ଅଫିସ୍‌ରେ ମଉଜ ମହଙ୍ଗା ପଡ଼ିଲା: ଗଦାଶିଳା ଭାରପ୍ରାପ୍ତ ଆର୍‌ଆଇ ନିଲମ୍ବିତ

ଢେଙ୍କାନାଳ/ଓଡ଼ାପଡ଼ା : ସରକାରୀ କାର୍ଯ୍ୟାଳୟରେ ମଉଜ। ଅଫିସ୍‌ ପରିସରରେ ପଡ଼ିଛି ମଦ ବୋତଲ। ଭିତରେ ଚାଲିଛି ଚୋରା ପୀରତି! ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ତହସିଲ୍ ଗଦାଶିଳା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରୁ ଏମିତି ଏକ ଭିଡିଓ ଆଜି ଭାଇରାଲ୍ ହେଲା ପରେ ଗଦାଶିଳାର ଭାରପ୍ରାପ୍ତ ରାଜସ୍ବ ନିରୀକ୍ଷକ ରଞ୍ଜନ ପାଣିଗ୍ରାହୀଙ୍କୁ ଢେଙ୍କାନାଳ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ନିଲମ୍ବିତ କରିଛନ୍ତି। ଭିଡିଓର ସତ୍ୟାସତ୍ୟ ପାଇଁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିଲା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ବେହେରା ସ୍ପଷ୍ଟ କରିଛନ୍ତି।

ତଥ୍ୟ ମୁତାବକ, ନିଲମ୍ବିତ ହୋଇଥିବା ରାଜସ୍ବ କର୍ମଚାରୀ ଶ୍ରୀ ପାଣିଗ୍ରାହୀ ହେଉଛନ୍ତି ଅତିରିକ୍ତ ରାଜସ୍ବ ନିରୀକ୍ଷକ। ଗଦାଶିଳା ସର୍କଲ କାର୍ଯ୍ୟାଳୟର ସେ ଭାରପ୍ରାପ୍ତ ଆର୍‌ଆଇ ଭାବେ ନିୟୋଜିତ ହୋଇଥିଲେ। ଭାଇରାଲ୍ ହୋଇଥିବା ଭିଡିଓ ମୁତାବକ, ତାଙ୍କ କାର୍ଯ୍ୟାଳୟ ପରିସରରେ ମଦ ବୋତଲ ପଡ଼ିରହିବା ସହିତ କିଛି ବେସରକାରୀ ଲୋକ ଆର୍‌ଆଇ ଅଫିସ୍‌ରେ ଶୋଇଥିବା ଦେଖିବାକୁ ମିଳିଥିଲା। ତା’ ସହିତ ଜଣେ ମହିଳା ସେହି ଭିଡିଓରେ ଅସଂଯତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଥିଲା। ସରକାରୀ କାର୍ଯ୍ୟାଳୟରେ ଏ ପ୍ରକାର ଦୃଶ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ ସବୁଆଡ଼େ ଜୋର୍‌ ଚର୍ଚ୍ଚା ହୋଇଥିଲା।

ଯାହାକୁ ନେଇ ଜିଲ୍ଲା ପ୍ରଶାସନ ତ୍ବରିତ ପଦକ୍ଷେପ ଗ୍ରହଣ କରିଛି। ଏହି ଘଟଣାରେ ଶ୍ରୀ ପାଣିଗ୍ରାହୀଙ୍କୁ ଛଅ ମାସ ପାଇଁ ନିଲମ୍ବିତ କରିବା ସହିତ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଙ୍କୁ ଅବସ୍ଥାପିତ କରାଯାଇଛି। ଘଟଣାର ତଦନ୍ତ ପାଇଁ ଓଡାପଡା ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏସ୍‌ପିଙ୍କୁ ମଧ୍ୟ ଏ ସମ୍ପର୍କରେ ଜଣାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ବେହେରା ‘ସମ୍ବାଦ’କୁ କହିଛନ୍ତି। ତଦନ୍ତ ରିପୋର୍ଟ ଆସିଲା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

The post ଅଫିସ୍‌ରେ ମଉଜ ମହଙ୍ଗା ପଡ଼ିଲା: ଗଦାଶିଳା ଭାରପ୍ରାପ୍ତ ଆର୍‌ଆଇ ନିଲମ୍ବିତ first appeared on Sambad.

from ରାଜ୍ୟ | Sambad https://ift.tt/3a2WxeY

Post a Comment

0 Comments