‘ମୁଁ ହାଇଦର‌କୁ ତିନି ଥର ବିରିଆନି ଦେଇଛି’

କଟକ : ‘ମୁଁ ଦାଦା(ହାଇଦର‌‌)ଙ୍କୁ ବଡ଼ ମେଡିକାଲ୍‌ ସର୍ଜରି ଓ୍ୱାର୍ଡରେ ୩ ଥର ବିରିଆନି ନେଇ ଦେଇଛି। ବାଲିଘାଟ ଓ ଠିକା କାମ ପାଇଁ ବଡ଼ ମେଡିକାଲ୍‌ରେ ତାଙ୍କୁ ଭେଟିବାକୁ ଯାଇଥିବା ବେଳେ ବିରିଆନି ନେଇଥିଲି। ତାଙ୍କ ପରିବାର ଲୋକଙ୍କ କହିବା ପରେ ପୀର ବଜାରରୁ ବିରିଆନି ନେଇ ତାଙ୍କୁ ଦେଇଥିଲି। କିନ୍ତୁ ଏଭଳି ସେ ଖସି ପଳାଇବେ ବୋଲି ଜାଣି ନ ଥିଲି… ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛି ଫେରାର ଗ୍ୟାଙ୍ଗ୍‌ଷ୍ଟର ହାଇଦରର ସହଯୋଗୀ କୁହାଯାଉଥିବା ୟାକୁବ୍‌ ଓରଫ କଲ୍ଲୁ ଖାଁ।

ହାଇଦର ସମ୍ବଲପୁରରୁ ଗଲା ଦୁଇମାସ ତଳେ ବଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିବାବେଳେ ମହାନଦୀବିହାରର କଲ୍ଲୁ ତାକୁ ସେଠାରେ ଭେଟିଥିବା ଗଣମାଧ୍ୟମକୁ ସୂଚନା ଦେଇଛି। କଲ୍ଲୁର କହିବା ଅନୁଯାୟୀ, ଯୋବ୍ରା ରହେମାନ ଛକରେ ଥିବା ହାଇଦର୍‌ର ଧରମପୁଅ ତାକୁ ଦୁଇମାସ ତଳେ ବଡ଼ ଡାକ୍ତରଖାନାରେ ହାଇଦର୍‌ ସହିତ ପରିଚୟ କରାଇଥିଲା। ସେଦିନ ମଙ୍ଗଳବାର ଥାଏ ବୋଲି କଲ୍ଲୁ କହିଛି। ହାଇଦର ଫେରାର ହେବା ପରେ ପୁଲିସ ବଡ଼ ଡାକ୍ତରଖାନାରୁ ଜବତ କରିଥିବା ସିସି କ୍ୟାମେରା ଫୁଟେଜ୍‌ ଆଧାରରେ କଲ୍ଲୁର ମହାନଦୀବିହାର ଘରେ ଶନିବାର ରାତି ଗୋଟାଏ ଓ ୩ଟାରେ ଦୁଇଥର ଚଢ଼ାଉ କରିଥିବା ସେ ସୂଚନା ଦେଇଛି। ସେ ଆହୁରି କହିଛି ଯେ, ଦାଦା(ହାଇଦର‌୍‌) ମତେ କ୍ରାଇମଲାଇନ୍‌ ବେକାର ବୋଲି କହିଥିଲେ। ଭଲ କାମ କର ବୋଲି କହିବା ସହ ସେ ନିଜେ ୧୬/୧୭ ବର୍ଷ ହେବ ଘରଦ୍ବାର ଦେଖିପାରି ନଥିବା କହିଥିଲେ। ଭଲ କଥା ବୁଝାଇଥିଲେ ମତେ। ୧୨ରୁ ୧୩ ଦିନ ତଳେ ପୁଣି ବଡ଼ ଡାକ୍ତରଖାନାରେ ତାଙ୍କ ସହିତ ଭେଟ ହୋଇଥିଲା। କାମ କଥା ପଚାରିଥିଲି। ଏପ୍ରିଲ ୧୭/୧୮ ତାରିଖ ଯାଉ କଥା ହେବା ବୋଲି ଦାଦା କହିଥିଲେ। ସିଏ ଏଭଳି କରିବେ ଜାଣି ନ ଥିଲୁ। ଦୁଇଦିନ ତଳେ ଆଳିରେ ଏକ ବାହାଘର ପାଇଁ ଯାଇଥିଲି। କଟକ ଫେରି କାଲି ସେଲୁନରେ ଚୁଟି କାଟୁଥିଲୁ। ନିଉଜରେ ସିଏ ଫେରାର ହୋଇଥିବା ଜାଣିବାକୁ ପାଇଥିଲି। ପୁଲିସ ଭୟରେ ଆମେ ଲୁଚିଲୁ। ମୁଁ ପୁଲିସ ନିକଟରେ ଆତ୍ମସମର୍ପଣ କରିବାକୁ ଚାହୁଁଛି। ପୁଲିସକୁ ତଦନ୍ତରେ ସହଯୋଗ କରିବାକୁ ପ୍ରସ୍ତୁତ। ହାଇଦର୍‌ କେଉଁଠି ଅଛି ମୁଁ ଜାଣେ ନାହିଁ। ମୁଁ ଜାଣି ନ ଥିଲି ଯେ ହାଇଦର୍‌ ଫେରାର ହୋଇଯିବେ। ମୁଁ ଚାହୁଁନାହିଁ ମୋ ପରିବାର ମୋ ପାଇଁ ଅସୁବିଧାରେ ପଡ଼ୁ ବୋଲି କଲ୍ଲୁ ଗଣମାଧ୍ୟମ ସାମନାରେ ବୟାନ ରଖିଛି। କଲ୍ଲୁର ଏଭଳି ବୟାନ ପରେ କମିସନରେଟ୍‌ ପୁଲିସରେ ହଇଚଇ ସୃଷ୍ଟି ହୋଇଛି।

The post ‘ମୁଁ ହାଇଦର‌କୁ ତିନି ଥର ବିରିଆନି ଦେଇଛି’ first appeared on Sambad.

from ରାଜ୍ୟ | Sambad https://ift.tt/3289mQF

Post a Comment

0 Comments