
ଭୁବନେଶ୍ବର : ରାଜ୍ୟର ବହୁ ବଡ଼ବଡ଼ ପ୍ରକଳ୍ପର ଠିକାଦାରୀ ହାତଉଛନ୍ତି ଅଣଓଡ଼ିଆ ଠିକାଦାର। ୮୦ ଶତକଡ଼ା ମେଗା ପ୍ରକଳ୍ପ ନିର୍ମାଣ କାମ ଅଣଓଡ଼ିଆ ଠିକାଦାରମାନେ ପାଉଛନ୍ତି। ଫଳରେ ଓଡ଼ିଆ ଠିକାଦାରମାନେ ଏଥିରୁ ବଞ୍ଚିତ ହେଉଛନ୍ତି। କେବଳ ସେତିକି ନୁହେଁ, ଓଡ଼ିଆ ଠିକାଦାରମାନଙ୍କୁ ଯେଉଁ ଦରରେ କାମ ଦିଆଯାଉଛି, ତା’ଠାରୁ ବହୁ ଉଚ୍ଚ ଦରରେ ଅଣଓଡ଼ିଆ ଠିକାଦାରମାନଙ୍କୁ କାମ ଦିଆଯାଉଛି। ଆଜି ହୋଟେଲ କେଶରୀରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ସଂଗିନ୍ ଅଭିଯୋଗ ଆଣିଛି ନିଖିଳ ଓଡ଼ିଶା ଠିକାଦାର ମହାସଂଘ।
ସୂଚନାଯୋଗ୍ୟ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣରେ ରାଜ୍ୟର ଠିକାଦାରଙ୍କୁ କ’ଣ ପାଇଁ ସୁଯୋଗ ମିଳୁନି ବୋଲି ବିଧାନସଭାରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରଶ୍ନ ଉଠାଇଥିଲେ। ମନ୍ତ୍ରୀ ପ୍ରତାପ ଜେନା ନକରାତ୍ମକ ଢଙ୍ଗରେ ଉତ୍ତର ଦେଇଥିଲେ। ମନ୍ତ୍ରୀଙ୍କ ଉତ୍ତରକୁ ଦୃଢ଼ ନିନ୍ଦା କରି ଆଜି ନିଖିଳ ଓଡ଼ିଶା ଠିକାଦାର ମହାସଂଘ ପକ୍ଷରୁ ଏହି ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ମହାସଂଘର ସଭାପତି ପ୍ରଭାତ ଦାଶ କହିଛନ୍ତି, ମନ୍ତ୍ରୀ ଶ୍ରୀ ଜେନାଙ୍କ ଉତ୍ତର ଓଡ଼ିଶାର ଠିକାଦାରମାନଙ୍କ ପ୍ରତି ଅପମାନ। ଆଗାମୀ ୬ତାରିଖ ଭିତରେ ଯଦି ମନ୍ତ୍ରୀ ନିଃସର୍ତ କ୍ଷମା ପ୍ରାର୍ଥନା ନକରନ୍ତି, ତେବେ ସଂଘ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିବ ବୋଲି ଆଜି କୁହାଯାଇଛି।
ମହାସଂଘ ଅଭିଯୋଗ କରିଛି ଯେ ଓଡ଼ିଶା ସରକାର ବିଭିନ୍ନ ଛୋଟ ଛୋଟ ପ୍ରକଳ୍ପକୁ ମିଶାଇ ଗୋଟିଏ ବିରାଟ ପ୍ୟାକେଜ୍ କରି ଶହ ଶହ କୋଟି ଟଙ୍କାରେ ଅଣଓଡ଼ିଆ ଠିକାଦାରମାନଙ୍କୁ ଦେଉଛନ୍ତି। ଓଡ଼ିଶାର ତିନି ମେଡିକାଲ କଲେଜର ୯୪ଟି ବିଲ୍ଡିଂ କାମକୁ ଏକାଠି କରି ବିପୁଳ ଟଙ୍କାରେ ଲାର୍ସେନ ଆଣ୍ଡ ଟୁବ୍ରୋ କମ୍ପାନିକୁ ଦିଆଯାଇଛି। ଏହାକୁ ଓଡ଼ିଶାର ଠିକାଦାରମାନେ ଅପେକ୍ଷାକୃତ କମ୍ ଟଙ୍କାରେ କରିପାରିଥାନ୍ତେ। ସେହିପରି ବିଭିନ୍ନ ରାସ୍ତାକୁ ଏକାଠି କରି ବଡ଼ ପ୍ୟାକେଜ୍ କରି ଅଣଓଡ଼ିଆ ଠିକାଦାରଙ୍କୁ ଦିଆଯାଉଛି। ଓଡ଼ିଶାର ପ୍ରାୟ ୭୮ଟି ବୃହତ ଜଳ ପ୍ରକଳ୍ପ ସୃଷ୍ଟି କରି ଅଣଓଡ଼ିଆ ଠିକାଦାରଙ୍କୁ ଟେଣ୍ଡର କରି ଦିଆଯାଇଛି। ସେହପରି ଖାରବେଳ ଭବନର ନିର୍ମାଣକୁ ନେଇ ସଂଘ ପ୍ରଶ୍ନ ଉଠାଇଛି। ଏହି କାମକୁ ଓଡ଼ିଶାର ଠିକାଦାରମାନେ ବର୍ଗଫୁଟକୁ ୯୫୦ ଟଙ୍କାରୁ ୧୫୦୦ ଟଙ୍କା ଭିତରେ କରିପାରିଥାନ୍ତେ, କିନ୍ତୁ ଏହାକୁ ଏଲ୍ଆଣ୍ଡଟି କମ୍ପାନିକୁ ବର୍ଗଫୁଟ ପ୍ରତି ୫୫୦୦ ଟଙ୍କାରେ ଟେକି ଦିଆଯାଇଛି। ଏଭଳି ନିଷ୍ପତ୍ତି ରାଜ୍ୟର କେଉଁ ସ୍ବାର୍ଥରେ କରାଯାଇଛି ବୋଲି ସଂଘ ପ୍ରଶ୍ନ କରିଛି। ଏବେ ଏହି ବିଲ୍ଡିଂରେ ସବୁବେଳେ ଫାଟ ଦେଖା ଯାଉଛି ଓ ଚୁନ ମାରି ମରାମତି କରାଯାଉଛି ସଂଘ କହିଛି।
The post ନିଖିଳ ଓଡ଼ିଶା ଠିକାଦାର ମହାସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ : ୮୦% ବୃହତ୍ ପ୍ରକଳ୍ପ କାମ ନେଉଛନ୍ତି ଅଣଓଡ଼ିଆ ଠିକାଦାର first appeared on Sambad.from ରାଜ୍ୟ | Sambad https://ift.tt/3uj6Ov4
0 Comments