ରାଜ୍ୟରେ ପାରଦ ଏବେ ଉପରମୁହାଁ: ୪୨ ଡିଗ୍ରିରେ ସିଝୁଛି ଟିଟିଲାଗଡ଼, ଦୁଇ ଦିନରେ ୪୪ ଛୁଇଁବ ତାତି

ଭୁବନେଶ୍ବର : ରାଜ୍ୟରେ ପାରଦ ଏବେ ଉପରମୁହାଁ ହୋଇଛି। ଆସନ୍ତା ୩ ଦିନରେ ଆହୁରି ୩ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଅର୍ଥାତ୍‌ ଆସନ୍ତା ୨ ଦିନରେ ରାଜ୍ୟର କିଛି ସ୍ଥାନରେ ପାରଦସ୍ତର ୪୪ ଡିଗ୍ରି ସ୍ପର୍ଶ କରିବ। ଆଜି ରାଜ୍ୟର ତାପମାତ୍ରା ୨ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧିପାଇଛି। ୪୨ ଡିଗ୍ରି ତାପମାତ୍ରା‌ ସହ ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଏହା ପଛକୁ ରହିଛି ସୋନପୁର। ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୧.୮ ଡିଗ୍ରି ରେକର୍ଡ ହୋଇଛି। ଏହାସହ ଭବାନୀପାଟଣା, ବୌଦ୍ଧ ଓ ମାଲକାନଗିରିର ଦିନ ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। ଆଗକୁ ଏହି ତାପମାତ୍ରା‌ ଆହୁରି ବଢ଼ିବ ବୋଲି ପାଣିପାଗ କେନ୍ଦ୍ର କହିଛି।

ଅନ୍ୟପଟେ ଆସନ୍ତା ୨ ଦିନ ରାଜ୍ୟର କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବ। ଆସନ୍ତାକାଲି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଧା, ପୁରୀ ଓ ଗଞ୍ଜାମରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିମି ରହିବ। ସେହିପରି କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଓ ରାୟଗଡ଼ାର କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ଏହିସବୁ ଜିଲ୍ଲାରେ ସାମୟିକ ସମୟ ପାଇଁ ତାତି କମିବ। କିନ୍ତୁ ଏହାର ପ୍ରଭାବ ଦିନର ସର୍ବୋଚ୍ଚ ତାପମାତ୍ରା ଉପରେ ପଡ଼ିବ ନାହିଁ। ଆଗକୁ ତାତି ବଢ଼ିବ। ପ୍ରାୟ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବ ଓ କିଛି କିଛି ସ୍ଥାନରେ ୪୩ରୁ ୪୪ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ଛୁଇଁବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ତାପମାତ୍ରା ଆଜି ୩୮.୬ ଡିଗ୍ରି ରହିଥିବା ବେଳେ ଅପରାହ୍ନ ଆଡ଼କୁ ଆକାଶ ମେଘାଚ୍ଛନ୍ନ ରହିଥିଲା। ଆସନ୍ତାକାଲି ରାଜଧାନୀ ସହ ଏହାର ସଂଲଗ୍ନ ଅଞ୍ଚଳର ତାପମାତ୍ରା ୪୦ ଡିଗ୍ରି ପାଖାପାଖି ରହିବ। ଆକାଶ ଆଂଶିକ ମେଘୁଆ ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

The post ରାଜ୍ୟରେ ପାରଦ ଏବେ ଉପରମୁହାଁ: ୪୨ ଡିଗ୍ରିରେ ସିଝୁଛି ଟିଟିଲାଗଡ଼, ଦୁଇ ଦିନରେ ୪୪ ଛୁଇଁବ ତାତି first appeared on Sambad.

from ରାଜ୍ୟ | Sambad https://ift.tt/3x5lT5Q

Post a Comment

0 Comments