ଭୁବନେଶ୍ୱରରେ ସ୍ୱତନ୍ତ୍ର କ୍ୟାନସର ହସ୍ପିଟାଲ

ଇନ୍‌ଫୋସିଟି-୨ ନିକଟରେ ୨୦ ଏକର ଜମି ଦେବେ ସରକାର
ବାଗ୍‌ଚୀ କରୁଣାଶ୍ରୟ ପାଲିଏଟିଭ୍ କେୟାର ସେଣ୍ଟର ପ୍ରତିଷ୍ଠାକୁ ବି କ୍ୟାବିନେଟ୍‌ର ଅନୁମୋଦନ
ଇନ୍ଫୋଭାଲି ନିକଟରେ ୨୦ ଏକର ଶୁଳ୍କମୁକ୍ତ ଜମି ଦିଆଯିବ
୧୦ ପ୍ରସ୍ତାବରେ କ୍ୟାବିନେଟ୍ ମୋହର

ଭୁବନେଶ୍ବର : ଭୁବନେଶ୍ୱରରେ ପ୍ରତିଷ୍ଠା ହେବ କ୍ୟାନସର ହସ୍ପିଟାଲ। ବାଗ୍‌ଚୀ-ଶ୍ରୀ ଶଙ୍କର କର୍କଟ ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ଆଜି କ୍ୟାବିନେଟ୍ ମଞ୍ଜୁରି ଦେଇଛନ୍ତି। କେବଳ ସେତିକି ନୁହେଁ, ଭୁବନେଶ୍ବରରେ ବାଗ୍‌ଚୀ କରୁଣାଶ୍ରୟ ପାଲିଏଟିଭ୍ କେୟାର ସେଣ୍ଟର ପ୍ରତିଷ୍ଠାକୁ ବି ସରକାର ସମ୍ମତି ଦେଇଛନ୍ତି। ସୁବ୍ରତ ବାଗ୍‌ଚୀ ଓ ସୁସ୍ମିତା ବାଗ୍‌ଚୀ ଉଭୟ ଅନୁଷ୍ଠାନ ପାଇଁ ୩୪୦ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଆଜି ଏସବୁ ସମେତ ମୋଟ ୧୦ଟି ପ୍ରସ୍ତାବକୁ ମୋହର ଲାଗିଛି। କ୍ୟାବିନେଟ୍ ବୈଠକ ପରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଅନୁମୋଦିତ ପ୍ରସ୍ତାବ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଶ୍ରୀ ଶଙ୍କର କର୍କଟ ଚିକିତ୍ସା ଫାଉଣ୍ଡେସନ୍ ଭୁବନେଶ୍ବରରେ ଉତ୍କର୍ଷ କ୍ୟାନସର୍ ହସ୍ପିଟାଲ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରଖିଥିଲେ। ଏଥିପାଇଁ ସୁବ୍ରତ ବାଗ୍‌ଚୀ ଓ ସୁସ୍ମିତା ବାଗ୍‌ଚୀ ୨୧୦ କୋଟି ଟଙ୍କା ସହାୟତା ଦେବେ। ସରକାର ଡାକ୍ତରଖାନା ପ୍ରତିଷ୍ଠା ପାଇଁ ଭୁବନେଶ୍ବର ଇନ୍‌ଫୋସିଟି-୨ ନିକଟରେ ୨୦ ଏକର ଜମି ପ୍ରଦାନ କରିବେ। ହସ୍ପିଟାଲ ପ୍ରାରମ୍ଭରେ ୨୫୦ ଶଯ୍ୟାରେ ଆରମ୍ଭ ହେବ ଓ ୨୦୨୪ ସୁଦ୍ଧା କାର୍ଯ୍ୟକ୍ଷମ ହେବ। କିନ୍ତୁ ପରେ ଏହା ୫୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାକୁ ବିସ୍ତାରିତ ହେବ।

ମୁଖ୍ୟଶାସନ ସଚିବ କହିଛନ୍ତି ଯେ କର୍କଟ ରୋଗର ପ୍ରମାଣ-ଆଧାରିତ ପରିଚାଳନା ସହିତ ଉନ୍ନତ ଅତ୍ୟାଧୁନିକ କର୍କଟ ଚିକିତ୍ସା ଏଠାରେ ଯୋଗାଇ ଦିଆଯିବ। ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ପାଇଁ ୨୫ ପ୍ରତିଶତ ଶଯ୍ୟା ଅଲଗା ରହିବ। ଅନ୍ୟ ୨୫ ପ୍ରତିଶତ ଶଯ୍ୟା ବିଭିନ୍ନ ସରକାରୀ ସ୍ବାସ୍ଥ୍ୟ ଯୋଜନା ଅଧୀନରେ ସମର୍ଥିତ ରୋଗୀଙ୍କ ପାଇଁ ପୃଥକ୍ ରହିବ। ଅବଶିଷ୍ଟ ୫୦ ପ୍ରତିଶତ ରୋଗୀ ସେବା ପାଇଁ ଦେୟ ଦେବେ। ସଂଗୃହୀତ ଅର୍ଥ ଗରିବ ଲୋକଙ୍କ ସହାୟତା ଏବଂ ଡାକ୍ତରଖାନାର ବିସ୍ତାର ପାଇଁ ବ୍ୟବହାର ହେବ।

