ଗ୍ୟାଙ୍ଗଷ୍ଟର‌‌ର ଗାର୍ଲଫ୍ରେଣ୍ତ ସଉକ୍‌, ଏସ୍‌ସିବିରେ ଆଟେଣ୍ତାଣ୍ଟ ଥିଲେ ୨ ଗାର୍ଲଫ୍ରେଣ୍ତ

କଟକ : ୫୭ ବର୍ଷୀୟ ଗ୍ୟାଙ୍ଗଷ୍ଟର‌ ହାଇଦର‌ର ଜଣେ ନୁହେଁ, ତିନିଜଣ ଗାର୍ଲଫ୍ରେଣ୍ତ। ସମ୍ବଲପୁର ଜେଲ୍‌ରେ ଥିବା ବେଳେ ସେମାନଙ୍କ ସହିତ ନିୟମିତ ମୋବାଇଲ୍‌ରେ କଥା ହେଉଥିଲା ହାଇଦର‌୍‌। ବାଲେଶ୍ବରର ଅର୍ଚ୍ଚନା ପରିଡ଼ାକୁ ଭୁବନେଶ୍ବରରେ ଡାଟା ଏଣ୍ଟ୍ରି ଚାକିରି ଦେବାକୁ କହି ହାଇଦର‌ ଗ୍ୟାଙ୍ଗ୍‌ରେ ମିଶାଯାଇଥିଲା। ଏହା ପୂର୍ବରୁ ସେ ଆଲବମ୍‌ରେ ମଧ୍ୟ ଅଭିନୟ କରୁଥିବା କୁହାଯାଉଛି। ଅର୍ଚ୍ଚନା ସମେତ ବନିତା ରାଉତ ଓ ସୋନାଲି ସ୍ବାଇଁଙ୍କ ହାଇଦର୍‌ ଲିଙ୍କ୍‌କୁ ନେଇ ଏବେ ପୁଲିସ ସନ୍ଦେହ କରୁଛି। ହାଇଦର‌ ଅଳ୍ପ ବର୍ଷୀୟା ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଏମାନଙ୍କ ମୋବାଇଲ୍‌ରୁ ବ୍ୟବସାୟୀଙ୍କୁ ବଟି ମାଗିଥିଲା। ବନିତାଙ୍କ ମୋବାଇଲ୍‌ରୁ କେନ୍ଦ୍ରାପଡ଼ାର ବ୍ୟବସାୟୀ ଶରତ ନାୟକଙ୍କୁ ପ୍ରାୟ ୫ ଲକ୍ଷ ଟଙ୍କା ବଟି ମାଗିଥିଲା। ହାଇଦର‌ ବଡ଼ ଡାକ୍ତରଖାନା ଆସିବା ପରଠାରୁ ଅର୍ଚ୍ଚନା ଓ ବନିତା ଛାଇ ଭଳି ତା ପାଖାପାଖେ ରହୁଥିଲେ। ନର୍ସଙ୍କୁ ହାଇଦର‌ ଟଙ୍କା ଦେଇ କ୍ୟାବିନ୍‌କୁ ଆସିବାକୁ ମନା କରିଥିଲା। ସେବା ନାଁରେ ଏହି ଦୁଇ ଅଳ୍ପ ବର୍ଷୀୟା ଯୁବତୀ ହାଇଦର‌ ରହୁଥିବା କ୍ୟାବିନ୍‌ରେ ରହୁଥିବା କୁହାଯାଉଛି।

