାସରୁମ୍‌ ପାଠପଢ଼ା କାମରେ ଆସିଲାନି

ଭୁବନେଶ୍ବର : ୨୦୨୦-୨୧ ଶିକ୍ଷାବର୍ଷ ଆରମ୍ଭ ହେଉ ହେଉ ମାଡ଼ି ଆସିଲା କରୋନା। ଏପ୍ରିଲରେ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବାକୁ ଥିବା ବେଳେ ମାର୍ଚ୍ଚ ମାସ ଅଧାରେ ବନ୍ଦ ହୋଇଯାଇଥିଲା କ୍ଲାସରୁମ୍‌ ପାଠପଢ଼ା। ପୁଣିଥରେ କେବେ ଓ କେମିତି ପାଠପଢ଼ା ଆରମ୍ଭ ହେବ ତାହାକୁ ନେଇ ଆଶା ଆଶଙ୍କା ଲାଗି ରହିଥିଲା। ବିଶେଷକରି ୯ମରୁ ଦଶମ ଶ୍ରେଣୀଙ୍କୁ ଉନ୍ନିତ ହୋଇଥିବା ତଥା ୨୦୨୧ରେ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ନେଇ ଚିନ୍ତା ବଢ଼ିଥିଲା। ତାହାରି ଭିତରେ ଗୁଣାତ୍ମକ ଶିକ୍ଷା ଦେବା ଲାଗି ରାଜ୍ୟ ସରକାର ଉଦ୍ୟମ ଜାରି ରଖିଥିଲେ। ଗୋଟିଏ ପରେ ଗୋଟିଏ ଅବିଶ୍ବସନୀୟ ପଦକ୍ଷେପ ଗ୍ରହଣ କରିବା ସହ ପିଲାଙ୍କ ନିକଟରେ ଶିକ୍ଷା ପହଞ୍ଚାଇ ଥିଲେ। ରେଡିଓଠାରୁ ଆରମ୍ଭ କରି ଟିଭି, ‌ଇଣ୍ଟରନେଟ୍‌, ‌ହ୍ବାଟସପ୍‌ ଗ୍ରୁପ୍‌ କରି ଶିକ୍ଷକ ଶିକ୍ଷୟିତ୍ରୀ ପିଲାଙ୍କୁ ପଢ଼ା‌ଇଲେ। ତା’ପରେ ବି ପିଲାମାନେ ପରୀକ୍ଷା ଦେଇପାରିଲେ ନାହିଁ। କରୋନା ସଂକ୍ରମଣ ଭିତରେ ‌ସେମାନଙ୍କ ଗୋଟିଏ ଶିକ୍ଷାବର୍ଷ ବିତିବା ସହ ସ୍କୁଲ ପାଠପଢ଼ା ଶେଷ ହୋଇଗଲା।

ସବୁଠାରୁ ବଡ଼ ପଦକ୍ଷେପ ସ୍ବରୂପ ଦଶମ ଶ୍ରେଣୀ ସିଲାବସ୍‌ ୭୦%କୁ ହ୍ରାସ କରାଯାଇଥିଲା। ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ସିଲାବସ୍‌ କାଣ୍ଟଛାଣ୍ଟ ହୋଇଥିଲା। ଏଭଳି ଏକ ପଦକ୍ଷେପ ପରେ ବି କରୋନା ସଂକ୍ରମଣ ଯୋଗୁଁ ପିଲାଙ୍କ ପାଠପଢ଼ା ହୋଇପାରି ନ ଥିଲା। ପାଖାପାଖି ୯ ମାସ ଧରି ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ୍‌ ଶିକ୍ଷା ଦିଆଯାଇଥିଲା। କେଉଁ ପିଲା ପାହାଡ଼ ଚଢ଼ି ଶିକ୍ଷା ଗ୍ରହଣ କରିଥିଲେ ତ ଆଉ କିଏ ପାଣି ଟାଙ୍କି ଉପରକୁ ଯାଇଥିଲେ। ସାଢ଼େ ୬ ଲକ୍ଷ  ପିଲାଙ୍କ ଭବିଷ୍ୟତ କଥା ଥିବାରୁ ରାଜ୍ୟ ସରକାର ବିଭିନ୍ନ ସମୟରେ ଆଶ୍ବାସନା ଦେଇ ଚାଲିଥିଲେ। ପିଲା ବି କଷ୍ଟେମଷ୍ଟେ ପଢ଼ିଲେ। ସ୍ଥିତିରେ ସାମାନ୍ୟ ସୁଧାର ହେବା କ୍ଷଣି କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ କରିବା ସହ ଶହେ ଦିନର ଶିକ୍ଷାକୁ ସୁନିଶ୍ଚିତ କରିବାକୁ ଆହ୍ବାନ ଦିଆଯାଇଥିଲା।

