ଗଠନ ହେଲା ଶ୍ରୀବଲ୍ଲଭ ପାଣିଗ୍ରାହୀ ଓ ସୁନନ୍ଦା ପାଣିଗ୍ରାହୀ ଫାଉଣ୍ଡେସନ୍‌

ଭୁବନେଶ୍ବର: କଂଗ୍ରେସର ପ୍ରଖ୍ୟାତ ନେତା ପୂର୍ବତନ ମନ୍ତ୍ରୀ ଓ ସାଂସଦ, ଟ୍ରେଡ୍‌ ୟୁନିୟନ ନେତା ସ୍ବର୍ଗତ ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ ସ୍ମୃତିରେ ଗଠନ ହୋଇଛି ଶ୍ରୀବଲ୍ଲଭ ପାଣିଗ୍ରାହୀ ଓ ସୁନନ୍ଦା ପାଣିଗ୍ରାହୀ ଫାଉଣ୍ଡେସନ୍‌। ଏହି ଫାଉଣ୍ଡେସନକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜ ବାସଭବନରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଶୁଭ ଉଦଘାଟନ କରିଛନ୍ତି। ଏହି ଫାଉଣ୍ଡେସନ ଅନଗ୍ରସର ଶିଶୁମାନଙ୍କୁ ଶିକ୍ଷା ପ୍ରଦାନ ନେଇ କାର୍ଯ୍ୟ କରିବ।

ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ, ସ୍ବର୍ଗତ ପାଣିଗ୍ରାହୀ ତାଙ୍କର ନିକଟତର ବନ୍ଧୁ ରହିବା ସହିତ ପିଲାଦିନର ସହପାଠୀ ଥିଲେ। ୧୯୬୦ ମସିହାରୁ ଶ୍ରୀ ପଟ୍ଟନାୟକ ତାଙ୍କ ପରିବାର ସହିତ ଜଡ଼ିତ ରହିଆସିଛନ୍ତି। ସମାଜର ମୂଲ୍ୟ ଓ ଏକ ଜନମଙ୍ଗଳ ରାଷ୍ଟ୍ରରେ ମୂଲ୍ୟବୋଧ ପ୍ରତିଷ୍ଠା କରିବା ପାଇଁ ସ୍ବର୍ଗତ ପାଣିଗ୍ରାହୀ ଓ ସ୍ବର୍ଗତ ସୁନନ୍ଦା ପାଣିଗ୍ରାହୀ ନିଷ୍ଠାର ସହ କାର୍ଯ୍ୟ କରିଆସୁଥିଲେ। ସେହି ସମାନ ଧାରାରେ ଏହି ଫାଉଣ୍ଡେସନ୍‌ କାର୍ଯ୍ୟ କରିବ ବୋଲି ପିସିସି ସଭାପତି ଆଶାପୋଷଣ କରିଛନ୍ତି। ସ୍ବର୍ଗତ ପାଣିଗ୍ରାହୀ ଶେଷ ନିଃଶ୍ବାସ ଥିବା ପର୍ଯ୍ୟନ୍ତ ସମାଜର ମଙ୍ଗଳ ପାଇଁ କାର୍ଯ୍ୟ କରିଆସୁଥିଲେ। ମାତ୍ର ୩୨ ବର୍ଷ ବୟସରେ ୧୯୭୩ ମସିହାରେ ଭାରତର ସର୍ବକନିଷ୍ଠ ମନ୍ତ୍ରୀ ଭାବରେ ଅନେକଗୁଡ଼ିଏ ଜନମଙ୍ଗଳ କାର୍ଯ୍ୟକରି ସୁନାମ ଅର୍ଜନ କରିଥିଲେ। ଯାହାକି ଏବେ ବି ସ୍ମରଣୀୟ ହୋଇ ରହିଛି।

ସେ ଜଣେ ନିଷ୍ଠାବାନ, ଦକ୍ଷ ପ୍ରଶାସନ ଓ ସୁବକ୍ତା ଭାବରେ ସାରା ଭାରତରେ ପରିଚିତ ଥିଲେ। ତାଙ୍କ ଜ୍ୟେଷ୍ଠ ପୁତ୍ର ତଥା ପ୍ରଖ୍ୟାତ ଏନ୍‌ଆର୍‌ଆଇ ପ୍ରିୟଦର୍ଶୀ ପାଣିଗ୍ରାହୀ ଫାଉଣ୍ଡେସନ୍‌ର ଲକ୍ଷ୍ୟ ଓ ଆଦର୍ଶ ସଂକ୍ରାନ୍ତରେ ସମ୍ୟକ ସୂଚନା ଦେଇ କହିଥିଲେ ଏବେ ଯେଉଁ ନିର୍ବାଚିତ ପ୍ରତିନିଧି ଆସୁଛନ୍ତି ସେମାନଙ୍କର ଉତ୍ତର ଦାୟିତ୍ବ ନିର୍ବାହ କରିବା ପାଇଁ ସେମାନଙ୍କୁ କିଭଳି ଉତ୍ତମ ତାଲିମ ମିଳିପାରିବ ସେ ସଂକ୍ରାନ୍ତରେ କାର୍ଯ୍ୟ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହିପରି ତାଙ୍କର କନିଷ୍ଠ ପୁତ୍ର ତଥା ବରିଷ୍ଠ ଅର୍ଥନୀତିଜ୍ଞ ରାଜଶ୍ରୀ ପାଣିଗ୍ରାହୀ ଆଗାମୀ ପିଢ଼ି ପାଇଁ ଫାଉଣ୍ଡେସନ୍‌ କିପରି କାର୍ଯ୍ୟ କରିବ ସେ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ସ୍ବର୍ଗତ ପାଣିଗ୍ରାହୀଙ୍କ ଭଉଣୀ ରାସେଶ୍ବରୀ ପାଣିଗ୍ରାହୀ ଭିଡିଓ କନଫରେନ୍‌ସିଂ ଜରିଆରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଦିବଂଗତ ଦମ୍ପତିଙ୍କ ଜୀବନ ଚର୍ଯ୍ୟା ଉପରେ ଆଲୋକପାତ କରିଥିଲେ।

The post ଗଠନ ହେଲା ଶ୍ରୀବଲ୍ଲଭ ପାଣିଗ୍ରାହୀ ଓ ସୁନନ୍ଦା ପାଣିଗ୍ରାହୀ ଫାଉଣ୍ଡେସନ୍‌ first appeared on Sambad.

from ରାଜ୍ୟ | Sambad https://ift.tt/3mL7Q0j

Post a Comment

0 Comments