୨୨ରୁ ୯ମ ଶ୍ରେଣୀ ପରୀକ୍ଷା

ଭୁବନେଶ୍ବର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ବିଦ୍ୟାଳୟଗୁଡ଼ିକର ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା କରାଯିବ। ରାଜ୍ୟ ସରକାର ଓ ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍‌ଇ)ଙ୍କ ସହ ଆଲୋଚନା ପରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ବିଦ୍ୟାଳୟସ୍ତରରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି। ଏପ୍ରିଲ୍‌ ୨୨ରୁ ୨୪ ପର୍ଯ୍ୟନ୍ତ ଦୁଇଟି ସିଟିଂରେ ୬ଟି ବିଷୟର ପରୀକ୍ଷା କରାଯିବ। ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ପ୍ରଥମ ଏବଂ ପୂର୍ବାହ୍ନ ୯ଟା ୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ଦ୍ବିତୀୟ ସିଟିଂ ପରୀକ୍ଷା ହେବ। ୨୨ ତାରିଖରେ ପ୍ରଥମ ଭାଷା ଓ ବିଜ୍ଞାନ, ୨୩ ତାରିଖରେ ଦ୍ବିତୀୟ ଭାଷା ଓ ସାମାଜିକ ବିଜ୍ଞାନ, ୨୪ ତାରିଖରେ ଗଣିତ ଓ ତୃତୀୟ ଭାଷାର ପରୀକ୍ଷା ଅନୁଷ୍ଠିତ ହେବ। ବିଏସ୍‌ଇ ପାର୍ଟନ ଅନୁଯାୟୀ ପରୀକ୍ଷା କରାଯିବ। ଯେଉଁ ବିଦ୍ୟାଳୟ ଏହି ପରୀକ୍ଷାରେ ସାମିଲ ହେବାକୁ ଚାହିଁବେ ସେମାନେ ଇଣ୍ଡେଣ୍ଟ ପ୍ରୋଫର୍ମାକୁ ଓଷ୍ଟା ଅଫିସ୍‌କୁ ଡାକଯୋଗେ ନ ହେଲେ ଇ-ମେଲ୍‌‘osstaexamination@gmail.com’ ମାଧ୍ୟମରେ ପଠାଇପାରିବେ।

ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଆସନ୍ତା ୫ରୁ ୭ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଦୁଇଟି ସିଟିଂରେ ପରୀକ୍ଷା କରାଯିବ। ପ୍ରଥମ ସିଟିଂ ପରୀକ୍ଷା ୭ଟା ୩୦ରୁ ୯ଟା ୩୦ ଓ ଦ୍ବିତୀୟ ସିଟିଂ ସକାଳ ୧୦ଟାରୁ ୧୨ଟା ଯାଏ ଚାଲିବ। ଗଣିତ ପରୀକ୍ଷାରେ ୧୫ ମିନିଟ୍‌ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନପତ୍ର ଦିଆଯିବ। ପ୍ରଥମ ଦିନ ଓଡ଼ିଆ ଓ ସାମାଜିକ ବିଜ୍ଞାନ, ଦ୍ବିତୀୟ ଦିବସରେ ଇଂରାଜୀ ଓ ସାମାଜିକ ବିଜ୍ଞାନ, ତୃତୀୟ ‌ଦିବସରେ ଗଣିତ ଓ ତୃତୀୟ ଭାଷା ପରୀକ୍ଷା ହେବ। ଏହି ପରୀକ୍ଷାରେ ପାଖାପାଖି ୬ ହଜାର ସରକାରୀ ଓ ବେସରକାରୀ ବିଦ୍ୟାଳୟ ଅଂଶଗ୍ରହଣ କରୁଛନ୍ତି। ୩ ଓ ୪ ତାରିଖରେ ବିଦ୍ୟାଳୟଗୁଡ଼ିକୁ ପ୍ରଶ୍ନପତ୍ର ପ୍ୟାକେଟ୍‌ ଯୋଗାଇ ଦିଆଯିବ। ପରୀକ୍ଷାର ସ୍ବଚ୍ଛତା ଓ ନିରପେକ୍ଷତା ପାଇଁ ଓଷ୍ଟା ପକ୍ଷରୁ ସମସ୍ତ ଶିକ୍ଷକ ଓ ପ୍ରଧାନଶିକ୍ଷକଙ୍କ ସହଯୋଗ କାମନା କରାଯାଇଛି। ପରୀକ୍ଷା ସରିବା ପରେ ୮ ତାରିଖରେ ସମସ୍ତ ପ୍ରଶ୍ନର ଆଦର୍ଶ ଉତ୍ତର ଓଷ୍ଟା ୱେବସାଇଟ୍‌ରେ ଉପଲବ୍ଧ ହେବ। ୧୦ ତାରିଖ ସୁଦ୍ଧା ଖାତା ଦେଖା ଶେଷ ହେବ ଏବଂ ଅଭିଭାବକଙ୍କୁ ପିଲାଙ୍କ ମାର୍କ ସମ୍ପର୍କରେ ସୂଚନା ଦିଆଯିବ। ଏପ୍ରିଲ ୧୦ରୁ ମେ’ ୩ ପର୍ଯ୍ୟନ୍ତ ପିଲାଙ୍କ ଦୁର୍ବଳତାକୁ ଚିହ୍ନଟ କରି ଓଷ୍ଟା ଓ ଶିକ୍ଷକଙ୍କ ତରଫରୁ ଦ୍ବନ୍ଦ୍ବ ଦୂର ଲାଗି ବ୍ୟବସ୍ଥା ହେବ ବୋଲି ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି।

The post ୨୨ରୁ ୯ମ ଶ୍ରେଣୀ ପରୀକ୍ଷା first appeared on Sambad.

from ରାଜ୍ୟ | Sambad https://ift.tt/3sJ8VIn

Post a Comment

0 Comments