୩ ବିଶ୍ବବିଦ୍ୟାଳୟ କୁଳପତି ଚୟନ ପ୍ରସଙ୍ଗ: ରାଜଭବନକୁ ଗଲା ୯ ପ୍ରଫେସରଙ୍କ ନାଁ

ଭୁବନେଶ୍ବର : ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ସମେତ କଳାହାଣ୍ଡି ବିଶ୍ବବିଦ୍ୟାଳୟ ଓ ମଧୂସୂଦନ ଆଇନ ବିଶ୍ବବିଦ୍ୟାଳୟର ନୂତନ କୁଳପତି ନିଯୁକ୍ତି ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସର୍ଚ୍ଚ(ଚୟନ) କମିଟି ଦ୍ବାରା ଆଶାୟୀ ପ୍ରଫେସରଙ୍କ ସାକ୍ଷାତକାର ନିଆଯିବା ସହ ପ୍ରତି ବିଶ୍ବବିଦ୍ୟାଳୟ ପାଇଁ ୩ ଜଣ ପ୍ରଫେସରଙ୍କ ନାମ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ନିକଟକୁ ପଠାଯାଇଛି। ଏପ୍ରିଲ ଦ୍ବିତୀୟ ସପ୍ତାହରେ ୩ଟି ଯାକ ବିଶ୍ବବିଦ୍ୟାଳୟ କୁଳପତି ନିଯୁକ୍ତି ହେବେ ବୋଲି ଜଣାପଡ଼ିଛି।

୩ ବିଶ୍ବବିଦ୍ୟାଳୟ କୁଳପତି ପଦବି ଲାଗି ପ୍ରାୟ ୯୦ ଜଣ ପ୍ରଫେସର ଆବେଦନ କରିଥିଲେ। ସେମାନଙ୍କର ଆବେଦନପତ୍ର ଯାଞ୍ଚ କରାଯିବା ପରେ ଦ୍ବିତୀୟ ପର୍ଯ୍ୟାୟରେ ୪୪ ଜଣ ସ୍ଥାନ ପାଇଥିଲେ। ତିନୋଟି ଯାକ ସର୍ଚ୍ଚ କମିଟି ପର୍ଯ୍ୟାୟକ୍ରମେ ଆଶାୟୀ ପ୍ରଫେସରଙ୍କ ସାକ୍ଷାତକାର ନେଇଥିଲେ। ମାର୍ଚ୍ଚ ୨୮ରେ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ, ଏପ୍ରିଲ ୩ରେ କଳାହାଣ୍ଡି ବିଶ୍ବବିଦ୍ୟାଳୟ ଓ ୪ରେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ପାଇଁ ସଂକ୍ଷିପ୍ତ ତାଲିକାରେ ଥିବା ପ୍ରଫେସରଙ୍କ ସାକ୍ଷାତକାର ନିଆଯିବା ପରେ ପ୍ରତି ବିଶ୍ବବିଦ୍ୟାଳୟ ପାଇଁ ୩ ଜଣ ପ୍ରଫେସରଙ୍କ ନାମ ତାଲିକା ରାଜଭବନକୁ ପଠାଯାଇଛି। ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ କୁଳପତି ଦୌଡ଼ରେ ଥିବା ସମସ୍ତ ତିନି ଜଣ ଯାକ ପ୍ରଫେସର ଓଡ଼ିଶାର ହୋଇଥିବା ବେଳେ କଳାହାଣ୍ଡି ବିଶ୍ବବିଦ୍ୟାଳୟ ଦୌଡ଼ରେ ଦୁଇ ଜଣ ଓଡ଼ିଶାର ପ୍ରଫେସର ଥିବାବେଳେ ଜଣେ ରାଜ୍ୟ ବାହାରର ଅଛନ୍ତି। ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ କୁଳପତି ଦୌଡ଼ରେ ଦୁଇ ଜଣ ରାଜ୍ୟ ବାହାରର ଓ ଜଣେ ଓଡ଼ିଶାର ପ୍ରଫେସର ରହିଛନ୍ତି। ଜଣେ ଅବସରପ୍ରାପ୍ତ ପ୍ରଫେସର ଦୁଇ ବିଶ୍ବବିଦ୍ୟାଳୟ କୁଳପତି ଦୌଡ଼ରେ ରହିଛନ୍ତି। ଚୟନ କମିଟି ପଠାଇଥିବା ତିନି ପ୍ରଫେସରଙ୍କ ବ୍ୟକ୍ତିଗତ ସାକ୍ଷାତକାର ନେବା ପରେ କୁଳାଧିପତି ପ୍ରଫେସର ଲାଲ୍‌ ଜଣଙ୍କୁ କୁଳପତି ଭାବେ ନିଯୁକ୍ତ କରିବେ।

The post ୩ ବିଶ୍ବବିଦ୍ୟାଳୟ କୁଳପତି ଚୟନ ପ୍ରସଙ୍ଗ: ରାଜଭବନକୁ ଗଲା ୯ ପ୍ରଫେସରଙ୍କ ନାଁ first appeared on Sambad.

from ରାଜ୍ୟ | Sambad https://ift.tt/3moBB7i

Post a Comment

0 Comments