ଆଜିଠୁ ସ୍କୁଲରେ ନାମଲେଖା; ଛାତ୍ରଛାତ୍ରୀ ଆସିବେନି, ଅଭିଭାବକ ଆସିବେ

ଏକାସଙ୍ଗେ ୫ଜଣ ଅଭିଭାବକଙ୍କୁ ଅନୁମତି
ଏବେ ହେବନି ହଷ୍ଟେଲ ପ୍ରବେଶିକା ପରୀକ୍ଷା

ଭୁବନେଶ୍ବର : ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ରାଜ୍ୟର ସମସ୍ତ ପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀରେ ନାମଲେଖା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ମଙ୍ଗଳବାର ତଥା ଏପ୍ରିଲ ୨୭ରୁ ମେ’ ୩୧ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ। ପ୍ରତି କାର୍ଯ୍ୟ ଦିବସର ସକାଳ ୭ଟାରୁ ପୂର୍ବାହ୍ନ ୯ଟା ୩୦ ମଧ୍ୟରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନାମଲେଖା କରାଯିବ। ଏକସଙ୍ଗେ ୫ଜଣରୁ ଅଧିକ ଅଭିଭାବକ ନାମଲେଖା ଲାଗି ସ୍କୁଲ ଭିତରକୁ ପ୍ରବେଶ କରିପାରିବେ ନାହିଁ। ନାମଲେଖା ସମୟରେ ଯେପରି କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ଠିକ୍‌ ଭାବେ ପାଳନ କରାଯାଏ ସେଦିଗରେ ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀ ପଦକ୍ଷେପ ଗ୍ରହଣ କରିବେ। ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା, ବିଶୋଧନ ବାଧ୍ୟତାମୂଳକ କରାଯାଇଛି। ସ୍କୁଲ ନୋଟିସ୍‌ ବୋର୍ଡରେ ଏ ସମ୍ପର୍କିତ ବିଜ୍ଞପ୍ତି ଲଗାଯିବା ସହ ‘ଶିକ୍ଷା ସଂଯୋଗ’ ହ୍ବାଟସ୍‌-ଆପ୍‌ ଗ୍ରୁପ୍‌ ମାଧ୍ୟମରେ ସ୍କୁଲଗୁଡ଼ିକ ଅଭିଭାବକ ଓ ସିଆରସିସିଙ୍କୁ ଅବଗତ କରାଇବେ। ଏଥିସହ ସ୍କୁଲ ନାମଲେଖା ଲାଗି ଜାରି ହୋଇଥିବା ଏସ୍‌ଓପିକୁ ଯେପରି ଠିକ୍‌ ଭାବେ ପାଳନ କରାଯିବ, ସେ ଦିଗରେ ପଦକ୍ଷେପ ନେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ରଘୁରାମ ଆର ଆୟର ଆଜି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ), ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିସି) ଓ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ ଚିଠି ଲେଖି କହିଛନ୍ତି।