ମୁଖ୍ୟବର୍ଗର କର୍କଟ ସେବା ଯଥା ସର୍ଜିକାଲ, ମେଡିକାଲ ଏବେ ରେଡ଼ିଏସନ୍ ଅଙ୍କୋଲୋଜି, ଇମେଜିଙ୍ଗ୍ ନ୍ୟୁକ୍ଲିୟର, ମେଡିସିନ୍, ଶିଶୁ ଓ ହେମାଟୋ ଅଙ୍କୋଲୋଜି, ଫୁସଫୁସ୍ ରୋଗ କେନ୍ଦ୍ର, ନିଶ୍ଚେତକ ବିଭାଗ, ଇନ୍‌ଟେସିଭ୍ କେୟାର, ଲାବରେଟୋରି ଡାଇଗ୍ନୋଷ୍ଟିକ୍ ସେବା, ବ୍ଲଡ୍ ବ୍ୟାଙ୍କ ଏବେ ଇମ୍ୟୁନୋ ହେମାଟୋଲୋଜି ସେହି ସହିତ ଏହା ଏକ ଉତ୍କର୍ଷ ଅଙ୍କୋଲୋଜି କେନ୍ଦ୍ର ହେବ। ଅନ୍ୟାନ୍ୟ ସେବା ଯେପରିକି ନର୍ସିଂ, ଫିଜିଓଥେରାପି ତାଲିମ କେନ୍ଦ୍ର, ନିଶା ନିବାରଣ କ୍ଲିନିକ୍, ବୃତ୍ତିଗତ ପୁନର୍ବାସ ମଧ୍ୟ ଏହି କେନ୍ଦ୍ରର ଏକ ଅଂଶ ହୋଇ ରହିବ।

କେବଳ ସେତିକି ନୁହେଁ, ଭୁବନେଶ୍ବରରେ ବାଗ୍‌ଚୀ କରୁଣାଶ୍ରୟ ପାଲିଏଟିଭ୍ କେୟାର ସେଣ୍ଟର ମଧ୍ୟ ପ୍ରତିଷ୍ଠା କରାଯିବ। ଏହି ପ୍ରସ୍ତାବ ଅନୁମୋଦନରେ ସରକାର ସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ କରୁଣାଶ୍ରୟ ହସପିସ୍ ଟ୍ରଷ୍ଟ, ବାଙ୍ଗାଲୋର ହେଉଛି ଏକ ପରୋପକାରୀ ଅନୁଷ୍ଠାନ। ଏମାନେ ଏହି ପ୍ରତିଷ୍ଠାନ କରିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ଏହି ପାଲିଏଟିଭ୍ କେୟାର ହସ୍ପିଟାଲ ପ୍ରଥମ ଥର ପାଇଁ ଓଡ଼ିଶାରେ ପ୍ରତିଷ୍ଠା ହେବାକୁ ଯାଉଛି। ହସ୍ପିସ୍ ଆଧାରିତ ପାଲିଏଟିଭ୍ କେୟାର ବ୍ୟତୀତ ଏହା ଘରୋଇ ପାଲିଏଟିଭ୍ କେୟାର ମଧ୍ୟ ଯୋଗାଇବ। ଏହି ଅନୁଷ୍ଠାନ ସ୍ଥାନୀୟ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ସେବା ପ୍ରଦାନକାରୀଙ୍କୁ ତାଲିମ୍ ଦେବା ଦାୟିତ୍ବ ବି ଗ୍ରହଣ କରିବ।

ସରକାର କହିଛନ୍ତି ଯେ ସୁବ୍ରତ ବାଗ୍‌ଚୀ ଏବଂ ସୁସ୍ମିତା ବାଗ୍‌ଚୀ ଏହି ପାଲିଏଟିଭ୍ କେୟାର ଅନୁଷ୍ଠାନ ପ୍ରତିଷ୍ଠା ପାଇଁ ୧୩୦ କୋଟି ଟଙ୍କାର ସହାୟତା ଦେବାକୁ ସମ୍ମତି ଦେଇଛନ୍ତି। ଓଡ଼ିଶା ସରକାର ଏହି ଡାକ୍ତରଖାନା ପ୍ରତିଷ୍ଠା ପାଇଁ ଇନ୍ଫୋଭାଲି ନିକଟରେ ୨୦ ଏକର ଏକ ଦେୟମୁକ୍ତ ଜମି ପ୍ରଦାନ କରିବେ। ପାଲିଏଟିଭ୍ କେୟାର ହସ୍ପିଟାଲ ପ୍ରଥମେ ୧୦୦ ଶଯ୍ୟା ସହିତ ରୋଗୀ ସେବା ଆରମ୍ଭ କରି ପରେ ସଂପ୍ରସାରିତ କରିବ। ଏହି କେନ୍ଦ୍ରରେ ସମସ୍ତ ରୋଗୀଙ୍କୁ ୧୦୦ ପ୍ରତିଶତ ମାଗଣା ଚିକିତ୍ସା ପ୍ରଦାନ କରାଯିବ। ଏହି ହସ୍ପିଟାଲରେ ଯନ୍ତ୍ରଣା ଉପଶମ ସେବା ସହିତ ସଂକ୍ରମଣ ରହିତ ପ୍ରଣାଳୀ ଅନୁସରଣ କରି ସହାନୁଭୂତି ପ୍ରଦାନ କରାଯିବ ଓ ସେବା ଯୋଗାଇ ଦିଆଯିବ। ସମ୍ମାନ ସହିତ ଶେଷ ନିଶ୍ବାସ ତ୍ୟାଗ କରିବା ପର୍ଯ୍ୟନ୍ତ ପାଲିଏଟିଭ୍ କେୟାର ସେବା ଯୋଗାଇ ଦିଆଯିବ।

The post ଭୁବନେଶ୍ୱରରେ ସ୍ୱତନ୍ତ୍ର କ୍ୟାନସର ହସ୍ପିଟାଲ first appeared on Sambad.

from ରାଜ୍ୟ | Sambad https://ift.tt/3s8uEbr

Post a Comment

0 Comments