ଅଧିକ ଟିକସ ସଂଗ୍ରହ ଲାଗି ତାଗିଦ୍, ବର୍ଷର ଲକ୍ଷ୍ୟ ୪୦ ହଜାର କୋଟି

ଭୁବନେଶ୍ବର : କରୋନା ମହାମାରୀ ସତ୍ତ୍ବେ ୨୦୨୦-୨୧ ଆର୍ଥିକ ବର୍ଷରେ ୫୬,୩୬୩ କୋଟି ଟଙ୍କାର ଟିକସ ସଂଗ୍ରହ ହୋଇଥିବାରୁ ଓଡ଼ିଶା ସରକାର ବେଶ ଉତ୍ସାହିତ ଅଛନ୍ତି। ସେହି ସଫଳତାକୁ ଚଳିତ ଆର୍ଥିକ ବର୍ଷ (୨୦୨୧-୨୨)ରେ ଦୋହରାଇବାକୁ ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ନିଜସ୍ବ ଟିକସ ଭାବେ ୪୦ ହଜାର କୋଟି ଟଙ୍କା ଓ ଅଣ ଟିକସ ଉତ୍ସରୁ ୨୧,୫୦୦ କୋଟି ଟଙ୍କାର ଟିକସ ସଂଗ୍ରହ କରିବା ଲାଗି ବିଭାଗଗୁଡ଼ିକୁ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦେଶ ଦେଇଛନ୍ତି। ୨୦୧୯-୨୦ ତୁଳନାରେ ଓଡ଼ିଶା‌ ୨୦୨୦-୨୧ରେ ୨୦% ଅଧିକ ଟିକସ ସଂଗ୍ରହ କରିଛି। ୨୦୨୧-୨୨ରେ ନିଜସ୍ବ ଟିକସ ସଂଗ୍ରହ ପୂର୍ବବର୍ଷ ତୁଳନାରେ ୨୦% ବଢ଼ାଇବାକୁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

ଆଜି ଲୋକସେବା ଭବନରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଡିଜିଟାଲ୍ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଚଳିତ ବର୍ଷ ରାଜ୍ୟ ସରକାର ଉପସ୍ଥାପନ କରିଥିବା ବଜେଟ୍‌ରେ ନିଜସ୍ବ ଟିକସ ଉତ୍ସରୁ ୩୭,୫୦୦ କୋଟି ଟଙ୍କା ଓ ଅଣ-ଟିକସ ଉତ୍ସରୁ ୨୦ ହଜାର କୋଟି ଟଙ୍କା ସଂଗ୍ରହ କରାଯିବ ବୋଲି ଘୋଷଣା କରାଯାଇଥିଲା। ମାତ୍ର ବିଭାଗଗୁଡ଼ିକୁ ଲାଗି ମୁଖ୍ୟ ସଚିବ ଟିକସ ସଂଗ୍ରହର ସୀମାକୁ ଆଜି ବଢ଼ାଇଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି ଯେ ସାମାଜିକ ସେବାରେ ବ୍ୟୟ ବଢ଼ାଇ, ପୁଞ୍ଜିନିବେଶ କରି ଏବଂ କାର୍ଯ୍ୟକ୍ରମଗୁଡ଼ିକ ପାଇଁ ଅଧିକ ବ୍ୟୟବରାଦ ଜରିଆରେ ଉଚ୍ଚ ଅଭିବୃଦ୍ଧିକୁ ବଜାୟ ରଖାଯାଇପାରିବ। ସେଥିପାଇଁ ଅଧିକରୁ ଅଧିକ ଟିକସ ସଂଗ୍ରହ କରିବାକୁ ପଡ଼ିବ।

ଏହି ଅବସରରେ ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା କହିଛନ୍ତି ଯେ ୫-ଟି ନୀତି ଅନୁସାରେ ଆର୍ଥିକ ପରିଚାଳନା କରାଯାଉଥିବାରୁ ରାଜ୍ୟର ୯୫% ରାଜସ୍ବ ଇଲେକ୍ଟ୍ରୋନିକ୍‌ ମାଧ୍ୟମରେ ସଂଗ୍ରହ କରାଯାଇଛି। ଏହି ହାରକୁ ୧୦୦%ରେ ପହଞ୍ଚାଇବାକୁ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର କହିଛନ୍ତି। ଶିଳ୍ପ ଜଳ ବ୍ୟବହାର ଏବଂ ବିଦ୍ୟୁତ ଦେୟକୁ ନେଇ ରହିଥିବା ବକେୟା ରାଶିଗୁଡ଼ିକୁ ୱାନ୍‌ ଟାଇମ୍ ସେଟଲ୍‌ମେଣ୍ଟ୍‌ (ଓଟିଏସ୍‌) ଓ ଆପୋଷ ବୁଝାମଣା ଜରିଆରେ ସଂଗ୍ରହ କରିବା ଲାଗି ଉଦ୍ୟମ କରିବାକୁ ସେ ବିଭାଗଗୁଡ଼ିକୁ ନିର୍ଦେଶ ଦେଇଛନ୍ତି। ବିଭାଗଗୁଡ଼ିକୁ ଲାଗି ମାସିକ ରାଜସ୍ବ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିବା ଲାଗି ବିଭାଗୀୟ ସଚିବମାନଙ୍କୁ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ନିର୍ଦେଶ ଦେଇଛନ୍ତି।

ଏହି ଅବସରରେ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ଓ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଓ ପ୍ରମୁଖ ସଚିବମାନେ ଉପସ୍ଥିତ ଥିଲେ।

The post ଅଧିକ ଟିକସ ସଂଗ୍ରହ ଲାଗି ତାଗିଦ୍, ବର୍ଷର ଲକ୍ଷ୍ୟ ୪୦ ହଜାର କୋଟି first appeared on Sambad.

from ରାଜ୍ୟ | Sambad https://ift.tt/3e7oRhz

Post a Comment

0 Comments