ଇଟାଭାଟିରେ ୬ ମାସ କାମ କରାଇ ଟଙ୍କା ନଦେଇ ତଡ଼ି ଦେଲା ମାଲିକ

ଭୁବନେଶ୍ବର : କରୋନା ସମୟରେ ଇଟାଭାଟିରେ ୬ ମାସ କାମ କରାଇ ଟଙ୍କା ନଦେଇ ତଡ଼ି ଦେଲା ମାଲିକ। ସର୍ବସ୍ବାନ୍ତ ହୋଇ ହାଇଦ୍ରାବାଦରେ ଫସି ଯାଇଛନ୍ତି ପଶ୍ଚିମ ଓଡ଼ିଶାର ୬ ଶିଶୁଙ୍କ ସମେତ ୩୨ଜଣ ବ୍ୟକ୍ତି। ୬ ମାସରେ ୩୦ରୁ ୩୫ ହଜାର ଆୟ ପାଇଁ ପିଲାଛୁଆ ଧରି ଯାଇଥିଲେ ସମସ୍ତେ। କିନ୍ତୁ ବର୍ତ୍ତମାନ ସ୍ଥିତି ଏଭଳି ହୋଇଛି ଯେ ଟଙ୍କାଟିଏ ମଧ୍ୟ କାହା ପାଖରେ ନାହିଁ। ଏପରିକି ନିଜ ଘରକୁ ଫେରିବା ପାଇଁ ଗାଡ଼ି ଭଡ଼ା ତ ଦୂରର କଥା, ଖାଇବା ପାଇଁ ବି ଟଙ୍କା ନଥିବା ଏହି ଦଳ କହିଛି। ଇଟାଭାଟି ମାଲିକଙ୍କଠାରୁ ସେମାନଙ୍କ ପ୍ରାପ୍ୟ ଆଣିବା ବ୍ୟବସ୍ଥା ସହ ସେମାନଙ୍କୁ ଏଠାରୁ ନେବା ପାଇଁ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଛନ୍ତି ସେମାନେ। ଏମାନଙ୍କ ମଧ୍ୟରେ ଜଣେ ମାସକର ଶିଶୁ ବି ରହିଛି।

ବରଗଡ଼ ଜିଲ୍ଲାର ୧୯ ବର୍ଷୀୟା ସରସ୍ବତୀଙ୍କ କହିବା ଅନୁସାରେ, ଗତବର୍ଷ ଲକ୍‌ଡାଉନ୍‌ରେ ବିଶେଷ କାମ ନଥିଲା। ହାଇଦ୍ରାବାଦର ଜଣେ ବ୍ୟକ୍ତି ରୋଜଗାରର ପ୍ରତିଶ୍ରୁତି ଦେଇ ସିକନ୍ଦରାବାଦର ପିଥମପୁରସ୍ଥିତ ଇଟାଭାଟିରେ କାମ କଲେ ଇଟା ଗଢ଼ୁଥିବା ଶ୍ରମିକଙ୍କୁ ୬ମାସରେ ୩୫ ହଜାର, ଇଟା ବୋହିଲେ ୩୦ ହଜାର ଟଙ୍କା ମିଳିଯିବ ବୋଲି କହିଥିଲେ। ବାପା ସୁରେନ୍ଦ୍ର ସୁନାଙ୍କ ସମେତ ସେ, ତାଙ୍କ ଭଉଣୀ, ସମ୍ବଲପୁର ଜିଲ୍ଲା ଧମାର ଦିଲ୍ଲୀପ ବାଦୀଙ୍କ ପରିବାରର ୪ଜଣ, ଦୀପକ ବାଦୀଙ୍କ ପରିବାରର ୬ ଜଣ, ଜହ୍ନ ବାଦୀଙ୍କ ପରିବାରର ୫ଜଣ, ତ୍ରିନାଥ ଓରମାଙ୍କ ପରିବାରର ୭ ଜଣ, ଗଙ୍ଗା ଗୁଣ୍ଡି ପରିବାରର ୭ଜଣ ଯାଇଥିଲେ। ତାଙ୍କୁ ନେଇଯାଇଥିବା ହାଇଦ୍ରାବାଦର ବ୍ୟକ୍ତିଜଣକ ହାଇଦ୍ରାବାଦ ପହଞ୍ଚିଲେ କିଛି ଟଙ୍କା ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ମାତ୍ର କିଛି ନଦେଇ ଚାଲି ଯାଇଥିଲା। ପିଥମପୁର ଇଟାଭାଟିରେ ପହଞ୍ଚିବା ପରେ ମାଲିକ କହିଥିଲେ, ଇଟା ଗଢ଼ିବା ପରେ ୬ ମାସ ପରେ ସମସ୍ତଙ୍କୁ ନିର୍ଧାରିତ ଦରମା ଦେବେ। ଏହି ସମୟରେ ଖାଦ୍ୟ ସୁବିଧା ମାଲିକ କରାଉଥିଲେ। ପ୍ରଥମ ୫ମାସ ସବୁ ଠିକ୍‌ ଚାଲିଥିଲା। କାମ ଠିକ୍‌ ସରିବା ପରେ ଏପ୍ରିଲ ମାସରେ ଶ୍ରମିକମାନେ ଟଙ୍କା ମାଗିଥିଲେ। ମାତ୍ର ମାଲିକ ପ୍ରଥମେ ବାହାନା କଲା। ପରେ ଟଙ୍କା ନଦେଇ ଗାଳିଗୁଲଜ କଲା। ଅନେକ ଦିନ ଧରି ମାଲିକ ଭାଟିକୁ ଆସିଲା ନାହିଁ, ଟଙ୍କା ଦେଲା ନାହିଁ କି ଶ୍ରମିକଙ୍କ ଖାଇବା ବ୍ୟବସ୍ଥା କରିନଥିବା ସେମାନେ ଅଭିଯୋଗ କରିଛନ୍ତି। କୁନିକୁନି ଶିଶୁମାନେ ଖାଇବାକୁ ନ ପାଇ ଅଥୟ ହୋଇଯାଇଥିଲେ। କୌଣସି ଉପାୟ ନ ପାଇ ରବିବାର ସେମାନେ ପାଖରେ ଥିବା ଟଙ୍କାରେ ହାଇଦ୍ରାବାଦ ବସଷ୍ଟାଣ୍ଡରେ ପହଞ୍ଚିଲେ। ଏଠି ପହଞ୍ଚିବା ପରେ ଖାଇବା ପାଇଁ ଟଙ୍କା ବଳିଲା ନାହିଁ। କୌଣସି ପ୍ରକାରେ ଏଠାରୁ ଉଦ୍ଧାର କରିବା ପାଇଁ ସେମାନେ ଅନୁରୋଧ କରିଛନ୍ତି। ଭାଟିରେ କାମ କରିଥିବା ସବୁ ମହିଳା, ପୁରୁଷ ପ୍ରବାସୀ ଶ୍ରମିକଙ୍କ ସମୁଦାୟ ୭ଲକ୍ଷ ଟଙ୍କା ବାକିଥିବା ଶ୍ରମିକମାନେ କହିଛନ୍ତି।

The post ଇଟାଭାଟିରେ ୬ ମାସ କାମ କରାଇ ଟଙ୍କା ନଦେଇ ତଡ଼ି ଦେଲା ମାଲିକ first appeared on Sambad.

from ରାଜ୍ୟ | Sambad https://ift.tt/3nm10yX

Post a Comment

0 Comments