‘ଯୁବକମାନେ ଆଗ ରକ୍ତ ଦିଅନ୍ତୁ, ପରେ ଟିକା ନିଅନ୍ତୁ’

କଟକ : କରୋନାଜନିତ ପରିସ୍ଥିତି ସମୟରେ ରକ୍ତଦାନର ଗୁରୁତ୍ବ ସମ୍ପର୍କରେ ଏକ ଅଭିନବ ଆହ୍ବାନ ଜଣାଇଛନ୍ତି ‘ଆମ ଓଡ଼ିଶା’ର ଅଧ୍ୟକ୍ଷ, ‘ସମ୍ବାଦ’ ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ଆଜି ‘ସମ୍ବାଦ’ରେ ପ୍ରକାଶିତ ‘ଆମଘର ହାଲଚାଲ’ ସ୍ତମ୍ଭରେ ଯୁବବର୍ଗଙ୍କ ଉଦ୍ଦେଶ୍ୟରେ ଉଲ୍ଲେଖ କରିଛନ୍ତି ଯେ, ରକ୍ତଭଣ୍ଡାରକୁ ଯାଇ ପ୍ରଥମେ ରକ୍ତଦାନ କରି ପରେ ଟିକା ନେବା ପାଇଁ ସମସ୍ତେ ସଂକଳ୍ପ ନେବା ଉଚିତ। ଏହାଦ୍ବାରା ଖରାଦିନେ ରକ୍ତ ଅଭାବ ଜନିତ ସମସ୍ୟାକୁ ଦୂର କରାଯାଇପାରିବ। ଅନ୍ୟପକ୍ଷରେ, ଦୁଇଥର କରୋନା ଟିକା ନେବାର ୨୮ ଦିନ ପରେ ଜଣେ ସ୍ବେଚ୍ଛାକୃତ ରକ୍ତଦାନ କରିପାରିବେ। ନ୍ୟାସ୍‌ନାଲ୍‌ ବ୍ଲଡ୍‌ ଟ୍ରାନ୍ସଫ୍ୟୁଜନ୍‌ କାଉନ୍‌ସିଲ୍‌ (ଏନ୍‌ବିଟିସି) ବା ଜାତୀୟ ରକ୍ତ ସଞ୍ଚାଳନ ପରିଷଦ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇଛି।

ଗତ ଫେବ୍ରୁଆରି ୧୭ ତାରିଖରେ ପରିଷଦର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କରୋନା ସମୟରେ ରକ୍ତଦାନ ସମ୍ପର୍କରେ ବିଶଦ ଆଲୋଚନା କରାଯାଇଥିଲା। ଏହି ଆଲୋଚନା ପରେ ନିଷ୍ପତ୍ତି ନିଆଯାଇଛି, କରୋନା ଦ୍ବିତୀୟ ପାଳି ଟିକାର ୨୮ଦିନ ପରେ ଜଣେ ଚାହିଁଲେ ରକ୍ତଦାନ କରିପାରିବେ। ଯେକୌଣସି ଟିକା ନେବାରେ କୌଣସି ସମସ୍ୟା ନାହିଁ। ତେବେ, ଏହି ସମୟସୀମା ସମ୍ପର୍କରେ ଆବଶ୍ୟକସ୍ଥଳେ ସମୀକ୍ଷା କରାଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।

କରୋନା ଟିକାକରଣ ଅଭିଯାନ ଦ୍ବାରା ସ୍ବେଚ୍ଛାକୃତ ରକ୍ତଦାନ ପ୍ରଭାବିତ ହେବ ବୋଲି ଏକ ଆଶଙ୍କା ସୃଷ୍ଟି ହୋଇଥିଲା। ଆସନ୍ତା ମେ ୧ ତାରିଖରୁ ୧୮ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ପାଇଁ ଟିକାଦାନ ଅଭିଯାନ ଆରମ୍ଭ ହେଉଥିବାବେଳେ ମୁଖ୍ୟତଃ ସେହି ବୟସର ବ୍ୟକ୍ତି ଅର୍ଥାତ ଯୁବବର୍ଗ ଅଧିକ ସଂଖ୍ୟାରେ ରକ୍ତଦାନ କରୁଛନ୍ତି। ଫଳରେ, ପରବର୍ତ୍ତୀ କିଛିମାସ ଯାଏ ରକ୍ତଦାନ ପ୍ରକ୍ରିୟାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର କିଛି ସ୍ବାସ୍ଥ୍ୟ ବିଶେଷଜ୍ଞ ପ୍ରକାଶ କରିଥିଲେ ଯେ କରୋନା ଦ୍ବିତୀୟ ପାଳି ଟିକା ନେବାର ୨୮ ଦିନ ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ରକ୍ତଦାନ କରିପାରିବେ ନାହିଁ। ଅର୍ଥାତ ପ୍ରଥମ ଡୋଜ୍ ନେବାର ପାଖାପାଖି ୩ ମାସ ପର୍ଯ୍ୟନ୍ତ ଜଣେ ଟିକା ନେଇଥିବା ବ୍ୟକ୍ତି ରକ୍ତଦାନ କରିପାରି‌େବନି। ‌ତେବେ, ଏ ସମ୍ପର୍କରେ ଏନ୍‌ବିଟିସି ପକ୍ଷରୁ ଟିକା ନେବାର ନିର୍ଦ୍ଦିଷ୍ଟ ସମୟ ଅବଧି ସମ୍ପର୍କରେ ଅନୁରୂପ ସୂଚନା ଦିଆଯାଇଛି। କୁହାଯାଇଛି ଯେ, ଦୁଇଥର କରୋନା ଟିକା ନେବାର ୨୮ ଦିନ ପରେ ଜଣେ ସ୍ବେଚ୍ଛାକୃତ ରକ୍ତଦାନ କରିପାରିବେ। ଉଲ୍ଲେଖଯୋଗ୍ୟ ଯେ, ୧୯୯୬ ମସିହାରେ ଗଠିତ ଜାତୀୟ ରକ୍ତ ସଞ୍ଚାଳନ ପରିଷଦର ମୁଖ୍ୟ କାର୍ଯ୍ୟ ହେଉଛି ସାରାଦେଶରେ ସ୍ବେଚ୍ଛାକୃତ ରକ୍ତଦାନକୁ ପ୍ରୋତ୍ସାହିତ କରିବା। ତେଣୁ, ରକ୍ତଦାନ ସମ୍ପର୍କରେ ଏନ୍‌ଟିବିସିର ଏହି ସୂଚନା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।

The post ‘ଯୁବକମାନେ ଆଗ ରକ୍ତ ଦିଅନ୍ତୁ, ପରେ ଟିକା ନିଅନ୍ତୁ’ first appeared on Sambad.

from ରାଜ୍ୟ | Sambad https://ift.tt/3e3dgkS

Post a Comment

0 Comments