ଜାନୁଆରି ୮ରୁ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହୋଇଥିଲା। ବିନା ଛୁଟିରେ ଶିକ୍ଷକ ଶିକ୍ଷୟିତ୍ରୀ ପିଲାଙ୍କୁ ପଢ଼ାଇ ଚାଲିଥିଲେ। ଏମିତିକି ରବିବାର ଛୁଟି ଦିନରେ ବି ପାଠପଢ଼ା ହେଲା। ପିଲା ଆସିଲେ, ଶିକ୍ଷକ ବି ପଢ଼ାଇଲେ। ଶତାଧିକ ଛାତ୍ରଛାତ୍ରୀ, ଶିକ୍ଷକ ବି  କୋରାନାରେ ଆକ୍ରାନ୍ତ ହେଲେ। ତା’ପରେ ବି ପାଠପଢ଼ା ଚାଲିଲା ଏବଂ କରୋନା ସଂକ୍ରମଣ ଅଧିକ ହେବାରୁ ଗତ ୧୯ ତାରିଖରେ କ୍ଲାସରୁମ୍‌ ପାଠପଢ଼ା ବନ୍ଦ କରାଗଲା। ଏହ‌ି ୯୦ ଦିନର ପାଠପଢ଼ା ମଧ୍ୟରେ ଦଶମ ଶ୍ରେଣୀ ପିଲାଙ୍କର ୪ଟି ପ୍ରାକ୍ଟିସ୍‌ ତଥା ପ୍ରି-ବୋର୍ଡ ପରୀକ୍ଷା କରାଗଲା। ତେବେ ଏହି ପରୀକ୍ଷାକୁ ନେଇ ବିଭିନ୍ନ ସମୟରେ ପ୍ରଶ୍ନ ଉଠିଲା। ପରୀକ୍ଷା ପୂର୍ବଦିନରୁ ବଜାରରେ ଓ ଜେରକ୍ସ ଦୋକାନରେ ପ୍ରଶ୍ନପତ୍ର ବୁଲିଲା। ସ୍ଥିତି ଏମିତି ହେଲା ଯେ ଯେଉଁ ପିଲା କ୍ଲାସରୁମ୍‌ରେ ୮ ମାର୍କ ରଖିବାରେ ସକ୍ଷମ ହେଉ ନ ଥିଲେ ସେମାନେ ୮୦% ମାର୍କ ରଖିଲେ। ତେଣୁ ପରୀକ୍ଷାର ସ୍ବଚ୍ଛତା ନେଇ ବି ପ୍ରଶ୍ନ ଉଠିଥିଲା।

ଶିକ୍ଷାବିତ୍‌ଙ୍କ ମତରେ ମାଟ୍ରିକ୍‌ ପରୀକ୍ଷା ବାତିଲ୍‌ ହେବ ସମ୍ଭବତଃ ଓଡ଼ିଶା ଇତିହାସରେ ପ୍ରଥମ ଘଟଣା। ଆଗରୁ କେବେ ବି ଏଭଳି ସ୍ଥିତି ଉପୁଜି ନ ଥିଲା। ୧୯୯୯ ମହାବାତ୍ୟା ବର୍ଷ ବି ପିଲାମାନେ ପରୀକ୍ଷା ହଲ୍‌ରେ ବସି ପରୀକ୍ଷା ଦେଇଥିଲେ। କୌଣସି ଅସୁବିଧା ନ ଥିଲା। ତେବେ ଏଥର ଏକ ବିରଳ ଘଟଣା ସଂଘଟିତ ହୋଇଛି। କରୋନା କବଳରେ ସମ୍ପୂର୍ଣ୍ଣ ଶିକ୍ଷାବର୍ଷ ନଷ୍ଟ ହୋଇଯାଇଛି। ବ୍ୟାପକ ସଂସ୍କାର କରାଯିବା ପରେ ବି ପିଲାମାନେ ପରୀକ୍ଷା ଦେଇପାରିଲେ ନାହିଁ। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ୯୦ ଦିନର କ୍ଲାସରୁମ୍‌ ପାଠପଢ଼ା ବେକାର ଗଲା ବୋଲି କହିଲେ କିଛି ବି ଅତ୍ୟୁକ୍ତି ହେବ ନାହିଁ।

The post ମାଟ୍ରିକ୍‌ର ସବୁ ସଂସ୍କାର ବେକାର; ପରୀକ୍ଷା ବାତିଲ୍‌ ଓଡ଼ିଶା ଇତିହାସରେ ପ୍ରଥମ, ୯୦ ଦିନ କ୍ଲାସରୁମ୍‌ ପାଠପଢ଼ା କାମରେ ଆସିଲାନି first appeared on Sambad.

from ରାଜ୍ୟ | Sambad https://ift.tt/2Pf7keW

Post a Comment

0 Comments