ଗ୍ୟାଙ୍ଗଷ୍ଟର ହାଇଦର‌ ବଡ଼ ଡାକ୍ତରଖାନାକୁ ଆସିବା ପରେ ତା ସ˚ସ୍ପର୍ଶରେ ଯେଉଁ ୧୦ ଜଣ ସହଯୋଗୀ ଆସିଥିଲେ ସେମାନଙ୍କ ଭିତରେ ତିନିଜଣ ଥିଲେ ଅଳ୍ପବର୍ଷୀୟା ଯୁବତୀ। ମଙ୍ଗଳାବାଗ ଥାନା ପୁଲିସ ଶନିବାର ବାଲେଶ୍ବର ଭୋଗରାଇର ୧୯ ବର୍ଷୀୟା ଅର୍ଚ୍ଚନା ପରିଡ଼ା ଓରଫ ଗେହ୍ଲିକୁ ଗିରଫ କରିଥିବା ବେଳେ ଏବେ ମାହାଙ୍ଗାର ୨୬ ବର୍ଷୀୟା ବନିତା ରାଉତ ଓ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ତାଇର ୨୨ ବର୍ଷୀୟା ସୋନାଲି ସ୍ବାଇଁ ପୁଲିସ ସ୍କାନର‌କୁ ଆସିଛନ୍ତି। ହାଇଦର‌ ବଡ଼ ଡାକ୍ତରଖାନା ଆସିବା ପରେ ବନିତା ଓ ଅର୍ଚ୍ଚନା ବଡ଼ ଡାକ୍ତରଖାନାରେ ନିୟମିତ ରହୁଥିଲେ। ଅର୍ଚ୍ଚନା ଭୋଗରାଇର ଏକ କଲେଜରେ ଯୁକ୍ତଦୁଇରେ ଅକୃତକାର୍ଯ୍ୟ ପରେ ଆଉ ଥରେ ପରୀକ୍ଷା ଦେବାକୁ ଯୋଜନା କରିଥିଲା। ୨୦୨୦ ଡିସେମ୍ବରରେ କେନ୍ଦ୍ରାପଡ଼ାର ଲକି ନାମ୍ନୀ ଜଣେ ବାନ୍ଧବୀ ଭୁବନେଶ୍ବରରେ ନିଜ ସମ୍ପର୍କୀୟଙ୍କ କମ୍ପାନିରେ ଡାଟା ଏଣ୍ଟ୍ରି ଅପରେଟର‌ ଭାବେ ଚାକିରି ଦେବାକୁ କହି ଅର୍ଚ୍ଚନାକୁ ଘରୁ ଡାକି ନେଇଥିଲା। ୨୦୧୫ ପୂର୍ବରୁ ଅର୍ଚ୍ଚନାର ମାନସିକ ବିକୃତି ଥିବାରୁ ଭୁବନେଶ୍ବରରେ ଏକ ଘରୋଇ ହସପିଟାଲ୍‌ରେ ମାନସିକ ରୋଗର ଚିକିତ୍ସା କରାଯାଇଥିବା କୁହାଯାଉଛି। ଗଲା ୧୦ ତାରିଖରେ ଅର୍ଚ୍ଚନା ପରିବାର ଲୋକଙ୍କ ସହିତ ଶେଷ ଥର ପାଇଁ କଥା ହୋଇଥିଲା। ଯେଉଁମାନେ ହାଇଦର‌ ସହିତ ମିଶୁଥିଲେ ସେମାନେ ତାକୁ ଗ୍ୟାଙ୍ଗ୍‌ରେ ମିଶାଇଥିବା କୁହାଯାଉଛି। ବଡ଼ ଡାକ୍ତରଖାନାରେ ହାଇଦର‌୍‌ ବନିତା ନାମ୍ନୀ ଯୁବତୀଙ୍କ ମୋବାଇଲ୍‌ରୁ ପଟ୍ଟାମୁଣ୍ତାଇର ସୋନାଲିଙ୍କ ମୋବାଇଲ୍‌କୁ ନିୟମିତ ଫୋନ୍‌ କରୁଥିଲା। ଫୋନ୍‌ କରି ପଟ୍ଟାମୁଣ୍ତାଇର ଶରତ ନାୟକ ନାମକ ଜଣେ ବ୍ୟବସାୟୀଙ୍କୁ ୫ ଲକ୍ଷ ଟଙ୍କା ବଟି ମାଗିଥିବା କୁହାଯାଉଛି। ବଡ଼ ଡାକ୍ତରଖାନାରେ ଥିବା ବେଳେ ହାଇଦର‌୍‌ ବଟି ମାଗିଥିବା ବେଳେ ଚମ୍ପଟ୍‌ ପରେ ବି ମାଗିଛି। ହାଇଦର‌୍‌ ସିଧାସଖଳ ଫୋନ୍‌ ବ୍ୟବହାର କରୁ ନ ଥିବା ବେଳେ ଧରା ନ ପଡ଼ିବା ପାଇଁ ଏହି ଯୁବତୀଙ୍କ ମୋବାଇଲ୍‌ରୁ ହିଁ ବଟି ମାଗୁଥିଲା। ଗଲା ୧୦ ବର୍ଷ ତଳେ ହାଇଦର‌ ଶରତଙ୍କ ପରିବାର ସଦସ୍ୟଙ୍କ ଉପରୁ ବୋମାମାଡ଼ କରିଥିବା ବି ଚର୍ଚ୍ଚା ଉଠୁଛି। ପୁଲିସ ଶରତଙ୍କୁ ବି ଅଟକ ରଖି ପଚରାଉଚରା କରୁଛି।

