
ଭୁବନେଶ୍ବର : ୮୬ ତମ ଓଡ଼ିଶା ଦିବସରେ ମଦମୁକ୍ତ ଓଡ଼ିଶା ଦାବିରେ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା)ପକ୍ଷରୁ ଧାରଣା ଦିଆଯାଇଛି। ଆଜିର ଏହି ସ୍ବତନ୍ତ୍ର ଦିନରେ ଅଭିଯାନର କର୍ମକର୍ତ୍ତାମାନେ ରାଜଭବନ ଛକ ଠାରେ ଉତ୍କଳ ଗୌରବ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଲୋୟର ପିଏଜି ଛକ ଠାରେ ମଦମୁକ୍ତ ଓଡ଼ିଶା ପାଇଁ ଆନ୍ଦୋଳନ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଛି। ଅଭିଯାନ ସଭାପତି ପଦ୍ମଚରଣ ନାୟକ କହିଛନ୍ତି, ରାଜ୍ୟ ସରକାରଙ୍କ ୨୦ ବର୍ଷର ଶାସନରେ ମଦର ପ୍ରସାର ୨୦ ଗୁଣରୁ ଅଧିକ ବଢ଼ିଛି। ଏଥିଯୋଗୁଁ ସଡ଼କ ଦୁର୍ଘଟଣାରେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ହେଲାଣି। ବିଷାକ୍ତ ମଦ ଯୋଗୁଁ ଯେତିକି ପ୍ରାଣ ହରାଉଛନ୍ତି, ବିଶୁଦ୍ଧ ମଦ ପିଇ ମଧୁମେହ ଯୋଗୁଁ ଅଧିକାଂଶଙ୍କ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଉଛି। ପରିଣାମ ସ୍ୱରୂପ ହୃତ୍ଘାତ ଓ ନାନା ପ୍ରକାର କର୍କଟ ରୋଗରେ ସେମାନେ ତରୁଣ ବୟସରେ ପ୍ରାଣ ହରାନ୍ତି। ରାଜ୍ୟରେ ୨୦ ବର୍ଷରେ ୧୦ ଲକ୍ଷରୁ ଅଧିକ ଯୁବତୀ ଅଳ୍ପ ବୟସରୁ ସ୍ବାମୀଙ୍କୁ ହରାଇବା ଭୟଙ୍କର ସ୍ଥିତିର ସଙ୍କେତ ଦେଉଛି। ପଶ୍ଚିମ ଓଡ଼ିଶାରେ ଏଭଳି ଅନେକ ଗାଁ ଅଛି ଯେଉଁଠି ପଡ଼ାମାନଙ୍କରେ କେବଳ ବିଧବାଙ୍କୁ ଦେଖିବାକୁ ମିଳେ। ଏଥିପ୍ରତି ଦୃଷ୍ଟି ଦେବାକୁ ସଙ୍ଗଠନ ଦାବି କରିଛି। କାର୍ଯ୍ୟକ୍ରମରେ ସମ୍ପାଦକ ରମାକାନ୍ତ ମଣ୍ଡଳ, ମଳୟ ତ୍ରିପାଠୀ, ଅପର୍ଣ୍ଣା ନାୟକ, ବାଣୀ ଦାସ, ଖଗେଶ୍ବର ବଳ, ସୌମ୍ୟରଂଜନ ମହାନ୍ତି, ଇନ୍ଦୁମତୀ ନାୟକ, ଶାନ୍ତିଲତା ରାଉତରାୟ, ପ୍ରଭାତ ସାମନ୍ତରାୟ, ଶୁଭେନ୍ଦୁ ରାଉତରାୟ, ମୃତ୍ୟୁଞ୍ଜୟ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।
The post ଓଡ଼ିଶା ଦିବସରେ ମଦମୁକ୍ତ ଓଡ଼ିଶା ଦାବିରେ ଧାରଣା first appeared on Sambad.from ରାଜ୍ୟ | Sambad https://ift.tt/3dqzs6X
0 Comments