ଏସ୍‌ଓପି ଅନୁଯାୟୀ, ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯାଇଛି। ତେଣୁ ଯେଉଁ ଛାତ୍ରଛାତ୍ରୀ ନିଜ ସ୍କୁଲରେ ପରବର୍ତ୍ତୀ ଶ୍ରେଣୀକୁ ଉନ୍ନୀତ ହେଉଛନ୍ତି, ସେଠାରେ ନାମଲେଖା ସମୟରେ ଛାତ୍ରଛାତ୍ରୀ କିମ୍ବା ଅଭିଭାବକଙ୍କର କୌଣସି ଆବଶ୍ୟକତା ନାହିଁ। ସ୍କୁଲଗୁଡ଼ିକ ସେମାନଙ୍କ ପିଲାଙ୍କ ନାମଲେଖା ଉପର ଶ୍ରେଣୀରେ କରାଇବେ। ଯେତେବେଳେ କୌଣସି ଛାତ୍ରଛାତ୍ରୀ ଗୋଟିଏ ବିଦ୍ୟାଳୟରୁ ଅନ୍ୟ ସ୍କୁଲକୁ ଯିବେ, ସେଭଳି ସ୍ଥିତିରେ ବର୍ତ୍ତମାନ ସ୍କୁଲର ପ୍ରଧାନଶିକ୍ଷକ ପିଲାଙ୍କ ନାମ ତାଲିକା ଓ ମୋବାଇଲ ନମ୍ବର ନିକଟସ୍ଥ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ନିକଟକୁ ପଠାଇବେ। ଯେଉଁ ସ୍କୁଲରେ ନାମଲେଖା ହେବ, ସେଠାକାର କର୍ତ୍ତୃପକ୍ଷ ଟେଲିଫୋନ୍‌ ମାଧ୍ୟମରେ ଅଭିଭାବକଙ୍କୁ ପିଲାର ନାମଲେଖା ସମ୍ପର୍କରେ ସବିଶେଷ ତଥ୍ୟ ଜଣାଇବେ। ଯଦି ପିଲା ସ୍କୁଲ ପରିବର୍ତ୍ତନ କରିବାକୁ ଚାହୁଛି, ତେବେ ଅଭିଭାବକ ବର୍ତ୍ତମାନର ସ୍କୁଲରୁ ଟିସି ନେଇ ତାହାକୁ ନୂତନ ସ୍କୁଲରେ ଦାଖଲ କରି ନାମ ଲେଖାଇପାରିବେ। ଯଦି କୌଣସି ବିଦ୍ୟାଳୟରେ ବର୍ତ୍ତମାନର ଟିଏମ୍‌ସି/ସ୍ବାବ୍‌ ସଂଗ୍ରହ କେନ୍ଦ୍ର/ କୋଭିଡ୍‌-୧୯ ପାଇଁ ହସ୍ପିଟାଲ ଚାଲିଥିବ,‌ ସେଭଳି ସ୍ଥିତିରେ ନିକଟରେ ଥିବା ସରକାରୀ, ଅନୁଦାନପ୍ରାପ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା କରାଯାଇପାରେ। ନିକଟବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ଏ ସମ୍ପର୍କରେ ଅବଗତ କରାଇବା ସହ ଫୋନ୍‌ ଓ ହ୍ବାଟସ୍‌-ଆପ୍‌ ଯୋଗେ ଅଭିଭାବକଙ୍କୁ ଜଣାଇବେ।

ନୂଆ କରି ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଥିବା ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ର ସହ ଟେଲିଫୋନ୍‌ ମାଧ୍ୟମ‌ରେ ଯୋଗାଯୋଗ କରିବେ ଏବଂ ଅଭିଭାବକଙ୍କ ସହ ଆଲୋଚନା କରି ନାମଲେଖା କରାଇବେ। ନାମଲେଖା ସମୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥିତିର କୌଣସି ଆବଶ୍ୟକତା ନାହିଁ। ବର୍ତ୍ତମାନ ସମୟରେ କୌଣସି ସ୍ଥାନରେ ହଷ୍ଟେଲ ପ୍ରବେଶିକା ପରୀକ୍ଷା ହେବ ନାହିଁ। କଣ୍ଟେନ୍‌ମେଣ୍ଟ-ଜୋନ୍‌ରେ ଥିବା ସ୍କୁଲରେ ନାମଲେଖା ହେବନି। କଣ୍ଟେନ୍‌ମେଣ୍ଟ ଉଠିବା ପରେ ନାମଲେଖା ହେବ। ବିଏସ୍‌ଇ ଓ ସିଏଚ୍‌ଏସ୍‌ଇ ଅଧୀନ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରା‌ପ୍ତ ବିଦ୍ୟାଳୟ, ଓଡ଼ିଶା ମଦ୍ରାସା ବୋର୍ଡ ଅନୁବନ୍ଧିତ ମଦ୍ରାସା ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ଏହି ନିୟମ ପାଳନ ହେବ।

The post ଆଜିଠୁ ସ୍କୁଲରେ ନାମଲେଖା; ଛାତ୍ରଛାତ୍ରୀ ଆସିବେନି, ଅଭିଭାବକ ଆସିବେ first appeared on Sambad.

from ରାଜ୍ୟ | Sambad https://ift.tt/3aJhzj1

Post a Comment

0 Comments