ଅନ୍ୟପଟେ ହାଇଦର‌ ବଡ଼ ଡାକ୍ତରଖାନାରୁ ପଲସର‌ ବାଇକ୍‌ରେ ଆଜାରୁଦ୍ଦିନ୍‌ ସହିତ ଫେରାର‌ ପରେ ଖୋର୍ଧାରୁ ଯେଉଁ ମାରୁତି ସୁଇଫ୍‌ଟ ଡିଜାୟାର‌ କାର‌(ଓଡି-୦୨ଏଏସ୍‌-୬୭୭୦)ରେ ତେଲେଙ୍ଗାନା ଆଡ଼କୁ ଯାଇଥିଲା ସେହି କାର‌କୁ କମିସନରେଟ୍‌ ପୁଲିସ ଟିମ୍‌ ଆଜି ଜବତ କରିଛି। କାର‌ ଆଜି ସକାଳେ ମଙ୍ଗଳାବାଗ ଥାନାରେ ପହଞ୍ଚିଛି। କାର‌ଟିକୁ ପୁଲିସ ତେଲେଙ୍ଗାନା ୟାଦାଦ୍ରି ଭୁବାନଗରି ଜିଲ୍ଲା ଭୋଙ୍ଗିର‌ ଟାଉନ୍‌ ନିକଟରେ ଥିବା ଏକ ବସ୍‌ଷ୍ଟାଣ୍ତ ନିକଟରେ ଛାଡ଼ି ଅନ୍ୟ ଏକ ବାଇକ୍‌ରେ ଚମ୍ପଟ୍‌ ମାରିଥିଲା। ପୁଲିସ ହାଇଦର‌କୁ ଗିରଫ କରି ବିମାନ ଯୋଗେ ଶୁକ୍ରବାର ଓଡ଼ିଶା ଆଣିବା ପରେ କାର‌ଟି ତେଲେଙ୍ଗାନାରେ ଥିଲା। ଆଜି ପୁଲିସ ଟିମ୍‌ କାର‌ ଧରି କଟକରେ ପହଞ୍ଚିଛି। ଏହି କାର‌‌ଟିର ପ୍ରକୃତ ମାଲିକ ହେଉଛନ୍ତି ତ୍ରିଲୋଚନ ସାହୁ। ତାଙ୍କ ଘର ଖୋର୍ଧା ଜିଲ୍ଲା ବୋଲଗଡ଼ ରାଜସୁନାଖଳା ନିକଟ ପାନବଜାର ବୋଲି କୁହାଯାଉଛି। ହାଇଦର‌ ଯେଉଁ ବାଇକ୍‌ରେ କଟକ ବଡ଼ ଡାକ୍ତରଖାନାରୁ ଫେରାର‌ରେ ବ୍ୟବହାର କରିଛି, ବାଇକ୍‌ର ପତ୍ତା ବର୍ତ୍ତମାନ ସୁଦ୍ଧା ମିଳି ପାରୁ ନାହିଁ।

ଅନ୍ୟପଟେ ୧୨ ତାରିଖରେ ୟାକୁବ୍‌ ଓରଫ ସଲ୍ଲୁ ଖାଁ ପୁଲିସ ହେପାଜତକୁ ଆସିବା ପରେ ୧୩ ତାରିଖରେ ତାକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୧୩ ତାରିଖରୁ ୭ ଦିନିଆ ରିମାଣ୍ତରେ ଆସିଥିବା ୟାକୁବ୍‌ର ରିମାଣ୍ତ ଅବଧି ଆସନ୍ତାକାଲି ଶେଷ ହେଉଛି। ପୁଲିସ ଏହି ରିମାଣ୍ତ ଅବଧି ଭିତରେ ୟାକୁବ୍‌ର ବୟାନ୍‌ ଆଧାରରେ ବଡ଼ ଡାକ୍ତରଖାନାକୁ ଆସୁଥିବା ହାଇଦର‌ର ଗାର୍ଲଫ୍ରେଣ୍ତ ଓ ସହଯୋଗୀଙ୍କ ତାଲିକା ପାଇଥିଲା। ଚୌଦ୍ବାର ସର୍କଲ୍‌ ଜେଲ୍‌ର ଆଇସୋଲେସନ୍‌ ଵାର୍ଡର ସେଲ୍‌ ନ˚-୩ରେ ଥିବା ହାଇଦର‌ କୋଭିଡ୍‌ ଚିକିତ୍ସା ପାଇଁ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯିବ ନାହିଁ। ଜେଲ୍‌ ଭିତରେ ହିଁ ଡାକ୍ତରୀ ଟିମ୍‌ ହାଇଦର‌ର ଚିକିତ୍ସା କରିବେ। ହାଇଦର‌ କୋଭିଡ୍‌ ନେଗେଟିଭ୍‌ ହେବା ପର୍ଯ୍ୟନ୍ତ ନିୟମିତ ଚିକିତ୍ସା କରାଯିବ। ହାଇଦର‌ର ଚିକିତ୍ସା ଦାୟିତ୍ବ ସିଡିଏମ୍‌ ଅଫିସ ପକ୍ଷରୁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ହସ୍ତାନ୍ତର କରାଯାଇଛି। ଚୌଦ୍ବାର୍‌ରେ ହାଇଦର‌କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇବାକୁ ସିଡିଏମଓଙ୍କୁ ଚିଠି ଲେଖାଯାଇଥିଲା। ଟାଙ୍ଗୀର ଏକ ଡାକ୍ତରୀ ଟିମ୍‌ ହାଇଦର‌ର ଚିକିତ୍ସା ଦାୟିତ୍ବରେ ନିୟୋଜିତ ହୋଇଥିବା ଜେଲ୍‌ ବିଭାଗ ପକ୍ଷରୁ ସୂଚନା ମିଳିଛି।

The post ଗ୍ୟାଙ୍ଗଷ୍ଟର‌‌ର ଗାର୍ଲଫ୍ରେଣ୍ତ ସଉକ୍‌, ଏସ୍‌ସିବିରେ ଆଟେଣ୍ତାଣ୍ଟ ଥିଲେ ୨ ଗାର୍ଲଫ୍ରେଣ୍ତ first appeared on Sambad.

from ରାଜ୍ୟ | Sambad https://ift.tt/3v4gN7Q

Post a Comment

0 Comments